ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ ଘଟଣା, ବିଦ୍ୟୁତ୍‍ ତାର ସଂଯୋଗ କରିଥିବା ଅଭିଯୋଗରେ ଜେଲଗଲେ ୮ ଅଭିଯୁକ୍ତ

କଲମପୁର: ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‍ ତାର ସଂସ୍ଫର୍ଶରେ ଆସି ଜନୈକ ଯୁବକର ମୃତ୍ୟୁ ଘଟିଥିଲା। ଏହି ଘଟଣା ନେଇ ଥୁଆମୁଳ ରାମପୁର ଥାନାରେ ଏକ ମାମଲା ରୁଜୁ ହେଇ ତଦନ୍ତ ଜାରି ରହିଥିଲା। କିଏ ଓ କାହିଁକି ବିଦ୍ୟୁତ୍‍ ତାର ବିଛାଇଥିଲା ସେନେଇ ପୁଲିସ ତରଫରୁ ଖୋଲତାଡ ଆରମ୍ଭ ହେବାପରେ ଶୁକ୍ରବାର ଘଟଣାରେ ସମ୍ପୃକ୍ତ ଥିବା ୮ ଜଣଙ୍କୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଗତ ୨୫.୧୦ ଦିନ ବଡଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକଙ୍କ ଶବ ନିକଟସ୍ତ ଜଙ୍ଗଲରେ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ ସୁଚନା ଅନୁସାରେ ଘଟଣାର ପୂର୍ବଦିନ ସଂଧ୍ୟାରେ ବଲି ଗଛ ଆଣିବା ପାଇଁ ମହେନ୍ଦ୍ର ଜଙ୍ଗଲକୁ ଯାଇଥିଲା। କିନ୍ତୁ ରାତିରେ ଘରକୁ ଫେରିନଥିଲା। ପରିବାର ଲୋକ ସକାଳୁ ଖୋଜିବା ବେଳକୁ ମୃତ ଅବସ୍ଥାରେ ପଡିଥିଲା। ଶବ ଉଦ୍ଧାର ସ୍ଥାନରେ ବାଇଣ୍ଡିଂ ତାର ଦ୍ୱାରା ବିଦ୍ୟୁତ୍‍ ସଂଯୋଗ ହେଇଥିବା ଜଣା ପଡିଥିଲା। ଏନେଇ ପରିବାର ଲୋକ ବିଦ୍ୟୁତ୍‍ ବିଭାଗ ସହ ପୁଲିସକୁ ସୁଚନା ଦେଇଥିଲେ। ଏହି ବିଦ୍ୟୁତ୍‍ ଫାଶ ବାରହା ଶିକାର ପାଇଁ କିଏ ଲଗାଇଥିବା ଆଶଙ୍କା କରାଯାଇଥିଲା।

ଘଟଣା ସ୍ଥଳରେ ଥୁଆମୁଳ ରାମପୁର ପୁଲିସ ପହଂଚି ଥାନା କେସନଂ ୧୨୫ତା ୨୫.୧୦ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରିଥିଲେ। ଶୁକ୍ରବାର ଏହି ଘଟଣାରେ ସଂଶ୍ଳିଷ୍ଟ ବଡଛତ୍ରଙ୍ଗ ଗ୍ରାମର ଧଧୁ ମାଝୀ, ନନ୍ଦ ଗୌଡ ଓ ଡମୁ ମାଝୀ ଏଲ.ଜାମଗୁଡାର ରାଇସିଂ ମାଝୀ, ମାନସିଂ ମାଝୀ, ଗାରାନ ମାଝୀଙ୍କ ସମେତ ବାଗଡିଆଣି ଗ୍ରାମର ସୁରେନ୍ଦ୍ର ମାଝୀ ଓ ରତି ମାଝୀଙ୍କୁ ପୁଲିସ ଗିରଫ କରିବା ସହ ୩୦୪ ଏ ଦଫାରେ କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତଙ୍କୁ ପଠାଇ ଦିଆଯାଇଛି। ବିଦ୍ୟୁତ୍‍ କୁ ଏଭଳି ଅପବ୍ୟବହାର କିର ଜଙ୍ଗଲି ଜନ୍ତୁଙ୍କୁ ମାରିବା ଏକ ଗୁରୁତର ଅପରାଧ ହେଇଥିବା ବେଳେ ଉଭୟ ବନ ବିଭାଗ ଓ ବିଦ୍ୟୁତ୍‍ ବିଭାଗ ନିରବ ରହିବା ସାଧାରଣରେ ଉଭୟ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Comments are closed.