ହକି ବିଶ୍ୱକପ୍‍: କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ ମନା; ଗଣମାଧ୍ୟମ ଉପରେ ବି କଟକଣା

0

ଭୁବନେଶ୍ୱର : ସାଧାରଣ ଲୋକଙ୍କ ପରେ ଏବେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବି କଳିଙ୍ଗ ଷ୍ଟାଡ଼ିୟମ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ହକି ବିଶ୍ୱକପ ଆଉ ୧୦୨ ଦିନ ରହିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ହକି ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ବିଭାଗ ଓ କଳିଙ୍ଗ ଷ୍ଟାଡ଼ିୟମ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ପଛରେ କି ରହସ୍ୟ ରହିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛିି।
କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୧୦୨ ଦିନ ପରେ ଚର୍ତୁଦଶତମ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ୧୬ଟି ଦେଶକୁ ନେଇ ଖେଳାଯିବାକୁ ଥିବା ଏହି ହକି ମହାକୁମ୍ଭ ପ୍ରସ୍ତୁତି ଏବେ ଜୋରଦାର ଆଗେଇ ଚାଲିଛି। ପ୍ରତିଯୋଗିତାର ୩ ମାସ ପୂର୍ବରୁ ସାଧାରଣ ଲୋକଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପ୍ରବେଶ କଟକଣା ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଷ୍ଟାଡ଼ିୟମକୁ ସୁରକ୍ଷା ବଳୟ ଭିତରେ ରଖାଯାଇଥିବାବେଳେ ହକି ଇଣ୍ଡିଆ ଓ କ୍ରୀଡ଼ା ବିଭାଗର ବିନା ଅନୁମତି ଓ ପରିଚୟପତ୍ରରେ ପ୍ରବେଶ ନିଷେଧ କରାଯାଇଛି। ଗତ ୨୦୧୭ ଜୁଲାଇରେ କଳିଙ୍ଗ ଷ୍ଟାଡ଼ିୟମରେ ଏସୀୟ ଦୌଡକୁଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ପ୍ରସ୍ତୁତିରେ ବାଧକ ସୃଷ୍ଟି ହେବା ନେଇ ୨୦୧୭ ଜୁନ୍‍ ମାସରୁ ସାଧାରଣ ଲୋକଙ୍କ ଷ୍ଟାଡ଼ିୟମ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। ଫଳରେ ଷ୍ଟାଡ଼ିୟମ ଭିତରକୁ ପ୍ରତିଦିନ ଚାଲିବାକୁ ଓ ଖେଳିବାକୁ ଯାଉଥିବା ସାଧାରଣ ଲୋକମାନେ ଏଥିରୁ ବଞ୍ଚିତ ହୋଇଥିଲେ। ଏସୀୟ ଦୌଡକୁଦ ପ୍ରତିଯୋଗିତା ପରେ ମଧ୍ୟ ଷ୍ଟାଡ଼ିୟମ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିଥିଲା। ବିଶ୍ୱକପ ହକି ପ୍ରତିଯୋଗିତା ଲାଗି ପ୍ରସ୍ତୁତିରେ ବାଧକ ହେବାର ଯୁକ୍ତି ଦର୍ଶାଇ କ୍ରୀଡ଼ା ବିଭାଗ ସାଧାରଣ ଲୋକଙ୍କୁ ଷ୍ଟାଡ଼ିୟମ ଭିତରକୁ ସବୁବେଳେ ପ୍ରବେଶ ନେଇ କଟକଣା ବଳବତ୍ତର ରଖିଥିବା ନେଇ ସଫେଇ ଦେଇଥିଲେ। ଆଉ ମାତ୍ର ୧୦୨ଦିନ ପରେ ବିଶ୍ୱକପ ହକି ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବାରୁ ସାଧାରଣ ଲୋକଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଫଳରେ ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରବେଶ ପତ୍ର ପାଇଥିବା କିଛି କର୍ମଚାରୀ ଓ ଷ୍ଟାଡ଼ିୟମ ଭିତରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରବେଶ ଅନୁମତି ମିଳିଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଷ୍ଟାଡ଼ିୟମ ଭିତରକୁ ପ୍ରବେଶ ଉପରେ ଏଭଳି କଟକଣା ଲାଗୁ କରାଯିବା ପଛରେ କି ରହସ୍ୟ ରହିଛି ତାହାକୁ ନେଇ ପ୍ରଶ୍ନ କରାଯାଇଛି।
ଏ ସମ୍ପର୍କରେ କଳିଙ୍ଗ ଷ୍ଟାଡ଼ିୟମ ତତ୍ତ୍ୱାବଧାରକ ବାରିଜ ରଞ୍ଜନ ମହାନ୍ତି କୁହନ୍ତି, କଳଙ୍ଗ ଷ୍ଟାଡ଼ିୟମ ପ୍ରବେଶ ସର୍ବସାଧାରଣଙ୍କ ଉପରେ ହକି ଇଣ୍ଡିଆର ନିର୍ଦେଶ ପରେ କଟକଣା ଲାଗୁ କରାଯାଇଛି। ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରବେଶ ଉପରେ କଟକଣା କରାଯାଇଛି। ହକି ବିଶ୍ୱକପ ଲାଗି ପ୍ରସ୍ତୁତି କାର୍ଯ୍ୟ ଚାଲିଥିବାରୁ ଏଭଳି କଟକଣା ଲାଗୁ କରାଯାଇଛି। ଷ୍ଟାଡ଼ିୟମରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରବେଶ ନେଇ କେବଳ ଅନୁମତି ମିଳିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply