୨୦୦ କୋଟିରେ ହେବ କଳିଙ୍ଗ ଷ୍ଟୁଡିଓର ନବକଳେବର

ଭୁବନେଶ୍ବର: ନୂଆରୂପ ନେବ କଳିଙ୍ଗ ଷ୍ଠୁଡିଓ। ଏହାକୁ ଏକ ଆଧୁନିକ ’ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ସିନେମା ଷ୍ଟୁଡିଓ ଭାବେ ବିକଶିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳଚ୍ଚିତ୍ର ସୁଟିଂରୁ ଆରମ୍ଭ କରି ଏଡ଼ିଟିଂ ଏବଂ ଡବିଂ ବି କରାଯିବ। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଠାରେ ଏକ ଆଧୁନିକ ଚଳଚ୍ଚିତ୍ର ଷ୍ଟୁଡିଓ ପାଇଁ ୨୦୦ କୋଟି ଟଙ୍କାର ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଇଡ୍‌କୋ ମାଧ୍ୟମରେ କାର୍ୟ୍ୟକାରୀ କରାଯିବ। ଏପ୍ରିଲରୁ ଏହି ପ୍ରକଳ୍ପ ଆରମ୍ଭ ହେବ। ପର୍ୟ୍ୟାୟକ୍ରମେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ନିମନ୍ତେ ସମୟ ଧାର୍ୟ୍ୟ କରାଯାଇଛି।

ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗତ ରବିବାର ଶ୍ରୀ ମହାପାତ୍ର କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଥିବାବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହାକୁ କିଭଳି ଉଚ୍ଚସ୍ତରୀୟ କରିହେବ ସେନେଇ ଶିଳ୍ପ ବିଭାଗକୁ ନିର୍ଦେଶ ଦେଇଥିଲେ। ପଦକ୍ଷେପ ସ୍ବରୂପ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ସୁଦ୍ଧା ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ଏପ୍ରିଲରୁ କାର୍ୟ୍ୟ ଆରମ୍ଭ ହେବ। ମନୋରଞ୍ଜନ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଏହା କରାଯିବ। ଏହାକୁ କେବଳ ସୁଟିଂ ପାଇଁ ନୁହେଁ, ସାମାଜିକ ଓ ପର୍ୟ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ। ପୁରୁଣା ସାମଗ୍ରୀକୁ ନେଇ ଏକ ସଂଗ୍ରହାଳୟ କରାଯିବ। ଯେଉଁଥିରେ ୪୦/୫୦ ବର୍ଷର ପୁରୁଣା ସାମଗ୍ରୀ ଏମିତିକି କ୍ୟାମେରା ଏବଂ ଅନ୍ୟାନ୍ୟ ଜିନିଷ ଯାହା ଷ୍ଟୁଡିଓରେ ଥିଲା ସେସବୁକୁ ସ୍ଥାନ ଦିଆଯିବ। ସେହିପରି ପୁରୁଣା ଚଳଚ୍ଚିତ୍ରକୁ ନେଇ ଏକ ଅଭିଲେଖାଗାର କରାଯିବ। ଏସବୁର ତଦାରଖ ପାଇଁ ଏକ ପ୍ରଶାସନିକ କାର୍ୟ୍ୟାଳୟ କରାଯାଇ ନିଯୁକ୍ତି ଦିଆଯିବ। ପୂର୍ବରୁ ଭିଲେଜ କ‌େ‌ମ୍ପ୍ଲକ୍ସ ସହିତ ମୁଖ୍ୟ ଫାଟକ, କଟେଜ୍‌ ମେକ୍‌ଅପ୍‌ ରୁମ୍‌, କଷ୍ଟ୍ୟୁମ୍‌ ରୁମ୍‌ ନୂଆ ରୂପ ପାଇଥିବାବେଳେ ଏବେ ଅନ୍ୟାନ୍ୟ କାର୍ୟ୍ୟ ତ୍ବରାନିତ କରାଯାଉଛି। ବର୍ତ୍ତମାନ ଭିଲେଜ କ‌େ‌ମ୍ପ୍ଲକ୍ସ, ଜମିଦାର କୋଠା ଓ ସୁଟିଂ ଫ୍ଲୋର୍‌କୁ ଭଡ଼ା ସୂତ୍ରରେ ଦୁଇଟି ଘରୋଇ ଟିଭି ଚାନେଲକୁ ଦିଆଯାଇଛି।

ତିନିଟି ପର୍ୟ୍ୟାୟରେ ଏହି ପ୍ରକଳ୍ପ କାର୍ୟ୍ୟ କରାଯିବ। ପ୍ରଥମ ପର୍ୟ୍ୟାୟରେ ସୁଟିଂ ଉପରେ ଗୁରୁତ୍ବ ଦିଆଯିବ। ମୋଟାମୋଟି ଭାବେ ୨୦୨୩ ସୁଦ୍ଧା କାର୍ୟ୍ୟ ଶେଷ ଲକ୍ଷ୍ୟ ରହିଛି। କଟକସ୍ଥିତ ବିଜୁ ପଟ୍ଟନାୟକ ସିନେମା ଓ ଦୂରଦର୍ଶନ ପ୍ରତିଷ୍ଠାନରୁ ଶିକ୍ଷାଲାଭ କରୁଥିବା ଓଡ଼ିଆ ଯୁବକଯୁବତୀ ଏହି ଆଧୁନିକ ସିନେମା ଷ୍ଟୁଡିଓ ବିକାଶରେ ବିଶେଷ ସହାୟକ ହେବେ। ଏଠାରେ ଓଡ଼ିଆ ଚଳଚ୍ଚିତ୍ର ସୁଟିଂକୁ ଗୁରୁତ୍ବ ଦିଆଯାଇଛି। ରେଳ ଷ୍ଟେସନ ସହିତ ବିମାନବନ୍ଦର, ହସ୍ପିଟାଲ, ସ୍କୁଲ, ଧାର୍ମିକସ୍ଥଳ କରାଯିବ। ଏହାଛଡ଼ା ଗାଁର ପ୍ରତିଛବି ମଧ୍ୟ ଆକର୍ଷିତ କରିବ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଇଡ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ନୀତିନ ଭାନୁଦାସ ଜାୱଲେ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବତ ତ୍ରିପାଠୀ, ଶିଳ୍ପ ବିଭାଗ ଯୁଗ୍ମ ସଚିବ ଶୁଭେନ୍ଦ୍ର ନାୟକଙ୍କ ସମେତ ସହିତ ବହୁ ବରିଷ୍ଠ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ନୂତନ ଆଧୁନିକ ଷ୍ଟୁଡିଓର ଆକର୍ଷଣ

ଷ୍ଟୁଡିଓକୁ ମୁଖ୍ୟତଃ ୩ଟି ଜୋନ୍‌ରେ ପ୍ରସ୍ତୁତ କରାଯିବ। ଜୋନ୍‌-୧ରେ ଇନ୍‌ଡୋର ସୁଟିଂ ଫ୍ଲୋର, ସୁଟିଂ ମୁଖଶାଳା, ଫିଲ୍ମ-ଟେକ୍‌ ଜୋନ୍‌, ବ୍ୟବସାୟିକ ସ୍ଥାନ, ଖୋଲା ଅଗଣା ପ୍ରଭୃତି ରହିବ। ଜୋନ୍‌-୨ରେ ଆଉଟ୍‌ଡୋର ସୁଟିଂ ସୁବିଧା, ବିଷୟଭିତ୍ତିକ ସୁଟିଂ ଉଦ୍ୟାନ, ପିଲାଙ୍କ ଜୋନ୍‌, ଦୁର୍ଗ ଦୃଶ୍ୟ, ବରଫ ଜୋନ୍‌ ଏବଂ ସାହସିକତା ପ୍ରଦର୍ଶନ କାର୍ୟ୍ୟକ୍ରମ ସ୍ଥାନ ଆଦି ରହିବ। ଜୋନ୍‌-୩ରେ ଖାଦ୍ୟ ପ୍ରାଙ୍ଗଣ, ଫିଲ୍ମ କଳାକାରଙ୍କ ନିମନ୍ତେ ରହିବା, ଖାଇବା ସୁବିଧା ଓ ସାମାଜିକ କାର୍ୟ୍ୟକ୍ରମ କେନ୍ଦ୍ର ଆଦି ରହିବ। ବର୍ତ୍ତମାନ ରହିଥିବା କେତେକ ମୁଖ୍ୟ ଗୃହ ଓ ସୁବିଧା ଆଦିକୁ ଷ୍ଟୁଡିଓର ଐତିହ୍ୟ ନିମନ୍ତେ ସୁରକ୍ଷିତ ରଖାଯିବ।

Comments are closed.