ଅଭୟାରଣ୍ୟ ଭିତରେ ଚାଲିଛି ଅବାଧ ପଶୁ ଶିକାର

କଳାପଥର: କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶକୁ ନେଇ ୧୯୮୩ ମସିହାରେ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ସେତେବେଳେ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ , ପୃଥିବୀର ବୃହତମ ପ୍ରାଣୀ ହାତୀମାନେ ଯେପରି ଏଣେତେଣେ ବିଚରଣ ନକରିବେ ସେଥିନେଇ ଏକ ପ୍ରକଳ୍ପ ନିର୍ମାଣ କରିବା। କାଳକ୍ରମେ ସରକାର ଏହାକୁ ହସ୍ତୀ ଅଭୟାରଣ୍ୟ ଭାବରେ ଘୋଷଣା କରିଥିଲେ। ତେବେ ଏହି ପ୍ରକଳ୍ପ ଘୋଷଣା ସମୟରେ ବାଙ୍କୀର କେତେକ ଗାଁ ଉକ୍ତ ଅଭୟାରଣ୍ୟ ଭିତରେ ରହିଯାଇଥିଲା। ଯାହାକି ଆଜିପର୍ଯ୍ୟନ୍ତ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇପାରିନାହିଁ। ଘୋଷିତ ପ୍ରକଳ୍ପ ଭିତରେ ୫ ଗୋଟି ଗାଁ ରହିଯାଇଥିବାବେଳେ ସେମାନେ ବିଭିନ୍ନ ସମୟରେ ଜଙ୍ଗଲ ଭିତରେ ପଶି ଅବାଧ ପଶୁପକ୍ଷୀ ଶିକାର ସହିତ ଜାଳେଣିକାଠ ସଂଗ୍ରହ କରି ବଜାରରେ ବିକ୍ରି କରିବା ଏକ ନିତ୍ୟନୈମିତ୍ୟ ଘଟଣାରେ ପରିଣତ ହୋଇପଡ଼ିଛି। ପ୍ରତ୍ୟେହ ଉକ୍ତ ଗ୍ରାମଗୁଡିକର କିଛି ଲୋକ ଜଙ୍ଗଲରୁ କାଠ ସଂଗ୍ରହ କରି ବଜାରରେ ବିକ୍ରି କରିବା ସହିତ ଅବାଧ ପଶୁ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ଅତି ବେଧଡକ ଭାବରେ ଜଙ୍ଗଲି ମାଂସ ବିକ୍ରିବଟା ହେଉଥିବା ଦେଖିବାକୁ ମିଲୁଛି। ଦିବାଲୋକରେ ଏମାନେ ଜଙ୍ଗଲ ଭିତରେ ପ୍ରବେଶ କରି ହରିଣ , ବାରାହା୍, କୁଟ୍ରା ଆଦି ପଶୁ ଶିକାର କରି ଏହାର ମାଂସ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ହେଲେ ବନବିଭାଗ କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ। ଯା ଫଳରେ ଅବାଧ ପଶୁ ଶିକାର ଦିନକୁଦିନ ବୃଦ୍ଧିପାଇବାରେ ଲାଗିଛି। ବିଭିନ୍ନ ସମୟରେ ଏହି ଅଭୟାରଣ୍ୟ ଭିତରେ ରହିଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ ହେଉଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ଫଳପ୍ରସୁ ହୋଇପାରୁନାହିଁ। ଯା ଫଳରେ ପଶୁ ଶିକାର ବଢି ଚାଲିଛି।