ଅଦିନିଆ ବର୍ଷାର ପ୍ରଭାବ : ଖଳା ଓ ମଣ୍ଡିରେ ଭିଜୁଛି ଧାନ, ଚାଷୀ ଆଖିରୁ ଝରୁଛି ଲୁହ

କଲମପୁର : ଲାଗି ରହିଛି ଅଦିନିଆ ବର୍ଷା। ଏହି ଅଦିନିଆ ବର୍ଷା ଚାଷୀଙ୍କ ଅଖିରୁ ନିଦ ହଜେଇ ଦେଇଛି। ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରି ନପାରି ଅସହାୟ ହୋଇ ପଡୁଛନ୍ତି। ବର୍ଷା ଝରୁଥିବା ବେଳେ ଚାଷୀ ଆଖିରୁ ଲୁହ ଝରୁଛି। କେମିତି ନିଜ ଉପାର୍ଜିତ ଧାନକୁ ସୁରକ୍ଷିତ ରଖିବେ ସେହି ଚିନ୍ତିରେ ଚିନ୍ତିତ ହେଉଛନ୍ତି। ଅନ୍ୟପଟେ ସାମ୍ଭବ୍ୟ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ତରଫରୁ ଗତ ତିନିଦିନ ପୂର୍ବରୁ ଚାଷୀଙ୍କୁ ନିଜ ନିଜ ଧାନ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ପରିତାପର ବିଷୟ ଟୋକନ ପାଇଥିବା ଚାଷୀଙ୍କୁ ମଣ୍ଡିରେ ଧାନ ରଖିବା ପାଇଁ ବାରଣ କରାଯାଇଥିଲା। ଯେଉଁଥି ପାଇଁ ଅନେକ ଚାଷୀ କିଏ ଖଳାରେ ତ କିଏ ରାସ୍ତା କଡରେ ନିଜ ଧାନକୁ ରଖିଛନ୍ତି। ଅନ୍ୟପଟେ ଗତ ତିନି ଦିନ ମଧ୍ୟରେ ମଣ୍ଡିରେ ଥିବା ଧାନକୁ ଉଠାଣ କରିବାରେ ପ୍ରଶାସନ ତରଫରୁ ସଠିକ ପଦକ୍ଷେପ ନେଇନଥିବାରୁ ଖୋଲା ଆକାଶ ତଳେ ଥିବା ବଡକୁଟୃ, ବିଜମରା, ଡଙ୍ଗରୀପଡା, ଦୁଲକିବନ୍ଧ, ବିଜମରା, କୋଟାଗାଁ, ଇଛାପୁର, ପଣ୍ଡିଗାଁ ଓ ହରାମାଲ ଭଳି ମଣ୍ଡିର ଚାଷୀ ପ୍ରଭାବିତ ହେଉଛନ୍ତି।
ଚାଷୀ ଧାନ ବିକ୍ରି କରିବା ପାଇଁ ପ୍ରୟାସ କରୁଥିବା ବେଳେ ବିଭିନ୍ନ ମଣ୍ଡିରେ ମିଲ ମାଲିକଙ୍କୁ ଧାର୍ଯ୍ୟ କରାଯାଇଥିବା ପରିମାଣ ଧାନ ଉଠାଇଥିବାରୁ ପୁନଃ ଅଧିକ ଧାନ ଉଠାଣ ପାଇଁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସେମାନେ କିଭଳି ଧାନ ଉଠାଣ କରିବେ ? ଅନ୍ୟପଟେ କେତେବେଳେ ପରିବାହନ ପାଇଁ ଟ୍ରକ ଆସୁ ନାହିଁ ତ କେତେବେଳେ ଅଖା ବସ୍ତାର ଅଭାବ ଦର୍ଶାଇ ଜାଣି ଶୁଣି ଚାଷୀଙ୍କୁ ନିରାଶ କରାଯାଉଥିବା ଅଭିଯୋଗ ହେଉଛି। ଏଥିପାଇଁ କିଛି ସ୍ଥାନୀୟ ଏଜେଣ୍ଟଙ୍କୁ କୃଷକ ସଂଗଠନ ଦାୟୀ କରୁଛନ୍ତି। ଯେଉଁଥିପାଇଁ ଦିନ ଦିନ ଧରି ଚାଷୀ ମଣ୍ଡିରେ ଧାନ ଆଣି ରଖି ଶୀତ କାକରରେ ପଡି ରହିଛନ୍ତି ବୋଲି ଦାସିଗାଁ ଚାଷୀ ନୃସିଂହ ଚରଣ ଖମାରୀଙ୍କ ସମେତ ବହୁ ଚାଷୀ ଆମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସେ ଛାଉଣୀ ଥିବା ମଣ୍ଡି ହେଉ ଅଥବା ଖୋଲା ଆକାଶ ତଳେ ଥିବା ମଣ୍ଡି। ମଣ୍ଡିକୁ ଚାଷୀ ଧାନ ନେବା ପରେ ସେହି ଧାନର ସୁରକ୍ଷା ନିୟନ୍ତ୍ରୀତ ବଜାର କମିଟିର। ଏଥିପାଇଁ ପ୍ରତି କ୍ୱିଣ୍ଟାଲ ଧାନରୁ ନିୟନ୍ତ୍ରିତ ବଜାର କମିଟି ନିଜର କମିଶନ ପାଉଛି। ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡି ରହିଥିବା ବେଳେ ବହୁ ଚାଷୀଙ୍କୁ ଆବଶ୍ୟକ ମୁତାବକ ପଲିଥିିନ ମିଳୁନଥିବାରୁ ଚାଷୀ ନିଜ ଉଦ୍ୟମରେ ନିଜ ଧାନକୁ ସୁରକ୍ଷା କରୁଛନ୍ତି। କିନ୍ତୁ ଏହି ବର୍ଷା ଯଦି ଲାଗି ରହିବ ତେବେ ଚାଷୀଙ୍କ ବ୍ୟାପକ ଧାନ କ୍ଷତି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ପାଗର ପରିବର୍ତ୍ତନ ନହେଲେ ଧାନର ଆଦ୍ରତା ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ମିଲର୍ସ ଓ ତାଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ ଅଧିକ କଟନୀ ପାଇଁ ଦାବି କରିବେ। ଯାହା ଦ୍ୱାରା ଚାଷୀ ଆର୍ଥିକସ୍ତରରେ କ୍ଷତିଗ୍ରସ୍ତ ହେବେ। ଏନେଇ ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ଅନିଲ କୁମାର ରାଉତଙ୍କ ସହିତ ଯୋଗାଯୋଗ କରାଯାଇଥିଲା ସମବାୟ ସମିତିର ସମ୍ପାଦକ ତଥା ଧାନ କ୍ରୟ ଅଧିକାରୀଙ୍କ ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ମଣ୍ଡିକୁ ପ୍ରାୟ ୧୨ରୁ ୧୫ ଗୋଟି ଲେଖାଏଁ ପଲିଥିନ ଯୋଗାଇ ଦିଆଯାଇଥିବା ସୁଚନା ଦେଇଥିଲେ। କିନ୍ତୁ ଏହି ଅଳ୍ପ ସଂଖ୍ୟକ ପଲିଥିନ ଚାଷୀଙ୍କ ଚାହିଦା ମେଣ୍ଟାଇ ପାରୁ ନାହିଁ।
ବର୍ତ୍ତମାନ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ ହେଇଯାଇଛି। ଚାଷୀ ଏବେ ଠାରୁ ତଳି ପକାଇବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ନିଜ ଧାନ ବିକ୍ରି କରି ପାରିନଥିବାରୁ ଆର୍ଥିକ ସମସ୍ୟା କାରଣରୁ ଅନେକ ଚାଷୀ ରବି ଚାଷ ପାଇଁ ବିହନ ବିକ୍ରି କରି ପାରୁନଥିବା ବେଳେ ଚାଷ କାର୍ଯ୍ୟ ଆରମ୍ଭ କରି ପାରୁ ନାହାଁନ୍ତି। ଯଦି ଚାଷ ଆରମ୍ଭ କରିବାରେ ବିଳମ୍ବ ହୁଏ ତେବେ ରବି ଧାନ ଅମଳ ସମୟରେ ବର୍ଷା ପ୍ରଭାବ କାରଣରୁ ପୁଣି ଚାଷୀ କ୍ଷତିଗ୍ରସ୍ଥ ହେବେ। ତେଣୁ ତୁରନ୍ତ ଜିଲା ପ୍ରଶାସନ ଚାଷୀଙ୍କ ଧାନ ଖରିଦ କରିବାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଜିଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସମସ୍ତ ସମବାୟ ସଂସ୍ଥାରେ ନିୟୋଜିତ ମିଲର୍ସଙ୍କ ଧାନ ବିକ୍ରି ଲକ୍ଷ୍ୟ ବୃଦ୍ଧି କରାଯାଇଛି। ତୁରନ୍ତ ଧାନ ଉଠାଣର ବ୍ୟବସ୍ଥା କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।

Comments are closed.