ବର୍ଷାରେ ଭାଙ୍ଗିଲା ଘର, ୨ ବର୍ଷ ହେଲା ପରିତ୍ୟକ୍ତ ବିଦ୍ୟାଳୟ କୋଠା ସାଜିଛି ଆଶ୍ରୟସ୍ଥଳ

କଲମପୁର: ବର୍ଷାରେ ଭାଙ୍ଗିଲା ଘର। ଅସହାୟ ହେଇ ପଡିଲେ ଘରର ମୁରବୀ ସମେତ ପତ୍ନୀ ଓ ଦୁଇ ନାବାଳିକା କନ୍ୟା ସନ୍ତାନ। ଝଡି ବର୍ଷା ସମୟରେ କେଉଁଠି ଆଶ୍ରୟ ନେବେ କିଏ ତାଙ୍କୁ ଆଶ୍ରୟ ଦେବ ? ଅନ୍ୟ କିଛି ଉପାୟ ନପାଇ ଶେଷରେ ଗାଁରେ ଥିବା ବିଦ୍ୟାଳୟର ଏକ ପରିତ୍ୟକ୍ତ କୋଠାରେ ଜୀବନ ବିକଳରେ ଜୀବନ ବଞ୍ଚାଇବା ପାଇଁ ଆଶ୍ରୟ ନେଲେ। ଅବସ୍ଥା ସୁଧୁରିଗଲେ ନିଜ ଘର ମରାମତି କରି ଫେରିଯିବେ। କିନ୍ତୁ ପରିତାପର ବିଷୟ ଘର ମରାମତି ଯୋଗ୍ୟ ନଥିଲା। ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଅନ୍ୟପଟେ ତାଙ୍କର ନିଜର ସାମର୍ଥ୍ୟ ନଥିଲା ଘର ତିଆରି କରିବାର। ଭୋକର ଜ୍ୱାଳା ପାଇଁ ପର ଘରେ ମୂଲ ଲାଗି ରୋଜଗାର କରୁଥିଲେ ମଧ୍ୟ ଅନେକ ସମୟରେ ଚାରି ପ୍ରାଣୀ ପରିବାର ଚଳାଇବା ପାଇଁ ସମ୍ଭବ ହେଉନଥିଲା ବେଳେ ବେଳେ ଭୋକ ଉପାସରେ ରହିବାକୁ ପଡୁଛି। ଏଭଳି ସ୍ଥିତରେ କେଉଁଠୁ ଅର୍ଥ ଯୋଗାଡ କରି ଘର ତିଆରି କରି ପାରିବେ। ଦୀର୍ଘ ଦୁଇ ବର୍ଷ ବିତି ସାରିଛି ସେମିତି ପରିତ୍ୟକ୍ତ ବିଦ୍ୟାଳୟ କୋଠାରେ ଆଶ୍ରୟ ନେଇଛି କଲମପୁର ବ୍ଲକ ଦେପୁର ଗ୍ରାମ କର୍ଲାପଡା ଅଧିନସ୍ଥ ଦୋଳ ଗୋବିନ୍ଦ ଛତ୍ରିଆ। ଏଇ ଦୁଇ ବର୍ଷ ମଧ୍ୟରେ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ମନ୍ତ୍ରୀ ସେହିଭଳି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ବିଡିଓ, ଜିଲାପାଳ ସମସ୍ତଙ୍କ ଠାରେ ଗୁହାରୀ କରି ସାରିଛି ଆବାସ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ। କିନ୍ତୁ ସବୁଠାରେ ନିରାଶ ହେଇ ଏବେ କର୍ମ ଆଦରି ସେହି ଭଙ୍ଗା ଦଦରା ପରିତ୍ୟକ୍ତ ବିଦ୍ୟାଳୟ କୋଠାରେ ନିଜର ଦୁଇ ନାବାଳିକା କନ୍ୟା ସନ୍ତାନ ସହ ସେ ଅସହାୟ ଅବସ୍ଥାରେ ରହି ଆସୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଗୋବିନ୍ଦଙ୍କ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments are closed.