ଦୁଇ ନାବାଳକ ନିଖୋଜ, ଆଶଙ୍କାରେ ଦୁଇ ପରିବାର

କଲମପୁର: ସକାଳୁ ପ୍ରାତଃ ଭ୍ରମଣକୁ ଯାଇ ଆଉ ଫେରିଲେନି ଦୁଇ ନାବାଳକ। ସକାଳ ଯାଇ ସଂଧ୍ୟା ହେଲା ତଥାପି ଦୁଇ ପିଲାଙ୍କ କୌଣସି ସୁରାକ ମିଳିନଥିଲା। ଯେତେ ସମ୍ପର୍କୀୟ ଓ ଦୁଇ ବାଳକଙ୍କ ସାଙ୍ଗ ସାଥିଙ୍କ ଠାରୁ ନିରାଶ ହେବା ପରେ ଦୁଇ ନାବାଳକ ନିଖୋଜ ନେଇ ପରିବାର ଲୋକ ଥୁଆମୁଳ ରାମପୁର ଥାନାର ଦ୍ୱାରସ୍ଥ ହେଇଛନ୍ତି। ଏବେ ସେମାନଙ୍କ ସ୍ଥିତି ନେଇ ଆଶା ଓ ଆଶଙ୍କାରେ ଉଭୟ ନାବାଳକଙ୍କ ପରିବାର।

ସୁଚନା ଅନୁସାରେ ଥୁଆମୁଳ ରାମପୁର ଜଗନ୍ନାଥ କଲୋନୀ ଅଧିନସ୍ଥ ସ୍ବର୍ଗତ ଅରଚିତ ବାଗଙ୍କ ୧୩ ବର୍ଷିୟ ପୁଅ ଉପେନ୍ଦ୍ର ଓ କୃଷ୍ଣ ଠାକୁରଙ୍କ ପୁଅ ନରେଶ ୧୨ ବର୍ଷ ପ୍ରତିଦିନ ଭଳି ବୁଧବାର ଦିନ ଭୋରରୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ଏପରିକି ନରେଶ ସକାଳୁ ବସ୍‍ ଷ୍ଟାଣ୍ଡ ନିକଟରେ ବୁଲୁଥିବା ବାପା କୃଷ୍ଣ ଦେଖି ଘରକୁ ଯିବା ପାଇଁ କହିଥିଲେ। ନରେଶ ବାପାର କଥାରେ ହଁ ମାରିଥିଲେ ମଧ୍ୟ ଘରକୁ ଫେରିବା ବଦଳରେ କେଉଁଆଡେ ଚାଲିଯାଇଛି। ସେହିଭଳି ଉଭୟ ନରେଶ ଓ ଉପେନ୍ଦ୍ର ଘନିଷ୍ଟ ବନ୍ଧୁ। ଉଭୟ ବସ୍‍ ଯୋଗେ କେଉଁଆଡେ ଚାଲିଯାଇଥିବା ଆଶଙ୍କା କରାଯାଉଛି। ଏନେଇ ପରିବାର ଲୋକ ଥୁଆମୁଳ ଠାରୁ କାଶିପୁର ଦେଇ ରାୟଗଡାକୁ ଯାତାୟତ କରୁଥିବା ବସ୍‍ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। କିନ୍ତୁ ବସରେ ପ୍ରାୟ ୧୦ ଜଣ ବାଳକ ବସିଥିବାରୁ ସେମାନଙ୍କ ମଧ୍ୟରୁ ଏହି ଦୁଇ ଜଣ ବାଳକଙ୍କୁ ଚିହ୍ନଟ କରିବା ସମ୍ଭବ ନୁହେଁ ବୋଲି କହିଥିଲେ।

ଏହି ଦୁଇ ନାବାଳକ କୌଣସି ଅସାମାଜିକ ବ୍ୟକ୍ତିର ପ୍ରଲୋଭନର ଶିକାର ହେଇନାହିଁନ୍ତି ତ? ମୋବାଇଲ ମାନିଆ ଯୋଗୁଁ କୌଣସି ଅସାମାଜିକ ବ୍ୟକ୍ତିର ଶିକାର ହେବା ଘଟଣାକୁ ଏଡାଇ ଦିଆଯାଇନପାରେ। ନିଜ ନିଜ ପିଲାଙ୍କ ଭବିଷ୍ୟତ ନେଇ ଉଭୟଙ୍କ ପରିବାର ଚିନ୍ତିତ। ତେଣୁ ଏନେଇ ଥୁଆମୁଳ ରାମପୁର ଥାନାରେ ଦୁଇ ନାଁ ବାଳକଙ୍କ ନିଖୋଜ ନେଇ ଏକ ଏତଲା ଦିଆଯାଇଛି। ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ଏହି ଏତଲାକୁ ଗ୍ରହଣ କରିବା ସହ ତୁରନ୍ତ ପଡୋଶୀ ଥାନା ସବୁକୁ ଦୁଇ ନାବାଳକଙ୍କ ନିଖୋଜ ନେଇ ସୁଚନା ଦେଇଛନ୍ତି। ଏହାସହ ଦୁଇ ନାବାଳକଙ୍କୁ ଠାବ କରିବାରେ ସହଯୋଗ କରିବା ପାଇଁ ଜଣାଇଛନ୍ତି।

Comments are closed.