କାଳୀଚରଣ ମହାରାଜ ଖଜୁରାହୋରୁ ଗିରଫ

ରାୟପୁର : ମହାତ୍ମା ଗାନ୍ଧୀଙ୍କ ପ୍ରତି ସମ୍ମାନହାନିକାରକ ମନ୍ତବ୍ୟ ଦେବା ଏବଂ ତାଙ୍କର ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କର ଭୂୟସୀ ପ୍ରଶଂସା କରିଥିବା ବିବାଦୀୟ ସାଧୁ କାଳୀଚରଣ ମହାରାଜଙ୍କୁ ଛତିଶଗଡ଼ ପୁଲିସ ଗୁରୁବାର ମଧ୍ୟପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଖଜୁରାହୋରୁ ଗିରଫ କରିଛି । ରାୟପୁର ପୁଲିସ ଅଧୀକ୍ଷକ ପ୍ରଶାନ୍ତ ଅଗ୍ରୱାଲ୍‌ କହିଛନ୍ତି ଯେ ଖଜୁରାହୋଠାରୁ ୨୫ କିଲୋମିଟର ଦୂର ବାଗେଶ୍ବର ଧାମସ୍ଥିତ ଏକ ଭଡ଼ାଘରୁ ଗୁରୁବାର ଭୋର୍‌ ୪ଟାରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଧରି ସନ୍ଧ୍ୟାରେ ପୁଲିସ ରାୟପୁରରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ ରାୟପୁର ମହାନଗର ନିଗମର ପୂର୍ବତନ ମେୟର ପ୍ରମୋଦ ଦୁବେ ସ୍ଥାନୀୟ ଟିକ୍ରାପଡ଼ା ଥାନାରେ ମହାରାଜଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଣେରେ ମଧ୍ୟ ତାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ଡିସେମ୍ବର ୨୫, ୨୬ରେ ରାୟପୁଠାରେ ଅନୁଷ୍ଠିତ ଧର୍ମ ସଂସଦରେ ଉଦ୍‌ବୋଧନ ଦେଇ କାଳୀଚରଣ ଅଭିଯୋଗ କରିଥିଲେ ଯେ ସଂଖ୍ୟାଲଘୁମାନେ ରାଜନୀତି ମାଧ୍ୟମରେ ଦେଶକୁ ଅକ୍ତିଆର କରିବା ଉଦ୍ୟମ କରିଥିଲେ। ଗାନ୍ଧୀଙ୍କୁ ହତ୍ୟା କରିଥିବାରୁ ନାଥୁରାମ ଗଡ଼ସେଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ଅପରପକ୍ଷରେ କାଳୀଚରଣଙ୍କୁ ଗିରଫ କରାଯିବାକୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସମାଲୋଚନା କରିଛନ୍ତି।

Comments are closed.