ବର୍ଷାରେ ଉବୁଟୁବୁ ହେଲା କୋର୍ଟ ପରିସର; ମରାମତି କାମରେ ଅନିୟମିତତା ଅଭିଯୋଗ

କଲମପୁର: କଳାହାଣ୍ଡି ଜିଲ୍ଲା ଆଦିବାସୀ ବହୁଳ ଅଂଚଳ ଥୁଆମୂଳ ରାମପୁର । ଏହି ଥୁଆମୂଳ ରାମପୁର ଠାରୁ ଜିଲ୍ଲା ମୁଖ୍ୟ ସଦର ମହାକୂମାର ଦୂରତ୍ୱ ୭୫ କିଲୋମିଟର । ଏହି ଅଂଚଳର ଲୋକଙ୍କ ମାଲି ମକଦ୍ଦମା ପାଇଁ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଉପରେ ନିର୍ଭର କରୁଥିଲେ । ଏଥିପାଇଁ ବାରମ୍ବାର ଅଂଚଳବାସୀ ଏକ ଜେ.ଏମ.ଏଫ.ସି ସ୍ଥାପନ ପାଇଁ ଅନେକବାର ଆନ୍ଦୋଳନ କରିଥିଲେ । ଶେଷରେ ଗତ ମଇ ମାସ ୩ ତାରିଖ ଦିନ ମାନ୍ୟବାର ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଏବଂ ମାନ୍ୟବର ଜିଲ୍ଲା ଦୌରାଜଜ ଦୀପ୍ତିରଞ୍ଜନ କାନୁନଗୋ ଭର୍ଚ୍ଚୁଆଲ ମାଧ୍ୟମରେ ଥୁଆମୂଳ ରାମପୁର ଜେ.ଏମ.ଏଫ.ସିର ଶୁଭ ଉଦ୍‌ଘାଟନ କରିଥିଲେ ।

ଏହି କୋର୍ଟ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ରାଜବାଟୀରେ କାର୍ଯ୍ୟକରିବା ନେଇ ପୂର୍ବରୁ ସୁଚନା ଥିବାରୁ ଭବାନୀପାଟଣା ଗ୍ରାମ ଉନ୍ନୟନ ବିଭାଜନ ଏବଂ ପଞ୍ଚାୟତି ରାଜ ବିଭାଗ ମାଧ୍ୟମରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ମରାମତି କାର୍ଯ୍ୟରେ ଅନିୟମିତତା ଯୋଗୁଁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ ଗତ ଦୁଇ ଦିନ ଧରି ହେଇଥିବା ପ୍ରଥମ ବର୍ଷାରେ ଅସ୍ଥାୟୀ କୋର୍ଟ କାର୍ଯ୍ୟାଳୟ ପରିସର ବର୍ଷା ପାଣିରେ ଉବୁଟୁବୁ ହେଇ ସାରିଲାଣି । ଏପରିକି ମାନ୍ୟବର ଜଜଙ୍କ କୋଠରି ଏବଂ କର୍ମଚାରୀଙ୍କ ପାଇଁ ଉଦିଷ୍ଟ କୋଠରି ସବୁରେ ପାଣି ଗଳୁଥିବାରୁ କୋର୍ଟର ସମସ୍ତ କାଗଜାତ ବର୍ଷା ପାଣିରେ ଭିଜୁଛି । ଅଂଚଳର ଗରିବ ତଫସିଲଭୁକ୍ତ ଜାତି ଜନ ଜାତି ବର୍ଗର ଲୋକ ସଠିକ ଭାବେ ନ୍ୟାୟ ସେବା ନିଜ ଅଂଚଳରେ ପାଇବା ପାଇଁ ଏହି କୋର୍ଟ ସ୍ଥାପନ କରାଯାଇଛି । କିନ୍ତୁ କୋର୍ଟ କାର୍ଯ୍ୟକାରୀ ହେବାର ମାତ୍ର ୫୦ ଦିନ ମଧ୍ୟରେ କୋର୍ଟ ପରିସରର ଏଭଳି ପରିସ୍ଥିତି ସାଧାରଣ ଜନତାକୁ ବ୍ୟଥିତ କରିଛି ।

ଆଗକୁ ରହିଛି ୪ ମାସର ବର୍ଷା । ପୁଣି କଳାହାଣ୍ଡି ଜିଲ୍ଲାର ଅଧିକ ବର୍ଷା ପ୍ରବଣ ଅଂଚଳ ଥୁଆମୂଳ ରାମପୁର । ତେଣୁ ଏହି ବର୍ଷା ସମୟରେ କୋର୍ଟ କାର୍ଯ୍ୟ ବ୍ୟାଘାତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ତେଣୁ ମରାମତି କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗର ଅଧିକାରୀ ଏଥିପ୍ରତି ଗୁରୁତ୍ୱ ନଦେଲେ ଥୁଆମୂଳ ରାମପୁର ଅଂଚଳବାସୀଙ୍କ ଆଶା ଆଶଙ୍କାରେ ପରିଣତ ହେବ । ଗୁରୁବାର କୋର୍ଟ କାର୍ଯ୍ୟାଳୟ ଓ କୋର୍ଟ ପରିସରରେ ବର୍ଷା ପାଣି ଉବୁଟୁବୁ ହେଉଥିବା ଦେଖି ଆଇନଜୀବୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ଛାତ ମରାମତି ଦାୟିତ୍ୱରେ ଥିବା ବିଭାଗ କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 

Comments are closed.