ଚାଷ ଜମିରେ ଗାଈ ଚଳାଇ ଫସଲ ନଷ୍ଟ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବି

କଲମପୁର: ନବରଙ୍ଗପୁର ଜିଲ୍ଲା କୋପାସାଭଟା ଗ୍ରାମର ଆଦିବାସୀମାନଙ୍କ ଚାଷଜମିରେ ଗାଇ ଚରାଇ ଫସଲ ନଷ୍ଟ କରିବା ସହିତ ଘରେ ନିଆଁ ଲଗାଇ ଦେବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ। ଗତ ଶନିବାର ଦିନ ନବରଙ୍ଗପୁର ଜିଲ୍ଲା କୋପାସାଭଟା ଗ୍ରାମର ଆଦିବାସୀ ମାନଙ୍କ ଚାଷଜମିରେ ଗାଇ ଚରାଇ ଫସଲ ନଷ୍ଟ କରିବା ସହିତ ତାଙ୍କ ବାସଗୃହରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ସମ୍ବନ୍ଧରେ ଖବର ପାଇ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାର ଏକ ପ୍ରତିନିଧି ଦଳ ନବରଙ୍ଗପୁର ଗସ୍ତ କରିଥିଲା।

ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟରେ ଥିବା ଭତ୍ରା ଭବନରେ ଆଶ୍ରୟ ନେଇଥିବା ପିଡିତ ପରିବାର ସହିତ ଆଲୋଚନା କରି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ସେଠାରେ ଆୟୋଜନ ହୋଇଥିବା ଆଦିବାସୀ ରେଲିରେ ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ମହୋତ୍ସବ ପାଳନ କରୁଥିବା ବେଳେ ଦେଶରେ ଆଦିବାସୀମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ଦେଶର ଆଦିବାସୀମାନେ ଜମି ହରାଇ, ଘରଦ୍ୱାର ଛାଡି ନିଜ ହକ୍ ଓ ଅଧିକାର ପାଇଁ ଳଗାଣ ବର୍ଷାରେ ଆନ୍ଦୋଳନ କରୁଥିବା ବେଳେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ, ସ୍ଥାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ସମ୍ପୁର୍ଣ୍ଣ କ୍ଷତିପୂରଣ ପାଇଁ ସମସ୍ତ ସଂଗଠନ ଦାବି କରିଛନ୍ତି। ଉକ୍ତ ସାମ୍ବିଧାନିକ ଅଧିକାରର ଲଢେଇରେ ଯୋଗଦେବା ପାଇଁ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ କଳାହାଣ୍ଡି ଜିଲ୍ଲାରୁ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ୱରେ, ଆଇନ୍ ବିଭାଗର ମୁଖ୍ୟ ଛବିଲାଲ ନିଆଲ, ମହାସଚିବ ଜତିନ୍ଦ୍ର କର, କଳମପୁର ବ୍ଳକ ଯୁବ ସଭାପତି ମାଧବ ସୁନାନୀ, ଜୁନାଗଡ଼ ବ୍ଲକ ଯୁବ ସଭାପତି ରମାକାନ୍ତ ନାଏକ ଅଂଶ ଗ୍ରହଣ କରିଥିଲେ।

Comments are closed.