ଲାଗି ରହିଛି ଅଦିନିଆ ବର୍ଷା, ଚାଷୀ ଆଖିରୁ ଝରୁଛି ଲୁହ

କଲମପୁର: ଏବେ ଧାନ ଅମଳର ସମୟ। କେତେ ଆଶା ନେଇ ଚାଷୀ ଚାଷ କରିଥିଲେ। ଅମଳ ବେଳକୁ ଏବେ ଦାଉ ସାଧୁଛି ଅଦିନିଆ ବର୍ଷା। ସ୍ୱଳ୍ପ ବୃଷ୍ଟି ପାତ ସମେତ କେନାଲ ଜଳ ସେଚନରେ ଅନିୟମିତତା, ରୋଗ ପୋକର ପ୍ରଭାବ, ସାର ଓ କୀଟନାଶକର ଆକାଶ ଛୁଆଁ ମୂଲ୍ୟବୃଦ୍ଧି, ଶ୍ରମିକ ଅଭାବ ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀ ଚାଷ କରିଥିଲେ। ଆଶା ଥିଲା ଚାଷ ଅମଳ କରି ନିଜ ପରିବାର ପ୍ରତିପୋଷଣ କରିବେ। କିଏ କିଏ ଭାବିଥିଲେ ଚାଷ ଅମଳରୁ କିଛି ରୋଜଗାର ହେଲେ ନିଜ ପୁଅ ଅଥବା ଝିଅର ବିବାହ କରିବେ। କିନ୍ତୁ ଏବେ ଅଦିନିଆ ବର୍ଷା ଯୋଗୁଁ ଚାଷ ନଷ୍ଟ ହେଉଥିବାରୁ ଚାଷୀଙ୍କ ସେହି ଆଶା ମଉଳିବାରେ ଲାଗିଛି। ଏବେ ଚାଷୀଙ୍କୁ ବ୍ୟାଙ୍କ, ବିଭିନ୍ନ ସଂସ୍ଥା ଓ ଦୋକାନୀଙ୍କ ଠାରୁ ଧାର ଉଧାର କରି ଚାଷ କରିଥିବା ଚାଷୀ କିଭଳି ପରିଶୋଧ କରିବେ, କେମିତି ନିଜ ପରିବାର ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ଚିନ୍ତିତ। ମାତ୍ର ୫ରୁ ୧୦ ପ୍ରତିଶତ ଚାଷୀ ଧାନ ଅମଳ କରିଛନ୍ତି। କିନ୍ତୁ ସେହି ସବୁ ଧାନ ମଧ୍ୟ ମଣ୍ଡି ଖୋଲିନଥିବାରୁ ଖଳା ସବୁରେ ପଡି ରହି ଅଦିନିଆ ବର୍ଷାରେ ଭିଜୁଛି।

ଗତ ୧୫ ଦିନ ତଳେ ବର୍ଷା ଓ ପବନ ର ପ୍ରଭାବରେ ଧାନ ଗଛ ସବୁ ଜମି ମାଟିରେ ଶୋଇ ପଡିଥିଲା। କିଛି ଚାଷୀ ସେହି ପଡିଯାଇଥିବା ଧାନକୁ ସୁରକ୍ଷା ଦେବା ପାଇଁ ବିଡା ବିଡା ବାନ୍ଧି ଉଠାଇଥିଲେ। କିନ୍ତୁ ପରବର୍ତି ସମୟରେ ପୁଣି ବର୍ଷା ମାଡ ଓ ପବନ ପ୍ରଭାବ ଯୋଗୁଁ ସେହି ସବୁ ଧାନ ପୁଣି ମାଟିରେ ଲୋଟିଗଲା। ବର୍ତମାନ ବର୍ଷା ପାଣି ଧାନ ଉପରେ ଜମି ରହିବା ଯୋଗୁଁ କେଉଁଠି ଧାନ ଗଜା ହେଲାଣି ତ କେଉଁଠି ଧାନ ସବୁ ପଚି ନଷ୍ଟ ହେବାରେ ଲାଗିଛି। ବର୍ତମାନ ମଧ୍ୟ ମେଘୁଆ ପାଗ ଲାଗି ରହିଛି। ଯେଉଁଥିପାଇଁ ଧାନ ଅମଳ କରିବା ସମ୍ଭବ ହେଉ ନାହିଁ। ଗୋଟିଏ ପଟେ ଅଦିନିଆ ବର୍ଷୁଥିବା ବେଳେ ଅନ୍ୟପଟେ ଚାଷୀ ଲୁହ ଝରାଉଛି। ଏମିତି ପ୍ରତିବର୍ଷ କେତେବେଳେ ରୋଗ ପୋକର ପ୍ରଭାବ ତ କେତେବେଳେ ଅଦିନିଆ ବର୍ଷାର ପ୍ରଭାବ ପାଇଁ ଚାଷୀ ର ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି। ଯେଉଁଥିପାଇଁ ଅସହାୟ ହେଉଛି ଚାଷୀ। ସବୁ ଜଞ୍ଜଳରୁ ମୁକ୍ତି ପାଇଁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛି। ସରକାର କୃଷି ଓ କୃଷକ ସଶକ୍ତକରଣ ପାଇଁ ଯେଉଁ ସବୁ ଯୋଜନା କରିଛନ୍ତି ସେ ସବୁ ଯୋଜନା ଚାଷୀଙ୍କ ପାଖରେ ଅପହଂଚ। ଆଉ ଯେଉଁ ସବୁ ସରକାରୀ ସହାୟତା ମିଳେ ତାହା ସମୂଦ୍ରକୁ ଶଙ୍ଖେ ପାଣି ସଦୃଶ। କଲମପୁର ଅଂଚଳର ବିଜମରା, ଡୁମେରମୁଣ୍ଡା, ପାଣିଗାଁ, ବଡକୁଟୃ, ସାନକୁଟୃ, କଲମପୁର, ଗୁମାବାହାଲ, ବନ୍ଧକନା, ହାରାମାଲ, ଚୁରାଗାଁ ଆଦି ଅଂଚଳର ବହୁ ଚାଷ ଜମି ର ଚାଷୀ କ୍ଷତିଗ୍ରସ୍ଥ ହେବାର ଆଶଙ୍କା କରାଯାଉଛି। ଏକରପ୍ରତି ୨୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରି ଚାଷ କରିଥିବା ବେଳେ ମୂଳ ଧନ ବାହାରିବା ନେଇ ଡୁମେରମୁଣ୍ଡା ଗ୍ରାମର ଦେବେନ୍ଦ୍ର ନାଏକ, ଭୁପେନ୍ଦ୍ର ନାଏକ ପ୍ରମୁଖ ଚାଷୀ ଆଶଙ୍କା କରୁଛନ୍ତି।

Comments are closed.