ପ୍ରଶାସନ ବାଟବଣା ; ହୁଗୁଳା କଟକଣା,ବଢୁଛି କଳାପଥର ଚୋରି

ଗଡମଧୁପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ, ରାହାଡପୁର, ବିଛାଖଣ୍ଡି, ବାଘୁଆ, କୁସୁନପୁର, ଆରୁହା, ସାହାଣିଡିହ ଆଦି ପାହାଡରେ କଲାପଥର ଚୋରି ବଢିଚାଲିଥିବା ବେଳେ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ବାଟ ଖୋଜି ପାଉନଥିବା ଭଳି ପ୍ରତୀୟମାନ ହେଉଛି। ବାଟବଣା ପଥିକ ପରି ପ୍ରଶାସନ ଗୋଟିଏ ପରେ ଗୋଟିଏ ବାଟ ବାହାର କରୁଥିଲେ ମଧ୍ୟ ପଥର ଚୋରି ବନ୍ଦ ହେବାର ନାଁ ଧରୁନାହିଁ। ଏହି ସବୁ ସୈରାତରୁ ଲଘୁ ଖଣିଜ ଚୋରି ରୋକିବାକୁ ପୂର୍ବରୁ ଅନେକ ଥର ଧାରା ୧୪୪ର ଆଶ୍ରୟ ନେଇଥିଲେ। ଏବେ ୧୪୪ ଧାରା ଲାଗୁ ହୋଇଥିବା ଡଙ୍କାରୀରେ କେତୋଟି ଅନୁମତି ପ୍ରାପ୍ତ କ୍ରସରକୁ ଛାଡିଦେଳେ ଅନେକ ବେଆଇନ ଖାଦାନ ଚାଲିଥିବାର ଦେଖାଯାଉଛି।

ଅନେକ ସମୟରେ ଲକ୍ଷ ଲକ୍ଷ ଟଙ୍କାର ବିନିଯୋଗରେ ଖାଦାନ ସଲଗ୍ନ ରାସ୍ତାକୁ ମେସିନ ମାଧ୍ୟମରେ ତାଡିଦେବା, ରାସ୍ତାରେ କଳାପଥର ପରିବହନ କରୁଥବା ଗାଡିକୁ ଧରି ମୋଟା ଅଙ୍କର ଜୋରିମନା ଆଦାୟ କରିବା ଆଦି ଅନେକ ପଦକ୍ଷେପ ଗ୍ରହଣ କଲାପରେ ଶେଷ ଅସ୍ତ୍ର ସ୍ୱରୁପ ଅଣ୍ଡରପାଶ ଗେଟ କରିବାର ନିଷ୍ପତି ନିଆଯାଇଥିଲା। ଏଥିପାଇଁ ମଧ୍ୟ ଜିଲା ପ୍ରଶାସନର ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ଲୁହାଗେଟ ରାସ୍ତାରେ କରାଯିବା ପରେ ଆଜି ମଧ୍ୟ ଏହି ଗେଟ କାର୍ଯ୍ୟକ୍ଷମ ନୁହେଁ। ଆଗକୁ ଏହା ଆଉ କାର୍ଯ୍ୟକ୍ଷମ ହେବା ଭଳି ପରିସ୍ଥିତି ଅନୁଭୁତ ହେଉନାହିଁ। ବେଆଇନ କଳାପଥର ଚୋରାଚାଲାଣ ଉପରେ ଆଙ୍କୁଶ ଲଗାଇବାକୁ ଯାଇ ତହସିଲ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇ ଖାଦାନକୁ ସଂଯୁକ୍ତ ରାସ୍ତାକୁ ଟ୍ରେଞ୍ଜ ଖୋଳି ଅବରୋଧ କରିବା ଭଳି ପଦକ୍ଷେପ ନିଆଯାଇ ସାରିଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକାମନଙ୍କୁ ସତର୍କ କରାଯାଇଥିଲା। ଏସବୁ କେବଳ ସାମୟିକ ବ୍ୟବସ୍ଥା ଭଳି ପ୍ରତୀୟମାନ ହେଉଥିଲେ ମଧ୍ୟ ପ୍ରଶାସନ ଏହିବାଟ କରି ନିଜର କର୍ତ୍ତବ୍ୟ ସାରି ଦେଇଛି। ଏବେ ଏହି ପଥର ଚୋରି ରୋକିବାକୁ ବେଆଇନ କ୍ରସର ଉଚ୍ଛେଦ ଭଳି ପଦକ୍ଷେପ ନେବାକୁ ହାଇକୋର୍ଟର ନିର୍ଦ୍ଦେଶ ପରେ ପ୍ରଶାସନିକ ଅଧିକାରୀ ମାନେ ସେହି କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ସାଧାରଣରେ ସନ୍ଦେହ ଘନିଭୁତ ହୋଇଛି।

ବେଆଇନ କ୍ରସର ଉଚ୍ଛେଦ କରିବାକୁ ଯାଇ ପ୍ରଶାସନ କେତେକ କ୍ରସରକୁ ଭାଙ୍ଗିଦେବା ସହିତ କେତେଗୁଡିଏକୁ ସିଲ କରିଛି। ତେବେ ଦେଖାଯାଉଛି ଏବେ ମଧ୍ୟ ଅନେକ କ୍ରସର ବିନା ଅନୁମତି ଓ ବିନା ପରିବେଶ ମଞ୍ଜୁରୀରେ ଚାଲିଥିଲେ ହେଁ ପ୍ରଶାସନ ଅଣଦେଖା କରିଦେଇଛି। ବିଛାଖଣ୍ଡିରେ ଅନେକ ଗୁଡିଏ କ୍ରସରକୁ ସିଲ କରିଥିବା ବେଳେ କିଛି କ୍ରସର ଏବେ ମଧ୍ୟ ଚାଲୁଥିବାର ଅଭିଯୋଗ ହୋଇଛି। ସେହିପରି ରାହାଡପୁର ମୌଜାରେ ଏକ କ୍ରସର ବିନା ଏନଓସିରେ ଚାଲିଛି। ଆହୁରି ଅନେକ ଗୁଡିଏ କ୍ରସର ଏନଓସି ପାଇବାକୁ ଅଯୋଗ୍ୟ ହୋଇଥିଲେ ହେଁ ସେଗୁଡିକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ ଯୋଗ୍ୟ ବିବେଚିତ କରାଯାଇଛି। ଯାହାକି ଏବେ ଜଳ ଜଳ ଦିଶୁଛି। ବିଶେଷ ଭାବରେ ଏହି ସବୁ କ୍ରସରକୁ ଏନଓସି ଦେବା ବେଳେ ସବୁ ପ୍ରକାର ଆଇନ କାନୁନକୁ ପାଦରେ ଦଳି ମକଚି ଦିଆଯାଇଛି। ଏବେ ମଧ୍ୟ ଅନେକ କ୍ରସର ଏନଓସି ପାଇବାକୁ ଲମ୍ବାଧାଡିରେ ରହିଥିବା ବେଳେ ସେହି କ୍ରସର ମାଲିକମାନେ ୩୦% ଏନଓସି ପାଇବାର ଧାର୍ଯ୍ୟ ସୀମାରେଖାକୁ ଛୁଇବାକୁ ଅକ୍ଷମ। ତେବେ ସେମାନେ କଳାଟଙ୍କାର ଆଶ୍ରୟ ନେଇ ଏନଓସି ପାଇବାକୁ ଅଣ୍ଟାଭିଡିଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଏପରିକି ସିଲ ହୋଇଯିବା ଭୟରେ ଅନେକ ମେଗା କ୍ରସର ମାଲିକ ଅଯୋଗ୍ୟ ହୋଇମଧ୍ୟ ଏନଓସି ପ୍ରୋସେସିଙ୍ଗ ରହିବା ପାଇଁ ଆପ୍ରାଣ ଉଦ୍ୟମ କରି ଧରାଧରି କରି ସେଥିରେ ସକ୍ଷମ ହୋଇଛନ୍ତି। ଅପର ପକ୍ଷେ ପ୍ରଶାସନ ନିଜର ପାରିବା ପଣିଆ ଦେଖାଇବାକୁ ଯାଇ ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ଅନେକ କ୍ରସରକୁ ଭାଙ୍ଗିଦେବା ସହିତ ସିଲ କରିଛି। ଯାହାକି କିଛି କ୍ରସର ମାଲିକ ଅଭିଯୋଗ କରିଛନ୍ତି।

ପାହାଡ କୋଳରେ ଥିବା କ୍ରସର ଗୁଡିକ ଚାଲିବା ପାଇଁ ଦୈନିକ ଶହ ଶହ ହାଇୱା କଳାପଥର ଆବଶ୍ୟକତାକୁ ପୁରା କରିବା ପାଇଁ ମାଫିଆମାନେ ଏହି ସୈରାତରୁ ପ୍ରଶାସନକୁ ଆଖିଠାର ମାରି ଶହ ଶହ ଟ୍ରିପ ଲୁଟ କରୁଛନ୍ତି। ଏହି ଲୁଟ ପଛରେ ଲିଜଧାରି ମୂଖ୍ୟ ଭୁମିକା ତୁଲାଇଛନ୍ତି। ଲିଜଧାରି ଏବେ ସ୍ୱଳ୍ପ ସଂଖ୍ୟକ ଆର ଫର୍ମରେ ଅନେକ ସଂଖ୍ୟାର ହାଇୱା ମାଲ ଉଠାଇ ସୈରାତକୁ ଖୋଳ କରିବାରେ ଲାଗିଛନ୍ତି। ଯାହାକି ପ୍ରଶାସନର ନଜର ଆଢୁଆଳରେ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଆନ୍ତରିକତାର ଅଭାବରେ ପ୍ରଶାସନ ଏବେ ପଥର ଚୋରି ରୋକିବାରେ ବାଟବଣା ହୋଇଯାଇଥିବା ବେଳେ ମାଫିଆ ରାଜନୈତିକ ଓ ପ୍ରଶାସନିକ ଛତ୍ର ଛାୟା ତଳେ ବେଶ ଶକ୍ତିଶାଳୀ ମନେହେଉଛନ୍ତି। ପଥର ଚୋରି ରୋକିବାରେ ପ୍ରଶାସନର ଭୁମିକା ଏବେ ସନ୍ଦେହ ଘେରରେ ରହିଥିବା ବେଳେ ମୋ ସରକାର ଏହା ଉପରେ ପଦକ୍ଷେପ ନେବେ କି?

Comments are closed.