୨୦ ଦିନରେ ୪ଜଣଙ୍କ ମୃତ୍ୟୁ, ୧୦ ଅସୁସ୍ଥ

କଲମପୁର : ଗତ ୨୦ ଦିନ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ। ଯାହା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କାଣିଗୁମା ପଞ୍ଚାୟତ ଅନ୍ତର୍ଗତ ନେହେଲା ଗ୍ରାମରେ। ପ୍ରଥମେ ଜ୍ୱରରେ ଆକ୍ରାନ୍ତ ହୋଇ ଧନୁର୍ଯ୍ୟ ମାଝୀଙ୍କ ୧୬ ବର୍ଷିୟ ପୁଅ ଅମରସିଂର ମୃତ୍ୟୁ ହେଇଥିଲା। ଏହାପରେ ୬୦ ବର୍ଷିୟ ଲାଖିଆ ପରାଭୋଇ,୨୦ ବର୍ଷିୟା ଶୁଶାନ୍ତି ନାଏକ ଏବଂ ୧୮ ବର୍ଷିୟା ସୁମନୀ ମାଝୀଙ୍କ ପରଲୋକ ହୋଇଥିଲା। ସମସ୍ତ ମୃତକ ଜ୍ୱରରେ ପୀଡିତ ଥିବା ପରିବାର ଲୋକ ସୁଚନା ଦେଇଛନ୍ତି। ଏପରିକି ପ୍ରାୟ ୧୦ ଜଣ ଏବେ ମଧ୍ୟ ଜ୍ୱରରେ ଆକ୍ରାନ୍ତ ଥିବା ଜଣା ପଡିଛି। ସେମାନଙ୍କ ମଧ୍ୟରୁ ଲକ୍ଷ୍ମଣ ମାଝୀଙ୍କ ୨ ବର୍ଷିୟା ଏକ ଶିଶୁ କନ୍ୟା ଅମ୍ରିତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇ ପଡିଛି। ଅନ୍ୟପଟେ ୩୦ ବର୍ଷିୟ ଡମେନ ମାଝୀ, ୬୦ ବର୍ଷିୟ ନୁଆଦେଈ ମାଝୀ, ଚମ୍ପା ବେୱା, ମହେନ୍ଦ୍ର ମାଝୀ ଓ ଗଙ୍ଗାଧର ମାଝୀ ପ୍ରମୁଖ ଜ୍ୱରରେ ଆକ୍ରାନ୍ତ ହେଇଛନ୍ତି। ଏନେଇ ଏକ ଡାକ୍ତରୀ ଦଳ ଗୁରୁବାର ପହଞ୍ଚି ୩୯ ଜଣ ପୀଡିତଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣଙ୍କ ମ୍ୟାଲେରିଆରେ ଆକ୍ରାନ୍ତ ହେଇଥିବା ଜଣା ପଡିଥିଲା। ଶୁକ୍ରବାର ଦିନ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ସାହୁ, ଏମ.ଟି.ଏସ ଅଜିତ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଲ.ଟି ବଂଶିଧର ସିଂ ଓ ନବିନ ସାହୁ ପହଂଚି ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ। ଏହାସହ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ସମ୍ବିତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ। ଅନେକ ମହିଳା ଓ ଶିଶୁ ଏବେ ମଧ୍ୟ ପୃଷ୍ଟିକର ଖାଦ୍ୟ ଅଭାବରୁ ରକ୍ତହୀନତାର ଶିକାର ହେଇଥିବା ଦେଖାଯାଇଛି। ଅନ୍ୟପଟେ ୪ ଜଣଙ୍କ ମୃତ୍ୟୁର କାରଣ ଖୋଜା ଯାଉଛି।

 

ଲୋକଙ୍କ ମଧ୍ୟରେ ଏବେ ମଧ୍ୟ ଅନ୍ଧ ବିଶ୍ୱାସ ଲାଗି ରହିଛି। ଲୋକେ ସ୍ୱାସ୍ଥ୍ୟ ସେବା ବଦଳରେ ଗୁରୁ ଗୁଣିଆ ଉପରେ ବିଶ୍ୱାସ କରୁଛନ୍ତି। ଏହି ଜ୍ୱର ଦେବୀଙ୍କ ପ୍ରଭାବରୁ ହେଉଛି। ଔଷଧ ଖାଇଲେ ଦେବୀ ରାଗିଯିବେ ଏଭଳି ମତ ଦେଉଥିବାରୁ ସାଧାରଣ ଲୋକଙ୍କୁ ବୁଝାଇବା ସମ୍ଭବ ହେଉ ନାହିଁ। ଲୋକଙ୍କ ମଧ୍ୟରେ ଶିକ୍ଷାର ଅଭାବ ଯୋଗୁଁ ସଚେତନତା ନଥିବା ଆଲୋଚନା ହେଉଛି। ଅନ୍ୟପଟେ ‘ସ୍ୱାସ୍ଥ୍ୟ ସ୍ୱରାଜ’ ନାମକ ଏକ ସଂସ୍ଥା ଏହି ଅଂଚଳର ସ୍ୱାସ୍ଥ୍ୟ ସେବା ଯୋଗାଉଥିଲେ ମଧ୍ୟ ୪ ଜଣଙ୍କ ମୃତ୍ୟୁ ପରେ ମଧ୍ୟ ନିରବ ରହିଛି। ଅନ୍ୟପଟେ ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଅଣ ଓଡିଆ, ସେ ସାଧାରଣ ଲୋକଙ୍କ କଥା ବୁଝି ପାରୁନଥିବାରୁ ଏଏଭଳି ସମସ୍ୟା ଦେଖା ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ପାନୀୟ ଜଳ ପାଇଁ ନଳକୂଅ ଥିଲେ ମଧ୍ୟ ବହୁ ଲୋକ ନିକଟସ୍ଥ ନାଳର ପାଣି ସ୍ନାନ ଶୌଚ ପାଇଁ ବ୍ୟବହାର କରୁଛନ୍ତି। ଏହି ଗାଁରେ ଅଙ୍ଗନବାଡି କେନ୍ଦ୍ର ଥିଲେ ମଧ୍ୟ ପ୍ରାୟ ୧୦ କିଲୋମିଟର ଦୂରରେ ସହାୟିକା ରହୁଥିବାରୁ ଏହି କେନ୍ଦ୍ରର ଶିଶୁ ଓ ମହିଳାଙ୍କୁ ସଠିକ ସମୟରେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଲେ ମଣିଷ ମଢକର ଆଶଙ୍କା ରହିଛି। ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ ଝାଙ୍କ ସହ ଯୋଗାଯୋଗ ରାଯାଇଥିଲା ଲୋକଙ୍କୁ ବୁଝାଇବା ପ୍ାଇଁ ଡାକ୍ତରୀ ଦଳ ପ୍ରୟାସ କରୁଛନ୍ତି। ପ୍ରଥମେ ମ୍ୟାଲେରିଆ ସମେତ କୋଭିଡ ପରୀକ୍ଷା କରାଯାଇଥିଲା କିନ୍ତୁ ଅନେକଙ୍କ ସେଭଳି ଲକ୍ଷଣ ନଥିବା ଜଣା ପଡିବା ପରେ ଏବେ ଡେଙ୍ଗୁ ପରୀକ୍ଷା କରାଯାଉଛି ବୋଲି ସୂଚନା ଦେଇଥିଲେ। ଅନ୍ୟପଟେ ମହିଳା ମାନେ ପ୍ରାୟତଃ ରକ୍ତହୀନତା ଥିବା ଜଣା ପଡିଛି ବୋଲି ମତବ୍ୟକ୍ତ କରିଥିଲେ।

Comments are closed.