ସିଙ୍ଗାରୀ ଘାଟିରେ ଦୁର୍ଘଟଣା, ୨ମୃତ

କଲମପୁର:କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ମଧ୍ୟରେ ଘଟିଛି ଏକ ଦୁର୍ଘଟଣା। ଏହି ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୧୦ ଜଣ ଆହତ ହେଇଛନ୍ତି। ୫ ଗୁରୁତର ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ବାର୍ଷିକୋନା ମୁଣ୍ଡିଚୁଆଁର ହିତାଧିକାରୀ ମାନେ ପ୍ରତି ମାସ ଭଳି ଚଳିତ ମାସର ପିଡିଏସ ଚାଉଳ ଆଣିବା ପାଇଁ ଦାସିଗାଁର କେ.ପିକଅପ ଗାଡି ସହ ଯୋଗାଯୋଗ କରିଥିଲେ। ମଙ୍ଗଳବାର ସକାଳେ ଗ୍ରାମର ପ୍ରାୟ ୫୦ ଜଣ ହିତାଧିକାରୀଙ୍କ ଚାଉଳ ବୋଝେଇ କରି ପିକଅପରେ ଲାଲୁ ମାଝୀ, ଡଙ୍ଗର ମାଝୀ, ଦଶରୁ ମାଝୀ, ତପସ୍ପିନୀ ମାଝୀ, ଶୋଭାମାଝୀ, ସାନୁ ମାଝୀ, ଜାନକୀ ମାଝୀ, ରୁପା ମାଝୀ ୧ ଓ ରୁପା ମାଝୀ ୨, କୁନି ମାଝୀ, ମହେନ୍ଦ୍ର ମାଝୀ, ପ୍ରମୁଖ ସିଙ୍ଗାରୀ ଘାଟି ଦେଇ ଫେରୁଥିବା ବେଳେ ଘାଟିର ଶେଷ ମୁଣ୍ଡରେ ଥିବା ଏକ ମୋଡାଣିରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହାଇବାରୁ ଘାଟିର ୩୦ ଫୁଟ ତଳକୁ ଖସି ଓଲଟି ପଡିଥିଲା। ଯାହାରି ଫଳେରେ ଲାଲୁ ମାଝୀ ଓ ଡଙ୍ଗର ମାଝୀଙ୍କ ଶୋଚନୀୟ ମୃତ୍ୟୁ ହେଇଥିବା ବେଳେ ଅନ୍ୟ ମାନେ ଗୁରୁତର ଆହତ ହୋଇଥିଲେ।

ସୂଚନା ପାଇ ତୁରନ୍ତ ଆମ୍ବୁଲେନ୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଶରୁ ମାଝୀ, ତପସ୍ୱିନୀ ମାଝୀ, ଶୋଭା ମାଝୀ, ସାନୁ ମାଝୀ ଓ ଦୁବଲ ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଅନ୍ୟପଟେ ଥୁଆମୁଳ ରାମପୁର ପୁଲିସ ଥାନା ଅଧିକାରୀ ଗୋବିନ୍ଦ ମାଝୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
ସୂଚନାଯୋଗ୍ୟ ଯେ, ବାର୍ଷିକୋନା ଗ୍ରାମ ପାଇଁ କୌଣସି ରାସ୍ତା ବ୍ୟବସ୍ଥା ନଥିବାରୁ ହିତାଧିକାରୀ ମାନେ ୩ ଗୋଟି ପାହାଡର ପାଦଚଲା ରାସ୍ତାରେ ଦୀର୍ଘ ୧୫ କିଲୋମିଟର ଦୂରରେ ଥିବା ସିନ୍ଧିପଦର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଓ ଚାଉଳ ଆଣିଥାନ୍ତି। କିନ୍ତୁ କିଛି ଦିନ ହେବା ଗ୍ରାମବାସୀମାନେ ଏକ ଟଙ୍କାର ଚାଉଳ ଆଣିବା ପାଇଁ ଗାଡି ଭଡା କରି କଲମପୁର ସିଙ୍ଗାରୀ ଘାଟି ମଧ୍ୟ ଦେଇ ଦୀର୍ଘ ୫୦ କିଲୋମିଟର ଯାଇ ଚାଉଳ ଆଣୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣା ଖବର ପାଇ ପୂର୍ବତନ ସମିତି ଅଧ୍ୟକ୍ଷା ଦ୍ରୌପଦୀ ମାଝୀ, ପୂର୍ବତନ ସମିତି ସଭ୍ୟ ମନୋରଞ୍ଜନ ନାଏକ ଓ କୃଷ୍ଣ ନାଏକ ପ୍ରମୁଖ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ।

Comments are closed.