ଚାଷୀଙ୍କୁ ନବୀନଙ୍କ ଚିଠି : ମୁଁ ଆପଣଙ୍କ ସୁଖ ଦୁଃଖରେ ଅଛି

0

ଭୁବନେଶ୍ୱର : କାଳିଆ ଯୋଜନା ପାଇଁ ସହାୟତା ରାଶି ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଚାଷୀଙ୍କ ନିକଟକୁ ଚିଠି ପଠାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଆପଣଙ୍କ ଖୁସିରେ ମୁଁ ଖୁସି। ମୁଁ ଆପଣଙ୍କ ସହ ସୁଖଦୁଃଖରେ ଅଛି। ଜଣେ ବି ଯୋଗ୍ୟ ଚାଷୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନହୁଅନ୍ତି ତା ଉପରେ ମୁଁ ନଜର ରଖିଛି।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୧୯୯୯ ମହାବାତ୍ୟା ଓଡ଼ିଶାକୁ ଛାରଖାର କରି ଦେଇଥିଲା। ଚାଷବାସ ନଷ୍ଟ ହେବା
ସହ ହଜାର ହଜାର ଲୋକ ବେସାହାରା ହୋଇଥିଲେ। ଏପରି ଏକ ପରିସ୍ଥିତିରେ ୨୦୦୦ ମସିହାରେ ବିଜେଡି ସରକାର ଶାସନ ଦାୟିତ୍ବ ନେଇଥିଲା। ଆଗରେ ଥିଲା ଅନେକ ଆହ୍ବାନ। ଆପଣମାନଙ୍କ ସହଯୋଗରେ ଏହାର ମୁକାବିଲା ପାଇଁ ସାହସର ସହ ମୁଁ କାମ କରିଛି। ୨୦୦୦ ମସିହାରେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ବନ୍ୟା ବାତ୍ୟା ସମୟରେ ଲୋକଙ୍କୁ ରିଲିଫ ଦେବାକୁ ଚାଉଳ ନଥିଲା। ଓଡ଼ିଶାକୁ ଚାଉଳ ଯୋଗାଇବା ପାଇଁ ବହୁବାର କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି। ଚାଉଳ ପହଞ୍ଚିବା ପାଇଁ ରେଳ ୱାଗନ ବ୍ୟବସ୍ଥା କରିବାକୁ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ କରୁଥିଲି। ବାହାରୁ ଚାଉଳ ଆସିଲେ ଆମ ଲୋକେ ପାଉଥିଲେ। ଏହା ମୋତେ ବାଧୁଥିଲା। ଓଡିଶାକୁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ମୁଁ ସଙ୍କଳ୍ପ ନେଇଥିଲି। ଫଳରେ ୨୦୦୭ରୁ ପରିସ୍ଥିତି ବଦଳିଥିଲା। ଜଳସେଚନରେ ଉନ୍ନତି, ବୈଷୟିକ ଜ୍ଞାନର ପ୍ରୟୋଗ ଏବଂ ସୁବିଧାରେ ଋଣ ବ୍ୟବସ୍ଥା ଯୋଗୁଁ ପରିସ୍ଥିତିରେ ଉନ୍ନତି ଆସିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଚାଷୀଭାଇଙ୍କ ସହଯୋଗ ଏବଂ ପରିଶ୍ରମ ଯୋଗୁଁ ଓଡ଼ିଶା ଖାଦ୍ୟ ଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସବୁଠାରୁ ଅଧିକ ଚାଉଳ ଓଡ଼ିଶା ଯୋଗାଉଛି। ରାଜ୍ୟର ଚାଷୀଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ଓଡ଼ିଶା ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇଛି। ଏହାର ସବୁ ଶ୍ରେୟ ଆପଣମାନଙ୍କର ବୋଲି ସେ ଲେଖିଛନ୍ତି।
ଗରିବୀ ଆଜି ଓଡ଼ିଶାର ପରିଚୟ ହୋଇ ରହିନାହିଁ। ଗରିବୀ ହ୍ରାସ କରିବା ଦିଗରେ ଓଡ଼ିଶା ସାରା ଦେଶରେ ସବୁଠୁ ଆଗରେ ପହଞ୍ଚିଛି।
ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ସାରାଦେଶରେ ଏହି ଯୋଜନା ଏକ ଆଦର୍ଶ ଯୋଜନା। ଏହା ଗରିବୀ ଦୂର କରିବା କ୍ଷେତ୍ରରେ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ କାମ କରିବ। କାଳିଆ ଯୋଜନାରେ ରାଜ୍ୟର ସବୁ କ୍ଷୁଦ୍ର ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକ ଉପକାର ପାଇବେ। ଜମିର ପରିମାଣ କମ ଥାଉ ବା ବେଶୀ ସହାୟତା ସହିତ ଏହାର କୌଣସି ସମ୍ପର୍କ ନାହିଁ। ଖରିଫ ଓ ରବି ଦୁଇଟି ଫସଲ ଋତୁ ପାଇଁ ଆପଣମାନେ ୫ହଜାର ଟଙ୍କା ଲେଖାଏଁ ପାଇବେ। ବିନା ସୁଧରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଚାଷ କାମ କରିପାରୁନଥିବା ଚାଷୀ ଓ କୃଷି ଶ୍ରମିକଙ୍କ ଜୀବନ ଜୀବିକା ପାଇଁ ୧୨,୫୦୦ଟଙ୍କା ପାଇବେ। ମୁଁ ଆଶା କରୁଛି ଏହି ସହାୟତାକୁ ଆପଣ ଚାଷ କାର୍ଯ୍ୟରେ ଲଗାଇବେ ଏବଂ କୃଷି କ୍ଷେତ୍ରରେ ଓଡ଼ିଶାକୁ ଆହୁରି ଆଗକୁ ନେବେ।

Leave A Reply