ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ଦାବି କଲା କଲମପୁର ବିଜୁ ଜନତା ଦଳ

କଲମପୁର: ନିୟନ୍ତ୍ରୀତ ହେଉନାହିଁ ଦରଦାମ ବୃଦ୍ଧି। ମୁଖ୍ୟତଃ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଭଳି ପେଟ୍ରୋଲିଅମ ସାମଗ୍ରୀ ର ଦର ବୃଦ୍ଧି କାରଣରୁ ଖାଉଟୀ ଉପରେ ମହଙ୍ଗା ମାଡ ହେଉଛି। କେନ୍ଦ୍ର ସରକାର ଏହି ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ଦିନକୁ ଦିନ ମହଙ୍ଗା ମାଡରେ ଅସହାୟ ହେଉଛନ୍ତି ନିରୀହ ଖାଉଟୀ।

ତେଣୁ ଦରଦାମ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଦାବୀ କରିଛି ରାଜ୍ୟ ବିଜୁ ଜନତା ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନ। ରାଜ୍ୟ ସଂଗଠନର ଡାକରାରେ ବୁଧବାର କଲମପୁର ବ୍ଲକ ମହିଳା ସଂଗଠନର ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ଯୁବ ସଂଗଠନର ସଭାପତି ମନୋଜ କୁମାର ନାଏକ, ଛାତ୍ର ସଂଗଠନର ମୁକେଶ କୁମାର ପାତ୍ରଙ୍କ ନେତୃତ୍ୱରେ ବହୁ ବିଜୁ ଜନତା ଦଳର କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ କଲମପୁର ସହର ପରିକ୍ରମା କରିବା ସହ ମୁଖ୍ୟ ବଜାର ଠାରେ ଥିବା ମଂଚରେ ବ୍ଲକ ବିଜୁ ଜନତା ଦଳର ସଭାପତି ନବିନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଧର୍ମଗଡ ବିଧାୟକ ମୌଷଧି ବାଗ, ବରିଷ୍ଠ ନେତା ଚନ୍ଦ୍ରମଣି ନିଆଲ, ବ୍ରଜ ମୋହନ ଠାକୁର, ମନୋରଞ୍ଜନ ମୁଣ୍ଡ, କୁଞ୍ଜବିହାରୀ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିବାଦ ସଭା ପରେ ପୁଣି ଏକ ଶୋଭାଯାତ୍ରାରେ କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଆୟୋଜିତ ପ୍ରତିବାଦ ମଣ୍ଡପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦରଦାମ ନିୟନ୍ତ୍ରଣ କରାଯାଇ ପାରୁନଥିବାରୁ ସମାଲୋଚନା କରିଥିଲେ।

Comments are closed.