କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଗାଁର ଜମି ବନ୍ଦୋବସ୍ତ କରିବା ସହ ନୂତନ ଜମି ପଟ୍ଟା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସୁକିନ୍ଦା ବିଧାୟକ

ଭୁବନେଶ୍ୱର : କଳିଙ୍ଗନଗର ଶିଳ୍ପାଂଚଳ ଅଧିନରେ ଥିବା ୨୯ ଗୋଟି ଗ୍ରାମରେ ସେଟଲମେଂଟ(ଜମି ବନ୍ଦୋବସ୍ତ) କରିବା ସହିତ ବ୍ୟାସନଗର, ଦାନଗଦୀ ଏବଂ ସୁକିନ୍ଦା ତହସିଲରେ ସେଟଲମେଂଟ(ଜମି ବନ୍ଦୋବସ୍ତ) ହୋଇସାରିଥିବା ଗ୍ରାମମାନଙ୍କରେ ନୂତନ ଜମି ପଟ୍ଟା ପ୍ରଦାନ ପାଇଁ ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଂଜନ ଘଡାଇ ଏକ ପତ୍ରଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ  ଯାଜପୁର ଜିଲା ଦାନଗଦୀ ଏବଂ ସୁକିନ୍ଦା ତହସିଲରେ ଅବସ୍ଥିତ ୨୯ ଗୋଟି ଗ୍ରାମରେ (ଯାହାକି ପୂର୍ବରୁ ଯାଜପୁରରୋଡ ତହସିଲରେ ଅନ୍ତର୍ଭୁକ୍ତ ଥିଲା) ସେଟଲମେଂଟ କାର୍ଯ୍ୟ କରିବା ପାଇଁ ରାଜ୍ୟସରକାର ୨୮.୪.୧୯୮୦ ମସିହାରେ ନୋଟିଫିକେସନ କରିଥିବା ବେଳେ ୧୯୯୧ ମସିହାରେ ଦ୍ବିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସେଟଲମେଂଟ କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ରାଜସ୍ୱ ବିଭାଗର ପତ୍ର ସଂଖ୍ୟା.୧୨୨୪୪, ତା.୧୫.୧.୧୯୯୧ରେ ନିର୍ଦ୍ଦେଶ ଦିଆଯାଇଥିଲା ।

ପୁନର୍ବାର ରାଜସ୍ୱ ବିଭାଗର ପତ୍ର ସଂଖ୍ୟା-୪୬୮୮,ତା.୧.୨.୨୦୦୮ ରିଖର ନିର୍ଦ୍ଦେଶନାମାରେ ଏହି ସ୍ଥଗିତାଦେଶକୁ ଉଠାଇ ଦିଆଯାଇଥିଲା । ମାତ୍ର ସେଟଲମେଂଟ କାର୍ଯ୍ୟ ଆରମ୍ଭ ହେବା ବଦଳରେ ରାଜସ୍ୱ ବିଭାଗର ପତ୍ର ସଂଖ୍ୟା-୧୮୦୨୬, ତା.୧.୬.୨୦୧୭ରେ ଜମି ସେଟଲମେଂଟ କାର୍ଯ୍ୟକୁ ପୁନର୍ବାର ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦେଶ ସ୍ୱାଧୀନ ହେବା ପରଠାରୁ ଏହି ଗ୍ରାମ ଗୁଡିକରେ ସେଟଲମେଂଟ କାର୍ଯ୍ୟ ହୋଇ ନଥିବା ବେଳେ ସାଧାରଣ ପ୍ରଜା ନିଜର ଆବଶ୍ୟକତା ବେଳେ ଜମି ବିକ୍ରୟ କରି ନପାରିବା, ଘର କରିବା ପାଇଁ ପ୍ଲାନ ମଂଜୁରୀ ନପାଇବା, ଜମିର କିସମ ପରିବର୍ତନ କରି ନପାରିବା ଭଳି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସରକାର ମଧ୍ୟ ଏଥିପାଇଁ ଅନେକ ରାଜସ୍ୱ ହରାଉଛନ୍ତି ।

ଅପର ପକ୍ଷରେ ବ୍ୟାସନଗର ତହସିଲ, ଦାନଗଦୀ ତହସିଲ ଏବଂ ସୁକିନ୍ଦା ତହସିଲର କେତେକ ଗ୍ରାମରେ ୧୯୯୨ ମସିହାରୁ ସେଟଲମେଂଟ(ବନ୍ଦୋବସ୍ତ) କାର୍ଯ୍ୟ ସରିଯାଇ ଥିଲେ ମଧ୍ୟ ତାହାର ନୂତନ ଆର.ଓ.ଆର (ରେକର୍ଡ ଅଫ ରାଇଟ) ପ୍ରକାଶନରେ ବିଳମ୍ବ ହେଉଛି । ରାଜସ୍ୱ ବିଭାଗକୁ ଏ ସଂପର୍କରେ ବାରମ୍ବାର ପତ୍ର ଲେଖିଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ ।
ତେଣୁ, କଳିଙ୍ଗନଗର ଶିଳ୍ପାଂଚଳ ଅଧିନରେ ଥିବା ୨୯ ଗୋଟି ଗ୍ରାମରେ ସେଟଲମେଂଟ(ଜମି ବନ୍ଦୋବସ୍ତ) କରିବା ସହିତ ବ୍ୟାସନଗର, ଦାନଗଦୀ ଏବଂ ସୁକିନ୍ଦା ତହସିଲରେ ସେଟଲମେଂଟ(ଜମି ବନ୍ଦୋବସ୍ତ) ହୋଇସାରିଥିବା ଗ୍ରାମମାନଙ୍କରେ ନୂତନ ଜମି ପଟ୍ଟା ପ୍ରଦାନ ପାଇଁ ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଂଜନ ଘଡାଇ ଏକ ପତ୍ରଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି

Comments are closed.