ଅପହଞ୍ଚ ଇଲାକାର କରୁଣ କାହାଣୀ ,ରାସ୍ତା ନାହିଁ କି ପୋଲ ନାହିଁ -ଖଟିଆରେ ବୁହା ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଗଲେ ପ୍ରସୁତୀ

କଲମପୁର – ଗାଁକୁ ଯିବା ପାଇଁ ନାହିଁ ରାସ୍ତା ଅଥବା ଗାଁ ନିକଟରେ ନାଳ ଉପରେ ନାହିଁ ପୋଲର ବ୍ୟବସ୍ଥା । ତେଣୁ ଗାଁ କୁ ପହଞ୍ଚି ପାରେ ନାହିଁ ଆମ୍ବୁଲାନ୍ସ କି ଅନ୍ୟ କିଛି ଗାଡି । ରୋଗ ବୈରାଗ ସମୟରେ ଖଟିଆ ହିଁ ଲୋକଙ୍କ ଭରସା । ବର୍ଷା ସମୟରେ ଭରା ନାଳରେ ଖଟିଆରେ ରୋଗୀ ଅଥବା ଗର୍ଭବତୀଙ୍କୁ ପାର କରାଯାଏ । ଏଭଳି ସ୍ଥିତିରେ ଜଣେ ଜନନୀଙ୍କ ଯନ୍ତ୍ରଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଅଗମ୍ୟ ଅଂଚଳ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଲଝାପି ପଞ୍ଚାୟତ ଅନ୍ତର୍ଗତ ଖମନପଡା ଗାଁରେ । ଗାଁର ପୁରୁଷୋତମ ଗୌଡଙ୍କ ପତ୍ନୀ ସୁମନୀଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ପରିବାର ଲୋକ । କିନ୍ତୁ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବା ବେଳେ ଗାଁ ନିକଟରେ ପ୍ରବାହିତ ବାଲିଜୋରି ନାଳରେ ମଧ୍ୟ ପୋଲର ବ୍ୟବସ୍ଥା ନଥିବାରୁ ପରିବାର ଲୋକ ପ୍ରାୟ ୩ କିଲୋମିଟର ଗର୍ଭବତୀଙ୍କୁ ଏକ ଖଟିଆରେ ବୋହି ଥୁଆମୁଳ ରାମପୁର କାଶିପୁର ମୁଖ୍ୟ ରାସ୍ତାର ଇନ୍ଦ୍ରାବତୀ ନଦୀ ପୋଲ ନିକଟକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇଥିଲେ ।

ସୁଚନାଯୋଗ୍ୟ ଯେ, ସ୍ୱାଧିନତାର ଦୀର୍ଘ ୭ ଦଶନ୍ଧି ବିତି ସାରିଥିଲେ ମଧ୍ୟ ଖମନାପଡା ଭଳି ଅନେକ ଅଗମ୍ୟ ଅଂଚଳ ରହିଛି ଯେଉଁଠିକୁ ଗମନା ଗମନ ପାଇଁ ରାସ୍ତା ଅଥବା ପୋଲର ବ୍ୟବସ୍ଥା ନଥିବାରୁ ଲୋକେ ଦୁର୍ବିସହ ଜୀବନ ବିତାନ୍ତି । ଖମନପଡା ଗାଁର ଉଭୟ ପଟରେ ରହିଛି ଇନ୍ଦ୍ରାବତୀ ନଦୀ ଓ ବାଲିଜୋରି ନାଳ । ତଲଝାପି ଗ୍ରାମ ଠାରେ ଥିବା ପଂଚାୟତ ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗ ପାଇଁ ରାସ୍ତା ନଥିବାରୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଇଥାଆନ୍ତି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ । ବର୍ଷାରାତିରେ କୌଣସି ଲୋକ ରୋଗ ବଇରାଗର ଶିକାର ହେଲେ ଅବା କୌଣସି ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟହେଲେ ଭରସା କେବଳ ଭଗବାନ ।
ଖଟିଆରେ ଡାକ୍ତରଖାନାକୁ ନିଆଯାଇଥିବା ସୁମନୀ ଏକ ଶିଶୁ ପୂତ୍ରକୁ ପ୍ରସବ କରିଥିବା ବେଳେ ପୁଣି ଏବେ ବିପଦ ଜନକ ଅବସ୍ଥାରେ ଖଟିଆରେ ବୁହା ହେଇ ୩ କିଲୋମିଟର ରାସ୍ତା ଓ ପାଣିରେ ଭରି ରହିଥିବା ନାଳ ପାର ହେଇ ନିଜ ଘର କୁ ଫେରିବ ବୋଲି ସୂଚନା ମିଳିଛି । ବିକାଶର ନାରା ଦେଉଥିବା ସରକାର ଓ ପ୍ରଶାସନ କେବେ ଏହି ଗାଁର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବେ ? ତାହା ଦେଖିବାକୁ ବାକି ରହିଲା ।

Comments are closed.