ଚତୁର୍ଥ ଦଫା କାଳିଆ ପାଣ୍ଠି ହସ୍ତାନ୍ତର

0

ଭୁବନେଶ୍ବର : ବିଜୁବାବୁଙ୍କ ଜୟନ୍ତୀ ଅବସରରେ ମନ୍ତ୍ରୀ ପରିଷଦର ସ୍ବତନ୍ତ୍ର ବୈଠକ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଦଫା କାଳିଆ ପାଣ୍ଠି ହସ୍ତାନ୍ତର ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ଆଜି ମୁଖ୍ୟମନ୍ତ୍ରୀ ୪ଲକ୍ଷ ୮୦ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ପଠାଇବା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି  । ବୈଠକରେ କାଳିଆ ଯୋଜନା ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ ପୂର୍ବରୁ ୩୦ଲକ୍ଷ ହିତାଧିକାରୀଙ୍କୁ ୧୬୦୦କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ୪.୮୦ଲକ୍ଷ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୨ଲକ୍ଷ ହିତାଧିକାରୀଙ୍କ ଚିଠା ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଆହୁରି ୨୦ଲକ୍ଷ ହିତାଧିକାରୀଙ୍କୁ ମନୋନୀତ କରାଯିବ। ଆସନ୍ତା ମାର୍ଚ୍ଚ ୮ସୁଦ୍ଧା ଚୂଡ଼ାନ୍ତ ଚିଠା ତାଲିକା ପ୍ରକାଶ ପାଇବ।
ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନାକୁ ନିଜେ ମୁଖ୍ୟମନ୍ତ୍ରୀ ତଦାରଖ କରୁଛନ୍ତି। ଏଥିରେ ଭାଗଚାଷୀଠାରୁ ଆରମ୍ଭ କରି ଭୂମିହୀନ, ନାମମାତ୍ର, କ୍ଷୁଦ୍ର ଚାଷୀଙ୍କ ପାଇଁ ସହାୟତାର ବ୍ୟବସ୍ଥ ରହିଛି। ରାଜ୍ୟରେ ଗରିବ ଚାଷୀଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନାରେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପିଏମ-କିଷାନ ଯୋଜନାରେ ନାହିଁ। ସାରା ଭାରତବର୍ଷର କୃଷି ଅର୍ଥନୀତିଜ୍ଞ ଏହାକୁ ପ୍ରଶଂସା କରିଛନ୍ତି।
ରାଜ୍ୟ ସରକାର ଗତ ପାଞ୍ଚ ବର୍ଷ ଭିତରେ ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଥିବାବେଳେ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ଚାଷୀଙ୍କ ଅଭାବୀ ସ୍ଥିତି ଦୂର କରିବା ସହିତ ଗ୍ରାମୀଣ ଅର୍ଥନୀତି ବଦଳାଇବାରେ ସହାୟକ ହୋଇପାରିବ।

Leave A Reply