ବିଶ୍ୱକପ୍‍ ପାଇଁ ଭୁବନେଶ୍ୱର ଉତ୍ସବ ମୁଖର

0

ଭୁବନେଶ୍ୱର : ଓଡ଼ିଶାକୁ ଘାରିଛି ହକି ଜ୍ୱର। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ହକି ମାହୋଲ। ବିଶ୍ୱକପ୍‍ ପାଇଁ ଭୁବନେଶ୍ୱର ଉତ୍ସବ ମୁଖର ହୋଇଉଠିଛି। ସହର ହେଉ କି ଗାଁ ସବୁଠାରେ ହକି ମହାକୁମ୍ଭକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା। ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବାକୁ ଥିବା ପ୍ରତିଯୋଗିତା ଲାଗି ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ବିଶ୍ୱ ହକିର ଶ୍ରେଷ୍ଠ ଦଳ। ବିଦେଶୀ ଖେଳାଳିଙ୍କ ଆଗମନ ହକି ବିଶ୍ୱକପର ରୋମାଞ୍ଚକୁ ବୃଦ୍ଧି କରିଛି।
କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେବ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ। ସମୟ ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ଓ ଉତ୍ସାହ ବଢିବାରେ ଲାଗିଛି। ରାଜଧାନୀ ମୁହାଁ ହୋଇଛନ୍ତି ବିଶ୍ୱ ହକିର ଶ୍ରେଷ୍ଠ ଦଳ। ବୁଧବାର ଅଲିମ୍ପିକ୍‍ ଚମ୍ପିଆନ ଆର୍ଜେଣ୍ଟିନା ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ୱରରେ ପାଦ ଦେଇଥିବାବେଳେ ଗୁରୁବାର ଫ୍ରାନ୍ସ ଚୀନ୍‍ ଦଳ ପହଞ୍ଚିଛି। ଅନ୍ୟପକ୍ଷରେ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଶେଷ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମ ନବବଧୂ ବେଶରେ ସଜ୍ଜେଇ ହୋଇଥିବାବେଳେ ହକି ଗ୍ରାଉଣ୍ଡ ଖେଳାଳିଙ୍କ ଆକ୍ସନକୁ ଅପେକ୍ଷା କରିଛି। ସେହିପରି ସହରର ରାସ୍ତାଘାଟ ଯେପରି ବିଦେଶୀ ଖେଳାଳିଙ୍କୁ ଆକର୍ଷଣ କରିବ ସେ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଜୟଦେବ ବିହାରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର, ରାଜଭବନରୁ ରାଜମହଲ ସବୁଆଡେ ହକି ମୟ। ଉଜ୍ଜ୍ୱଳ ଆଲୋକମାଳା ସହିତ ପୋଷ୍ଟର, ବ୍ୟାନର ଓ ଚିତ୍ରକଳାରେ ରାଜଧାନୀ ଝଲସୁଛି। କେବଳ ହକି ଫିବର ଭୁବନେଶ୍ୱରରେ ନୁହେଁ ରୌପ୍ୟ ନଗରୀ କଟକ, ଇସ୍ପାତ ସିଟି ରାଉରକେଲା,ବ୍ରହ୍ମପୁରରୁ ଆରମ୍ଭ କରି ସମ୍ବଲପୁର ସହ ସାରା ଓଡ଼ିଶାରେ ଦେଖିବାକୁ ମିଳିଛି। ଓଡ଼ିଶାରେ ହକି ବିଶ୍ୱକପ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବାବେଳେ ଏଭଳି ଏକ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରୁନାହାନ୍ତି ହକିପ୍ରେମୀ। ହାତ ପାହାନ୍ତାରେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ଷ୍ଟିକ୍‍ ଯାଦୁ ଦେଖିବାର ସୁଯୋଗକୁ ହକିପ୍ରେମୀ ଅପେକ୍ଷା କରିଛନ୍ତି। ଏଥିପାଇଁ ହକିପ୍ରେମୀଙ୍କ ଉତ୍ସାହ ଚରମସୀମାରେ ପହଞ୍ଚିଛି। ଭାରତ ଖେଳିବାକୁ ଥିବା ଲିଗ୍‍ ମ୍ୟାଚ ସମେତ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଟିକଟ କମ୍‍ ସମୟ ମଧ୍ୟରେ ଶେଷ ହୋଇଯିବା ଓ ଉଦ୍‍ଘାଟନୀ ଉତ୍ସବ ଟିକଟ ଲାଗି ନାକେଦମ ହୋଇଥିଲେ ମଧ୍ୟ ଟିକଟ ସଂଗ୍ରହରେ ଅବହେଳା କରିନଥିଲେ। ପ୍ରତିଯୋଗିତାକୁ ଶୃଙ୍ଖଳିତ ପରିଚାଳନା କରିବା ନେଇ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୂରା ସହର ସୁରକ୍ଷା ବଳୟ ମଧ୍ୟରେ ରହିଛି। କଳିଙ୍ଗ ଷ୍ଟାଡ଼ିୟମରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖେଳାଳିମାନେ ରହୁଥିବା ହୋଟେଲରେ ୨୪ ଘଣ୍ଟିଆ ପୁଲିସ ପ୍ରହରା କରାଯାଉଥିବାବେଳେ ନିୟମିତ ଖାଦ୍ୟ ଯାଞ୍ଚ ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଆର୍ଜେଣ୍ଟିନା, ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ, ବେଲଜିୟମ, ସ୍ପେନ, କାନାଡ଼ା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଚୀନ, ଦକ୍ଷିଣଆଫ୍ରିକା, ମାଲେସିଆ, ପାକିସ୍ତାନ ଓ ଆୟରଲାଣ୍ଡ ଦଳ ଅଂଶଗ୍ରହଣ କରୁଛନ୍ତି। ଘରୋଇ ଭାରତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ସହ ୪୨ ବର୍ଷ ପରେ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ଜୋରଦାର ଅଭ୍ୟାସ ଚଲାଇଛି। ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଶାର ହକି ରୋମାଞ୍ଚକୁ ଦ୍ୱିଗୁଣିତ କରିଛନ୍ତି।

Leave A Reply