ଓଡ଼ିଶା ହେଉଛି କଳା, ସଂସ୍କୃତି ଓ ଐତିହ୍ୟର ରାଜ୍ୟ:ମୁଖ୍ୟମନ୍ତ୍ରୀ

କଳିଙ୍ଗ ଆର୍ଟ ଗ୍ୟାଲେରୀ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ଟି ଆର୍ଟ ଗ୍ୟାଲେରୀ ଉଦଘାଟନ କରିଛନ୍ତି। ରାଜ୍ୟ ସଂଗ୍ରହାଳୟ ପରିସରରେ ଉଦ୍‌ଘାଟିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ହେଉଛି ରାଜ୍ୟର ସର୍ବବୃହତ୍ ଆର୍ଟ ଗ୍ୟାଲେରୀ। ଏହାଛଡ଼ା ଛତ୍ରପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟରେ ୫ଟି ଆର୍ଟ ଗ୍ୟାଲେରୀ ଉଦଘାଟିତ ହୋଇଯାଇଛି। ଓଡ଼ିଶା ଲଳିତ କଳା ଏକାଡେମୀ ସହଭାଗିତାରେ ଏହି ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଛି।
ଆଜି ଭର୍ଚୁଆଲରେ ମୋଡରେ ଆର୍ଟ ଗ୍ୟାଲେରୀ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ହେଉଛି କଳା, ସଂସ୍କୃତି ଓ ଐତିହ୍ୟର ରାଜ୍ୟ। ପେଣ୍ଟିଂ, ହସ୍ତକଳା ଆଦି ହେଉଛି ଆମର ବଡ଼ ପୁଞ୍ଜି। ଆମ କଳାକୃତିର ସଂରକ୍ଷଣ ସହ ସୁରକ୍ଷା ଦିଗରେ ଏ ଆର୍ଟ ଗ୍ୟାଲେରୀ ସହଯୋଗ କରିବ। କଳିଙ୍ଗ ଆର୍ଟ ଗ୍ୟାଲେରୀ ଆମ ରାଜ୍ୟର କଳା ଓ ଶିଳ୍ପୀମାନଙ୍କ ପାଇଁ ଏକ ପାୱାର ହାଉସ୍ ଭଳି କାମ କରିବ। ଶିଳ୍ପୀମାନେ ତାଙ୍କ କଳାକୃତୀର ପ୍ରଦର୍ଶନ ପାଇଁ ବଡ଼ ସୁଯୋଗ ଦେବ। ପର୍ଯ୍ୟଟକମାନେ ମଧ୍ୟ ଆମ ରାଜ୍ୟର କଳା ସଂସ୍କୃତି ବିଷୟରେ ଅଧିକ ଅବଗତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

 

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି)ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିଲେ।

Comments are closed.