ବଦଳିବ ୮ଶହ ବର୍ଷ ପୁରୁଣା ମନ୍ଦିରର ଚିତ୍ର, ଆଭାସୀ ମାଧ୍ୟମରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଲମପୁର: ବଦଳିବ ୮ଶହ ବର୍ଷ ପୂର୍ବେ ନାଗ ବଂଶିୟ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଥୁଆମୁଳ ରାମପୁର ଆରାଧ୍ୟା ଦେବୀ ମାଣିକେଶ୍ୱରୀଙ୍କ ମନ୍ଦିରର ରୁପ ଚିତ୍ର। ଗତ କିଛି ଦିନ ତଳେ ଏହି ମାଣିକେଶ୍ୱରୀଙ୍କ ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଥିଲେ। ଯାହା ମନ୍ଦିର ନିର୍ମାଣ ପାଇଁ ସ୍ୱପ୍ନ ଦେଖୁଥିବା ଅଂଚଳବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଇଥିଲା। ଦୀର୍ଘ ଦିନରୁ ଏହି ମନ୍ଦିର ନିର୍ମାଣ ପାଇଁ ଅଂଚଳବାସୀ ଦାବି କରି ଆସୁଥିଲେ। କଳାହାଣ୍ଡିର ବଣ ପାହାଡ ଘେରା ତଥା ଅନେକ ଜଳ ପ୍ରପାତ ଓ ଝରଣା ଯୋଗୁଁ ଥୁଆମୁଳ ରାମପୁର ଏକ ପର୍ଯ୍ୟଟନ ଅଂଚଳ ଭାବେ ଅନେକ ପର୍ଯ୍ୟଟକକୁ ଆକୃଷ୍ଟ କରିଥାଏ। ଏହି ସମୟରେ ପର୍ଯ୍ୟଟକ ମାଣିକେଶ୍ୱରୀଙ୍କ ମନ୍ଦିର ଦର୍ଶନରେ ଯାଇଥାନ୍ତି। କିନ୍ତୁ ମନ୍ଦିରର ଭଗ୍ନ ଅବସ୍ଥା ସମସ୍ତଙ୍କ ବ୍ୟଥିତ କରୁଥିଲା।

ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉଦ୍ୟମ କ୍ରମେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ସହଯୋଗରେ ମନ୍ଦିର ନିର୍ମାଣ ପାଇଁ ଅଂଚଳବାସୀଙ୍କ ଦାବୀକୁ ଯାଜପୁର ଯୁବନେତା ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ। ଅଂଚଳବାସୀଙ୍କ ଆରାଧ୍ୟା ଦେବୀ ମାଣିକେଶ୍ୱରୀଙ୍କ ପ୍ରତି ଅଗାଢ ଭକ୍ତି ଥିବା ଅନୁଭବ କରି ମୁଖ୍ୟମନ୍ତ୍ରୀ ମନ୍ଦିର ନିର୍ମାଣ ପାଇଁ ଅନୁଦାନ ଯୋଗାଇଛନ୍ତି। ଶୁକ୍ରବାର ଆଭାଷୀ ମାଧ୍ୟମରେ ଏହି ମନ୍ଦିରର ଶିଳାନ୍ୟାସ କରିଥିଲେ। ଏ ଅବସରରେ ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା।

ଏଥିରେ ଜିଲ୍ଲାପାଳ ଗାଭିଲ ପରାଗ ହର୍ସଦ୍ଦଙ୍କ ସମେତ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ମାନ୍ୟବର ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ ଓ ନର୍ଲା ବିଧାୟକ ଭୁପେନ୍ଦ୍ର ସିଂ ମଂଚାସୀନ ହେଇ ମୁଖ୍ୟମନ୍ତ୍ରୀ ଏହି ଦେବୀ ମାଁଙ୍କ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଇଥିବାରୁ ଅଂଚଳବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଗତ ଜାନୁଆରୀ ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ଥ ସମୟରେ ଇନ୍ଦ୍ରାବତୀ ଉଦ୍‍ଗମ ସ୍ଥଳର ବିକାଶ ଓ ଇନ୍ଦ୍ରାବତୀ ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୁରଣ ହେବ ବୋଲି ବିଧାୟକ ଶ୍ରୀ ଦିଶାରୀ ପୁଣି ଦୋହରାଇଥିଲେ।

Comments are closed.