ଏଫଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍; ସେମିଫାଇନାଲ ଓ ଫାଇନାଲ ପାଇଁ ଟିକଟ ବିକ୍ରି ଆରମ୍ଭ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍ର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି ଆରମ୍ଭ ହୋଇଛି। ଟିକଟ ଉଭୟ ଅନ୍‍ଲାଇନ୍‍ ଓ କାଉଣ୍ଟରରେ ଉପଲବ୍ଧ ହେଉଛି। କାଉଟର ଟିକଟ କଳିଙ୍ଗ ଷ୍ଟାଡ଼ିୟମ ୯ ନମ୍ବର ପ୍ରବେଶ ପଥ ବକ୍ସ ଅଫିସରେ ଉପଲବ୍ଧ ହେଉଛି। ଅନଲାଇନ୍‍ରେ https://in.ticketgenie.in/Sports/FIH-Mens-Series-Finals-Bhubaneswar-Odisha-୨୦୧୯ ୱେବସାଇଟ୍‍ରେ ମଧ୍ୟ ଦର୍ଶକମାନେ ଟିକଟ ବୁକିଂ କରିପାରିବେ। ସେମିଫାଇନାଲ ମ୍ୟାଚ ଲାଗି ଇଷ୍ଟ ଷ୍ଟାଣ୍ଡ ଟିକଟ ମୂଲ୍ୟ ୨୫୦ ଓ ନର୍ଥ ଷ୍ଟାଣ୍ଡ ଟିକଟ ମୂଲ୍ୟ ୧୫୦ଟଙ୍କା ରଖାଯାଇଛି। ପୂର୍ବରୁ ଲିଗ୍‍ ଓ କ୍ରସଓଭର ମ୍ୟାଚ ଲାଗି ଇଷ୍ଟ ଷ୍ଟାଣ୍ଡ ଟିକଟ ମୂଲ୍ୟ ୨୦୦ ଓ ନର୍ଥ ଷ୍ଟାଣ୍ଡ ଟିକଟ ମୂଲ୍ୟ ୧୦୦ଟଙ୍କା ରହିଥିଲା। ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଟିକଟ କଳିଙ୍ଗ ଷ୍ଟାଡ଼ିୟମ କାଉଣ୍ଟର ଓ ଅନ୍‍ଲାଇନ୍‍ ବ୍ୟତୀତ ଭୁବନେଶ୍ୱରର ୧୫ଟି ଆଉଟଲେଟ୍‍ରେ ଉପଲବ୍ଧ ହେବ। ଅନ୍‍ଲାଇନ୍‍ରେ ଟିକଟ ବୁକିଂ କରିିଥିବା ଦର୍ଶକମାନେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅନ୍‍ଲାଇନ୍‍ରେ ବୁକିଂ କରିଥିବା ରସିଦ୍‍ ଦେଖାଇ କଳିଙ୍ଗ ଷ୍ଟାଡ଼ିୟମସ୍ଥ ୪ ନମ୍ବର ପ୍ରବେଶ ପଥ କାଉଣ୍ଟରରୁ ଟିକଟ ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି।ସେହିପରି କଳିଙ୍ଗ ଷ୍ଟାଡ଼ିୟମ କାଉଣ୍ଟରରେ ସକାଳ ୯ଟାରୁୁ ୧୨ଟା ଓ ଅପରାହ୍ଣ ୩ଟାରୁ ରାତି ୭ଟା ପର୍ଯ୍ୟନ୍ତ ଟିକଟ ବିକ୍ରି କରାଯିବାବେଳେ ଆଉଟଲେଟ୍‍ ଗୁଡ଼ିକ ପୂର୍ବାହ୍ନ ୧୦ଟା୩୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକଟ ବିକ୍ରି କରାଯିବ। ୧୪ ତାରିଖରେ ଦୁଇଟି ସେମିଫାଇନାଲ ଓ ୧୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ସୂଚନାଯୋଗ୍ୟ ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍ର ଟିକଟ ବିକ୍ରି ଅର୍ଥ ହକି ଇଣ୍ଡିଆ ପକ୍ଷରୁ ଫଣି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.