କାଳବୈଶାଖିର ପ୍ରଭାବ : କୁଆପଥର ବର୍ଷାରେ ୩ ପଞ୍ଚାୟତର ୩୦ରୁ ଅଧିକ ଗାଁ ପ୍ରଭାବିତ

କଲମପୁର: ଶନିବାର ଅପରାହ୍ଣ ପ୍ରାୟ ୩.୩୦ ମିନିଟ ସମୟରେ ହଠାତ୍ ଆକାଶରେ ଘୋଟି ଆସିଥିଲା କଳା ବାଦଲ। କେହି କିଛି ସତର୍କ ହେବା ପୂର୍ବରୁ ପବନ ସହିତ, କୁଆପଥର ବର୍ଷା ହୋଇଥିଲା। ଯାହା ଫଳରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପିନାଥପୁର, ମାଲିଗାଁ ଓ ଅଡ୍ରି ଆଦି ୩ ଗୋଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ପ୍ରଭାବିତ ହେଇଛି। ବିଶେଷ କରି ମାଲିଗାଁ ପଞ୍ଚାୟତର ସୂର୍ଯ୍ୟଗଡ, ମାଲିଗାଁ ସମେତ ଦୁର୍ମୁସୀ ଗାଁ ପ୍ରଭାବିତ ହେଇଛି। ସୂର୍ଯ୍ୟଗଡ ଗାଁର ଅନେକଙ୍କ ଘର ଉପରେ କୁଆପଥର ମାଡ ଯୋଗୁଁ ଆଜବେଷ୍ଟ ଛାତ ସବୁ ଭାଙ୍ଗିଯାଇଥିବାବେଳେ ପ୍ରତ୍ୟେକଙ୍କ ଘରେ ଘରେ ପାଣି ପଶିଯାଇଥିବା ସୂଚନା ମିଳିଛି। ଏପରିକି ବାହାରକୁ ଯାଇଥିବା ଗାଈ ଗୋରୁ, ଛେଳି ମେଣ୍ଢା ଘରକୁ ଫେରି ପାରିନଥିଲେ। କୁଆପଥରର ମାଡରେ ବହୁ ଗାଈ ଓ ବଳଦ ସମେତ ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରାଥମିକ ସୂଚନା ଅନୁସାରେ ସୂର୍ଯ୍ୟଗଡର କୈଳାଶ ନାଏକ, ସାନୁର୍ଯ୍ୟ ନାଏକ ପ୍ରମୁଖଙ୍କ ଗାଈ ଗୋରୁ କୁଆପଥର ମାଡର ପ୍ରଭାବରେ ମରି ପଡିଥିବା ଜଣା ପଡିଛି। ଅନେକଙ୍କ କ୍ଷୟ କ୍ଷତି ହେଇଥିବା ବେଳେ ପ୍ରଶାସନ ନିକଟକୁ କେବଳ କିଛି ଗାଈ ମରିଥିବା ସୁଚନା ଆସିଥିବା ବେଳେ ଘର ଭଙ୍ଗା ନେଇ ଅଦ୍ୟାବଧି କୌଣସି ସୂଚନା ନଥିବା ଥୁଆମୁଳ ରାମପୁର ତହସିଲଦାର ବନିୟ କୁମାର ଭୋଇ ମତବ୍ୟକ୍ତ କରିଛନ୍ତି। ଆସନ୍ତା କାଲି କ୍ଷୟ କ୍ଷତି ଆକଳନ ପାଇଁ ତହସିଲ ତରଫରୁ ଏକ ଟିମ ପ୍ରଭାବିତ ଗାଁ ଗୁଡିକକୁ ଯାଇ ତଦନ୍ତ କରି ରିପୋର୍ଟ ଦେବେ ବୋଲି ତହସିଲଦାର ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ଅନ୍ୟପଟେ ଜୟପାଟଣା ଅଞ୍ଚଳରେ ମଧ୍ୟ କୁଆପଥର ମାଡର ପ୍ରଭାବରେ ବହୁ ଅଂଚଳ ପ୍ରଭାବିତ ହେଇଥିବା ସୂଚନା ମିଳିଛି। ଏହି କୁଆପଥର ମାଡ ଓ ପବନ ଯୋଗୁଁ ଜୟପାଟଣା କଲମପୁର ଅଞ୍ଚଳର ରବିଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।

Comments are closed.