କଲରାପତରିଆ ବାଘର ଆକ୍ରମଣରେ ୧୪ ଛେଳି ମୃତ ୯ ନିଖୋଜ

0

କଲମପୁର : ଗତ ମଙ୍ଗଳବାର ଅପରାହ୍ନରେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଭାଲୁ ଘାଟିକୁ ଚରିବାକୁ ଯାଇଥିବା ୨୩ ଗୋଟି ଛେଳି ବନ୍ୟ ଜନ୍ତୁର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହେଇଥିଲା। ଏହି ୨୩ ଗୋଟି ଛେଳି ମଧ୍ୟରୁ ୧୪ ଗୋଟି ଛେଳିର ମୃତ ଦେହ ମିଳିନଥିବା ବେଳେ ଅନ୍ୟ ୯ ଗୋଟି ଛେଳି ଏବେ ମଧ୍ୟ ନିଖୋଜ ଥିବା ଗ୍ରାମବାସୀ ଓ ତଦନ୍ତ ଦାୟିତ୍ୱରେ ଥିବା ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ଭାଲୁ ଘାଟି ଉପର ମୁଣ୍ଡରେ ରହୁଥିବା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ପୋଇ ଗୁଡା ଗ୍ରାମର ୩ ଜଣ ୧୨ /୧୩ ବର୍ଷିୟ ବାଳିକା ନିଜ ତଥା ପଡୋଶୀଙ୍କ ଛେଳିକୁ ଜଙ୍ଗଲକୁ ଚରାଇବାକୁ ନେଇଥିଲେ। ହଠାତ ଏକ କଲରାପତରିଆ ବାଘ ଓ ଦୁଇଟି ଶାବକ ସହ ଆସି କିଛି ଛେଳିକୁ ଆକ୍ରମଣ କରିଥିଲା। ନାଁ ବାଳିକା ମାନେ ଏହି ଦୃଶ୍ୟ ଦେଖି ଭୟଭିତ ହେଇ ଘରକୁ ପଳାଇଯିବା ସହ ଘର ଲୋକଙ୍କୁ ସୂଚନାଦେଇଥିଲେ। ଘର ଲୋକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅନ୍ଧାରିଆ ହେଇଯାଇଥିବାରୁ ଜଙ୍ଗଲ ଭିତରକୁ ଯିବା ବିପଦ ଥିବାରୁ ଫେରି ଆସିଥିଲେ। ବୁଧବାର ସକାଳେ ପୁଣି ଛେଳି ଖୋଜିବାକୁ ଗଲା ବେଳକୁ ୧୪ ଗୋଟି ଛେଳିର ମୃତ ଦେହ ଏଣେ ତେଣେ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହି ଖବର ପାଇବା ପରେ ତୁରନ୍ତ ଥୁଆମଉଳ ରାମପୁର ବନପାଳ ସୌରେନ୍ଦ୍ରୀ ବାଗଙ୍କ ନେତୃତ୍ୱରେ କଲମପୁର ବନପାଳ ଭୁବନେଶ୍ୱର ବେହେରା, ଉପ ବନାଂଚଳ ୍‍ଅଧିକାରୀ ଆତ୍ମା ରାମ ମହାନନ୍ଦ, ବନରକ୍ଷ ଶ୍ରୀନିବାସ ବାଣୁଆ, ବ୍ରଜ ସୁନ୍ଦର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଘଟଣାର ତଦନ୍ତ କରିଥିଲେ। ଏହାସହ ବନ୍ୟ ଜନ୍ତୁର ସୁରାକ ଓ ଚିହ୍ନଟ ପାଇଁ ସେହି ଅଞ୍ଚଳରେ ରାତ୍ରିଯାପନ କଲେ। ଗୁରୁବାର ସକାଳେ ସମସ୍ତ ମତ ଛେଳିର ଶବକୁ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଅମିତ ରଞ୍ଜନ ସାହୁ ବ୍ୟବଚ୍ଛେଦ କରିଥିଲେ। ପରେ ଗ୍ରାମବାସୀ ଓ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ମୃତ ଛେଳି ସବୁକୁ ପୋତି ଦେଇଥିଲେ। ଏହାପରେ ବନ ବିଭାଗ ତରଫରୁ ଅଜଣା ଜନ୍ତୁର ସନ୍ଧାନ କରାଯାଇ ପାଦ ଚିହ୍ନ ଚିହ୍ନଟ କରାଯାଇଥିଲା। ପାଦ ଚିହ୍ନରୁ ଏକ ମାଇ କଲରାପତରିଆ ବାଗ ଓ ତାର ଦୁଇଟି ଶାବକ ଥିବା ବନ ବିଭାଗ ସୂଚନା ଦେଇଥିଲେ। ଏହି ବାଘୁଣୀଟି ନିଜ ଶାବକଙ୍କୁ ଶିକାର ଶିଖାଇବା ଉଦ୍ଦେଶ୍ୟରେ ଏତେ ସଂଖ୍‍୍ୟକ ଛେଳିକୁ ଆକ୍ରମଣ କରିଥିବା ବନ ବିଭାଗ କର୍ମଚାରୀ ଅନୁମାନ କରୁଛନ୍ତି। ଏନେଇ ଥୁଆମଉଲ ରାମପୁର ବନ ପାଲ ଶ୍ରୀମତୀ ବାଗଙ୍କ ସହ ଯୋଗାଯୋଗ କରାଯିବା ପରେ ବାଘୁଣୀ ଓ ତାର ଶାବକଙ୍କ ଆକ୍ରମଣରେ ଛେଲି ମୃତ୍ୟୁ ବରଣ କରିଛି। କ୍ଷତିଗ୍ରସ୍ତ ଲୋକଙ୍କୁ ବନ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ସେମାନଙ୍କ ଠାରୁ ଅଭିଯୋଗ ପାଇବା ପରେ ସରକାରଙ୍କ କ୍ଷୟ କ୍ଷତି ଜନିତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

Leave A Reply