ନାବାଳକ ନିଖୋଜ; ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କଲା ପରିବାର

କଲମପୁର: ଜଣେ ନାବାଳକ ନିଖୋଜ ହେବା ନେଇ ତାର ବଡ ଭାଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଥୁଆମୂଳ ରାମପୁର ଥାନା ଅଧିନସ୍ଥ ପୁରୁଣାଗୁମା ନିକଟସ୍ଥ ଡାଲଗୁମା ଗ୍ରାମର ଦୈତାରୀ ହରିଜନଙ୍କ ୧୭ ବର୍ଷିୟ ପୁଅ ମାଧବ ଗତ ମଇ ମାସ ଠାରୁ ଭବାନୀପାଟଣା ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ସୌଭାଗ୍ୟ ହୋଟେଲରେ କାର୍ଯ୍ୟ କରୁଥିଲେ । ଗତ ଜୁନ ୧୦ ତାରିଖ ଦିନ ମାଧବର ବଡ ଭାଇ ରାଜକୁମାର ହୋଟେଲକୁ ଆସି ଭାଇକୁ ଦେଖା କରିବା ପାଇଁ ପହିଁଥିଲେ । କିନ୍ତୁ ହୋଟେଲ ମାଲିକଙ୍କ ସହ ଭାଇ ସମ୍ବନ୍ଧରେ ପଚାରିବା ପରେ ତାଙ୍କ ଭାଇ ଟଙ୍କା ନେଇ ଘରକୁ ଚାଲିଯାଇଥିବା କହିଥିଲେ । କିନ୍ତୁ ରାଜକୁମାର ଘରକୁ ଫେରି ଅନେକ ସମ୍ପର୍କିୟଙ୍କ ସମେତ ମାଧବର ସାଙ୍ଗ ସାଥିଙ୍କୁ ପଚାରି ବୁଝିଥିଲେ ମଧ୍ୟ ମାଧବର ଅଦ୍ୟଆବଧି କୌଣସି ସନ୍ଧାନ ମିଳିନାହିଁ । ତେଣୁ ଭାଇର ନିଖୋଜ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛି ।

ନିଖୋଜର ୧୫ ଦିନରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଭାଇର କୌଣସି ସନ୍ଧାନ ନମିଳିବା ଯୋଗୁଁ ପରିବାର ଲୋକ ଏବେ ଆଶା ଓ ଆଶଙ୍କାରେ । ଅନ୍ୟପଟେ ଜଣେ ନାବାଳକ ହେଇଥିଲେ ମଧ୍ୟ ହୋଟେଲ କର୍ତ୍ତୃପକ୍ଷ କିଭଳି ହୋଟେଲ କାମରେ ନିୟୋଜିତ କରୁଛନ୍ତି ? ଜିଲ୍ଲା ମୁଖ୍ୟାଳୟରେ ଏଭଳି ନାବାଳକ କେତେ ଜଣ ନିୟୋଜିତ ହେଇଛନ୍ତି ସେନେଇ ଶ୍ରମ ବିଭାଗ ପାଖରେ ସୂଚନା ଅଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ତୁରନ୍ତ ଏଥିପ୍ରତି ପୁଲିସ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.