ଜଙ୍ଗଲ ଜମି ଅଧିକାର ନେଇ ତାଲିମ ଶିବିର

କଲମପୁର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବ୍ଲକ ସଭା ଗୃହ ଠାରେ ‘ପ୍ରଦାନ’ ସଂଗଠନ ଓ ବ୍ଲକ ପ୍ରଶାସନର ସହଯୋଗରେ ଜଙ୍ଗଲ ଜମି ଅଧିକାର ନେଇ ଏକ ତାଲିମ ଶିବିର ତଥା ଜଙ୍ଗଲ ଜମି ସମ୍ବନ୍ଧରେ ସଚେତନତା ଶିବିର ଆୟୋଜିତ ହେଇଯାଇଛି। ‘ପ୍ରଦାନ’ ସଂଗଠନର କ୍ଷେତ୍ର ଅଧିକାରୀ ଅକ୍ଷୟ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ବି.ଡି.ଓ ଶୁଭକାନ୍ତ ନାୟକ ଯୋଗ ଦେଇ ଜଙ୍ଗଲ ଜମି ଅଧିକାର ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନେକ ହିତାଧିକାରୀ ବାପା, ଜେଜେ ବାପା ଅମଳରୁ ଜଙ୍ଗଲ ଜମି ଦଖଲ କରି ଆସୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସଚେତନତା ଅଭାବ କାରଣରୁ ସେମାନଙ୍କ ନାମରେ ପଟ୍ଟା ହେଇ ପାରି ନାହିଁ। ଏଭଳି ହିତାଧିକାରୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି।

ଥୁଆମୁଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକର ୨୪ ଗୋଟି ପଂଚାୟତରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବି.ଡି.ଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ଉପରେ ଗୁରୁତ୍ୱ ଦେଇଥିଲେ ‘ପ୍ରଦାନ’ର କ୍ଷେତ୍ର ଅଧିକାରୀ ଶ୍ରୀ ପାତ୍ର। ଏହାସହ ଏହି ସମସ୍ତ କାର୍ଯ୍ୟରେ ବନ ବିଭାଗ, ରାଜସ୍ୱ ବିଭାଗ, ପଂଚାୟତି ରାଜ ବିଭାଗ ସମେତ ପଂଚାୟତ ପ୍ରତିନିଧିଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଥିବା ଆଲୋଚନା କରାଯାଇଥିଲା। ଅନେକ ସ୍ଥଳେ ବନ ବିଭାଗ ଦ୍ୱାରା ଆଦିବାସୀଙ୍କୁ ସେମାନଙ୍କ ହକ୍‍ ଥିବା ଜଳ, ଜମି, ଜଙ୍ଗଲରୁ ନିବୃତ କରିବା ପାଇଁ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ହେଇଥିଲା। ଅନ୍ୟପଟେ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଅଧିକାର ପାଇଁ ଥୁଆମୁଳ ରାମପୁର ଭଳି ଆଦିବାସୀ ଇଲାକାରେ ବହୁ ସ୍ୱେଚ୍ଛାସେବୀ ସଂଗଠନ ମାନ କାର୍ଯ୍ୟ କରୁଥିଲେ ମଧ୍ୟ ବହୁ ସମୟରେ ପୋଡୁ ଚାଷ କରାଯାଉଥିବାରୁ ପରିବେଶବିତ୍‍ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି। ତେଣୁ ଲୋକଙ୍କୁ ଏଥିପ୍ରତି ମଧ୍ୟ ସଚେତନ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ତହସିଲ, ପଂଚାୟତି ରାଜ ବିଭାଗ ସମେତ ସରପଂଚ ଓ ଅନ୍ୟ ସମସ୍ତ ପଂଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Comments are closed.