କଳିଙ୍ଗ ସୂତାକଳର ପୁନରୁଦ୍ଧାର କେବେ?

୫୨ ଏକର ପ୍ରାଚୀର ଘେରା କାରଖାନା ପାଲଟିଲାଣି ଜଙ୍ଗଲ , ୧୮ ବର୍ଷ ହେଲା ବନ୍ଦ ହୋଇ ରହିଛି

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍‍ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ମୁଖ୍ୟାଳୟରେ ସହରଠାରୁ ୮ କି.ମି. ଦୂରରେ ଗୋବିନ୍ଦପୁର-ତାଳବରକୋଟ ରାସ୍ତାରେ ଜାତୀୟ ରାଜପଥଠାରୁ ୧ କି.ମି. ଦୂରରେ ରହିଛି ରାଜ୍ୟର ଦ୍ୱିତୀୟ ସମବାୟଭିତ୍ତିକ ଗୋବିନ୍ଦପୁର କଳିଙ୍ଗ ସମବାୟ ସୂତାକଳ। ୫୨ ଏକର ପରିମିତ ଜାଗାରେ ୨୫,୦୮୮ କାକୁଡି ବିଶିଷ୍ଟ ଏହି ସୂତାକଳ ତା’ର ପ୍ରାରମ୍ଭିକ ଉତ୍ପାଦନ ୧୯୭୯ ଜାନୁଆରୀ ୨୦ରେ ଆରମ୍ଭ କରି ଏପ୍ରିଲ୍‍ ୬ରୁ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଥିଲା। ଏହା ଗତ ୧୮ ବର୍ଷ ହେଲା ବନ୍ଦ ରହିଛି। ସଂପ୍ରତି କରୋନା ସଂକ୍ରମଣ ରୋକିବାକୁ ଲକ ଡ଼ାଉନ ଯୋଗୁଁ ରାଜ୍ୟକୁ ବିଭିନ୍ନ ଅଞ୍ଚଳରୁ ହଜାରହଜାର ପ୍ରବାସୀ ଶ୍ରମିକ ନିଜ ଗାଁକୁ ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ସୂତାକଳ ପୁନଃ କାର୍ଯ୍ୟକ୍ଷମ କରାଗଲେ ବହୁ ଶ୍ରମିକ ଉପକୃତ ହୋଇପାରନ୍ତେ।
ରାଜ୍ୟ ବୁଣାକାର ସଂଘର ୩୨ଲକ୍ଷ ଟଙ୍କାର ଅଂଶଧନ ଓ କେନ୍ଦ୍ରୀୟ ରିହାତି ବାବଦ ୧୫ଲକ୍ଷ ଟଙ୍କା ସମେତ ୪ କୋଟି ୬୦ଲକ୍ଷ ଟଙ୍କା ଏହି ସୂତା କଳରେ ବିନିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ମଧ୍ୟସ୍ଥତାରେ ଆଇଡିବିଆଇ, ଆଇସିଆଇସିଆଇ ଓ ଆଇଏଫ୍‍ସିଆଇ ବ୍ୟାଙ୍କରୁ ଋଣ ମିଳିଥିଲା। କାର୍ଯ୍ୟକାରୀ ମୂଳଧନ ପାଇଁ ଷ୍ଟେଟ୍‍ ବ୍ୟାଙ୍କର ଢେଙ୍କାନାଳ ଶାଖା ଋଣ ପ୍ରଦାନ କରିଥିଲା। ଏହି ସୂତାକଳରେ ସ୍ଥାନୀୟ ଅଞ୍ଚଳରୁ ଗଡଜାତ ସମୟରେ ସମୃଦ୍ଧ ଲକ୍ଷ୍ମୀପ୍ରସାଦ ବିଶ ଭାବେ ପରିଚିତ ଗୋବିନ୍ଦପୁର, ବଳଦିଆବନ୍ଧ, ନଡିଆଳି, ତାଳବରକୋଟ, ମାଣିପୁର ଓ ସପ୍ତଶଯ୍ୟା ଆଦି ପଞ୍ଚାୟତରୁ ସହସ୍ରାଧିକ ଶ୍ରମିକ ଓ ୨୦୦ରୁ ଊର୍ଦ୍ଧ୍ବ ମହିଳା ଶ୍ରମିକ କାମ କରି ପେଟ ପୋଷୁଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଢେଙ୍କାନାଳ ବିଧାୟିକା ଥିବା ସମୟରେ ତାଙ୍କରି ଉଦ୍ୟମରେ ଏହି ସୂତାକଳର ଶୁଭାରମ୍ଭ ହୋଇଥିଲା ଏବଂ ସଂଖ୍ୟାଧିକ ମହିଳା ଶ୍ରମିକ ଏଠାରେ କାମ କରୁଥିଲେ। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହି ସୂତାକଳ ଯୋଗୁଁ ଶହଶହ ଲୋକଙ୍କର ଜୀବିକା ନିର୍ବାହ ହେଉଥିଲା। ଏଠାରୁ ଉତ୍ପାଦିତ ସୂତାର ମାନ ସର୍ବଭାରତୀୟ ସ୍ତରରେ ଖ୍ୟାତିଲାଭ କରିଥିଲା। ୧୯୭୯ରୁ ୧୯୯୨ ଯାଏ ଏହା ଲାଭରେ ଚାଲିଥିଲା। ପରେ ପରିଚାଳନାଗତ ଅପାରଗତା ଓ ଅବ୍ୟବସ୍ଥା ସାଙ୍ଗକୁ ବାରମ୍ବାର ଶ୍ରମିକ ଧର୍ମଘଟ, ଶ୍ରମିକ ସଂଘରେ ପ୍ରଭାବ ବିସ୍ତାର ପାଇଁ ରାଜନୈତିକ ଦଳାଚକଟା, ବିଦ୍ୟୁତ୍‍ ଦେୟ ବୃଦ୍ଧି, ଉତ୍ପାଦନ ହ୍ରାସ ସାଙ୍ଗକୁ ମଜୁରି ବୃଦ୍ଧି, ଅଯଥା କର୍ମଚାରୀ ସଂଖ୍ୟା ବୃଦ୍ଧି ଓ ଯନ୍ତ୍ରାଂଶ ନବୀକରଣ ନ ହେବାରୁ ସୂତାକଳଟି ରୁଗ୍‍ଣ ହେବାକୁ ଲାଗିଲା। ଶେଷରେ ପରିଚାଳନା ପରିଷଦ ଏହାକୁ କଲକାତାର ଏକ ଘରୋଇ କଂପାନୀ ଜେ.ଜେ. ସ୍ପିନର୍ସ ହାତକୁ ଟେକିଦେଲେ। ୧୯୯୯ର ମହାବାତ୍ୟା ସୂତାକଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। କାରଖାନାର ଛପର ଉଡିଯିବା ସହ ଯନ୍ତ୍ରପାତି ଓ ବିଦ୍ୟୁତ୍‍ ବ୍ୟବସ୍ଥାର ପ୍ରଭୁତ କ୍ଷତି ଘଟିଥିଲା। ବିଦ୍ୟୁତ୍‍ ସରବରାହ ଅଭାବରୁ ୬ମାସ କାଳ ସୂତାକଳ ବନ୍ଦ ହୋଇ ରହିଲା। ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତାକୁ ଆସିବା ପରେ ୨୦୦୦ ମଇ ୨୫ରେ ଗୋବିନ୍ଦପୁରସ୍ଥିତ କଳିଙ୍ଗ ସମବାୟ ସୂତାକଳ ପୁନଃ କାର୍ଯ୍ୟକ୍ଷମ ହେଲା ଏବଂ ଜେ.ଜେ. ସ୍ପିନର୍ସକୁ ବିଦାୟ କରାଯାଇ ମଧ୍ୟପ୍ରଦେଶ ଇନ୍ଦୋରର ମେସର୍ସ ଏମ୍‍.ସି. ତୋଗାଡିଆ ଫାର୍ମକୁ ଏହାର ପରିଚାଳନା ଦାୟିତ୍ୱ ଦିଆଗଲା। ଏହି ସମୟକୁ ସୂୂତାକଳର ଶ୍ରମିକ କର୍ମଚାରୀ ୬ମାସ ଧରି ବେତନ ପାଇ ନ ଥିଲେ। ଉକ୍ତ କଂପାନୀ ଲାଭ ପାଇଁ ନିମ୍ନମାନର ତୂଳା ଯୋଗାଇ ଉଚ୍ଚମାନର ସୂତା ଉତ୍ପାଦନ ହେବା ଚାହିଁଥିଲା। ଏଥିରେ ଯନ୍ତ୍ରାଂଶ ଉପରେ ଅତ୍ୟଧିକ ଚାପ ପଡିଥିଲା ଏବଂ ଅନେକ ଅଚଳ ହେବା ପରେ ତା’ର ନବୀକରଣ କରାଗଲା ନାହିଁ। ଶ୍ରମିକ କର୍ମଚାରୀଙ୍କ ଦରମା ବକେୟା ସହ ବିଦ୍ୟୁତ୍‍ ବିଲ୍‍ ମଧ୍ୟ ବକେୟା ରହିଲା। ୨୦୦୧ରେ ସ୍ୱେଚ୍ଛାକୃତ ଅବସର ଯୋଜନା କାର୍ଯ୍ୟକାରୀ କରାଯିବାରୁ ସଂଖ୍ୟାଧିକ ଶ୍ରମିକ କର୍ମଚାରୀ ଏହାର ସୁଯୋଗ ନେଇ ବିଦା ହୋଇଗଲେ। ବିଦ୍ୟୁତ୍‍ ବିଲ୍‍ ଆଦାୟ ନହେବାରୁ ସେସୁ ପକ୍ଷରୁ ୨୦୦୨ ନଭେମ୍ବରରେ ସୂତାକଳର ସମସ୍ତ ବିଦ୍ୟୁତ୍‍ ସରବରାହ ବ୍ୟବସ୍ଥା ବନ୍ଦକରି ଦିଆଗଲା। ସେବେଠାରୁ ଗତ ୧୮ ବର୍ଷ ଧରି ଏହା ବନ୍ଦ ହୋଇ ପଡିରହିଛି। ଇତିମଧ୍ୟରେ ସୂତାକଳର ଯନ୍ତ୍ରାଂଶ ସବୁ କଳଙ୍କି ଲାଗି ବ୍ୟବହାର ଅନୁପଯୋଗୀ ହେଇପଡିଲାଣି। ଏହା ମଧ୍ୟରେ ଥିବା ପ୍ରାୟ ୧୦୦ଟି ଆବାସିକ ଗୃହ, ଅତିଥି ଭବନ, କ୍ୟାଣ୍ଟିନ୍‍ ଘର, କ୍ରେଚ୍‍ ଓ ସ୍କୁଲ୍‍ ଗୃହ, ସାଇକଲ୍‍ ଷ୍ଟାଣ୍ଡ, ପରିଚାଳନା ନିର୍ଦେଶକଙ୍କ ବଙ୍ଗଳା ଓ କାଳି ମନ୍ଦିର ଆଦି ଦୀର୍ଘ ବର୍ଷର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ନଷ୍ଟହେବାକୁ ବସିଲାଣି।
କରୋନା ସଂକ୍ରମଣ ହେତୁ ଢେଙ୍କାନାଳ ଜିଲାର ୨୮ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଫେରିବାକୁ ପଞ୍ଜିକରଣ କରିଥିବାବେଳେ ଏଯାବତ୍‍ ୮୬୩୬ ଜଣ ଫେରିଆସିଲେଣି। ରାଜ୍ୟରେ ମଧ୍ୟ ଲକ୍ଷାଧିକ ପ୍ରବାସୀ କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ଫେରିଲେଣି। ସେମାନଙ୍କ ନିଯୁକ୍ତି ପରିପ୍ରେକ୍ଷୀରେ କଳିଙ୍ଗ ସୂତାକଳ ସମେତ ରାଜ୍ୟରେ ବନ୍ଦ ପଡିଥିବା ସୂତାକଳଗୁଡିକର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରାଯାଇ ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉ। ରାଜ୍ୟର ବରଗଡ଼, କଟକ ନୂଆପାଟଣା, ଜଗତସିଂହପୁରର ତ୍ରିତୋଲ, ବାଲେଶ୍ୱରର ବାଲିଆପାଳ, ଖୋର୍ଦ୍ଧା, ସୁନ୍ଦରଗଡ, କେସିଙ୍ଗା, ଆସ୍କା, ବାରିପଦା ଓ ସୋନପୁର ଆଦି ସ୍ଥାନରେ ଥିବା ସମସ୍ତ ସୂତାକଳର ପୁନରୁଦ୍ଧାର କରାଗଲେ ସାଂପ୍ରତିକ କୋଭିଡ-୧୯ ପରିସ୍ଥିତିର ମୁକାବିଲା ଓ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମ ନିର୍ଭର ଭାରତ ଯୋଜନା’ ସଫଳ ହୋଇପାରିବ। ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତୁରନ୍ତ ସୂତାକଳଗୁଡିକର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Comments are closed.