ସ୍ଥାନ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦରେ ବନ୍ଦ ପାଳନ କଲେ ଆଦିବାସୀ

କଲମପୁର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ଏବେ ଚାହା ଦୋକାନ ଠାରୁ ଆରମ୍ଭ କରି ପାନ ଦୋକାନ ସବୁଠି ଚର୍ଚ୍ଚା କିଏ କେଉଁ ପଦବୀ ପାଇଁ ନିର୍ବାଚନ ଲଢିବ ଓ କାହାର ବିଜୟ ସମ୍ଭାବନା ରହିବ। ନିକଟରେ ବିଭିନ୍ନ ପଂଚାୟତ, ସମିତି, ୱାର୍ଡ ଓ ଜିଲ୍ଲା ପରିଷଦ ପାଇଁ ସାନି ତାଲିକା ପ୍ରକାଶ ପାଇଥିଲା। ପ୍ରଥମ ତାଲିକାରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉଚ୍ଛେଦ କରାଯାଇଥିବା ବେଳେ ପରବର୍ତି ଅନ୍ୟ ଏକ ତାଲିକାରେ ଉଭୟ ପଛୁଆ ବର୍ଗ ଓ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ଆଦିବାସୀ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଥିବାରୁ କଳାହାଣ୍ଡି ଆଦିବାସୀ ସଂଘ ତରଫରୁ ବୁଧବାର କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ଡାକରା କୁ କଲମପୁର ବ୍ଲକ ଆଦିବାସୀ ସଂଘ ସମର୍ଥନ କରି ସମସ୍ତ ଦୋକାନ ବଜାର ସମେତ ବ୍ୟାଙ୍କ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ କୁ ବନ୍ଦ କରାଯାଇଥିଲା। କିନ୍ତୁ ବର୍ତମାନ ଚାଲିଥିବା ବିଭିନ୍ନ ଶ୍ରେଣୀର ପରୀକ୍ଷାର ଗୁରୁତ୍ୱ ଦୃଷ୍ଟିରୁ ସ୍କୁଲ କଲେଜ ସବୁ ଖୋଲାଯାଇଥିବା ବେଳେ କାଁ ଭାଁ ଯାନ ବାହାନ ଚଳା ଚଳ ମଧ୍ୟ ହେଉଛି। ସମିତି ଉପାଧ୍ୟକ୍ଷ ଦୁଖିରାମ ମାଝୀ, ଶ୍ରୀଧର ମାଝୀ, ଚାଣ୍ଡାଲ ମାଝୀ, ନକୁଳ ମାଝୀ,ଶୁସାନ୍ତ ମାଝୀ, କରନ ଝାକର, ନରସିଂ ମାଝୀ ପ୍ରମୁଖ ଏହି ବନ୍ଦ ପାଳନ ନେତୃତ୍ୱ ନେଇଥିଲେ। ପାରମ୍ପାରିକ ବାଜା ସହ ସମସ୍ତ କାର୍ଯ୍ୟାଳୟକୁ ଯାଇ ବନ୍ଦ କରିଥିଲେ।

Comments are closed.