ପ୍ରଥମ ଦିନର ରେକର୍ଡ଼ ଆୟ ପରେ କମିଲା ‘କଲଙ୍କ’ର ଯାଦୁ

ମୁମ୍ବଇ : କରଣ ଜୋହରଙ୍କ ପ୍ରଯୋଜିତ ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କଲଙ୍କ’ ପ୍ରଥମ ଦିନରେ ରେକର୍ଡ଼ ଆୟ କରିବା ପରେ ଦ୍ୱିତୀୟ ଦିନ ଆୟରେ ହ୍ରାସ ପରିଲକ୍ଷିତ ହୋଇଛି। ଚଳଚ୍ଚିତ୍ର ପ୍ରଥମ ଦିନରେ ୨୧.୬୦ କୋଟି ଟଙ୍କା ଆୟ କରିଥିଲା। ଯଦ୍ୱାରା ଏହା ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷର ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ମାତ୍ର ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ପ୍ରାୟ ୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ତେବେ ୨ ଦିନରେ ‘କଲଙ୍କ’ର ମୋଟ୍‍ ଆୟ ପ୍ରାୟ ୩୧.୬ କୋଟି ରହିଛି।

 

ପ୍ରକାଶଯୋଗ୍ୟ, ଚଳଚ୍ଚିତ୍ରକୁ ସମୀକ୍ଷକମାନଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ହେଲେ କେତେକ ସମୀକ୍ଷକ ଏହାକୁ ଖରାପ ରେଟିଂ ମଧ୍ୟ ଦେଇଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଦିନର ବ୍ୟବସାୟକୁ ଭିତ୍ତି କରି ଆଶା କରାଯାଉଥିଲା ଯେ ଖୁବଶୀଘ୍ର ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ। ମାତ୍ର ଏବେ ଅନୁମାନ କରାଯାଉଛି ନକରାତ୍ମକ ବାକ୍‍ ପ୍ରଚାରର ପ୍ରଭାବ ପଡ଼ି ଚଳଚ୍ଚିତ୍ରର ବ୍ୟବସାୟରେ କ୍ଷତି ପହଞ୍ଚିପାରେ।

ସୂଚନା ଅନୁସାରେ, ‘କଲଙ୍କ’ ଆଲିୟା ଓ ବରୁଣ ଧାୱନଙ୍କ କ୍ୟାରିୟରର ଏପର୍ଯ୍ୟନ୍ତ ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ଚଳିତ ବର୍ଷ ଏହା ପୂର୍ବରୁ କରଣ ଜୋହରଙ୍କ ପ୍ରଯୋଜିତ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେସରୀ’ ପ୍ରଥମ ଦିନରେ ୨୧.୦୬ କୋଟି ଟଙ୍କା ଆୟ କରି ଏହି ରେକର୍ଡ଼ ହାସଲ କରିଥିଲା।

ଉଲ୍ଲେଖଯୋଗ୍ୟ, ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବରୁଣ ଓ ଆଲିୟାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରୟ କପୁର ଓ ସୋନାକ୍ଷୀ ସିହ୍ନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.