ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ୧୧୮ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

0

କଲମପୁର : କଲମପୁର ବ୍ଲକ ଅଧିନସ୍ତ ଚୁରାଗାଁ ସ୍ଥିତ ପ୍ରିୟ ଦର୍ଶିନୀ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଯାଇଛି। ଏଥିରେ ବ୍ଲକର ୧୦ ଗୋଟି ହାଇସ୍କୁଲ, ୫୯ଟି ପ୍ରାଥମିକ ବିଦ୍ୟାଳୟ, ୨ଟି ସରସ୍ୱତୀ ଶିଶୁ ମନ୍ଦିର ଓ ଗୋଟିଏ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ସେମାନଙ୍କ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳକୃଷ୍ଣ ମିଶ୍ରଙ୍କ ଉପସ୍ତିତିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବିନ ଚନ୍ଦ୍ର ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ପତାକା ଉତ୍ତୋଳନ କରି ମେଳାର ଶୁଭ ଉଦ୍‍ଘାଟନ କରିଥିଲେ। ଏଥିରେ ବରିଷ୍ଠ ବିଭାଗରୁ ୩୨ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିବା ବେଳେ କନିଷ୍ଠ ବର୍ଗରୁ ୫୭ ଓ ସର୍ବ କନିଷ୍ଠ ବର୍ଗରୁ ୨୯ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଏହି ସମସ୍ତ ପ୍ରକଳ୍ପ ମଧ୍ୟରୁ ବରିଷ୍ଠ ବିଭାଗର ଚୁରାଗାଁ ପ୍ରିୟ ଦର୍ଶନୀ ଇନ୍ଦିରା ଉଚ୍ଚ ବିଦ୍ୟାପୀଠର ଛାତ୍ର ରୋହିତ ରାଉତଙ୍କ ସାଇକଲ ଚାଳିତ ଷ୍ପ୍ରେୟର, କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ନିଖିଳ ନିଆଲଙ୍କ ଟ୍ରାଫିକ ନିୟନ୍ତ୍ରଣର ଯାନ୍ତ୍ରୀକ ସୂତ୍ର, ବିଜମରା ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ଛାତ୍ର ଟଙ୍କଧର ଶବରଙ୍କ ଇକୋ ଫ୍ରେଣ୍ଡଲି ଫାର୍ମ ଓ କଲମପୁର ଦୁର୍ଗାମାଧବ ହାଇସ୍କୁଲର ଛାତ୍ରୀ ତୃପ୍ତିରେଖା ନାଏକଙ୍କ କୁଶଳୀ ଗ୍ରାମ ପ୍ରକଳ୍ପ ଜିଲା ବିଜ୍ଞାନ ମେଳାରେ ଅଂଶଗ୍ରହଣ ପାଇଁ ମନୋନୀତ ହେଇଥିବା ବେଳେ କନିଷ୍ଠ ବିଭାଗରୁ କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶୁଭଙ୍କର ସାହୁ, ପୋଟେସ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ର ନିତେସ ପ୍ରଧାନୀ ଓ ମିନଗୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଛାତ୍ର ତାପସ କୁମାର ମାଝୀଙ୍କ ପ୍ରକଳ୍ପ ଜିଲା ବିଜ୍ଞାନମେଳାରେ ଯୋଗ ଦେବା ପାଇଁ ମନୋନିତ ହୋଇଛି। ସର୍ବ କନିଷ୍ଠ ବିଭାଗରୁ କଲମପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ମୋହିତ କୁମାର ମେହେର, ବଡକୁଟୃ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶୁଭମ ମହାରଣା ଓ ଦୁଲକିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅଙ୍କିତା ନାଏକଙ୍କ ବିଜ୍ଞାନ ପ୍ରକଳ୍ପ ଓ ସେହି ପ୍ରକଳ୍ପର କୁନି ବିଜ୍ଞାନୀଙ୍କୁ ଜିଲା ପରିଷଦ ସଭ୍ୟ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂରସ୍କାର ବିତରଣୀ ସମାରୋହରେ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମସାଗର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ସୁନ୍ଦର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ବାଞ୍ଛାନିଧି ପଣ୍ଡା, ହାରାମାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ କାଳି ପ୍ରସାଦ ମିଶ୍ର, ଚୁରାଗାଁ ପ୍ରିୟଦର୍ଶିନୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶତୃଘନ ହରିଜନ, ସାଧନକେନ୍ଦ୍ର ସଂଯୋଜକ ନାରାୟଣ ଚନ୍ଦ୍ର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଡକୁଟୃ ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଭାତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଚୁରାଗାଁ ପ୍ରିୟ ଦର୍ଶନୀ ଇନ୍ଦିରା ହାଇସ୍କୁଲର ଶିକ୍ଷକ ରମା ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply