କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡିଲା ଯକ୍ଷ୍ମା ରୋଗ ଚିହ୍ନଟ ସଚେତନତା ରଥ

କଲମପୁର: ଟିବି ହାରିବ ଦେଶ ଜିତିବ। ୨୦୨୫ ମସିହା ସୁଦ୍ଧା କେହି ଯକ୍ଷ୍ମା ରୋଗୀ ରହିବେ ନାହିଁ, ସମଗ୍ର ଦେଶ ହେବ ଯକ୍ଷ୍ମା ରୋଗ ମୂକ୍ତ। ସେହି ଲକ୍ଷରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପାଳନ କରାଯାଉଛି ଯକ୍ଷ୍ମା ରୋଗ ଚିହ୍ନଟ ପକ୍ଷ ପାଳନ। ଆଶା କର୍ମୀ ଘର ଘର ବୁଲି ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବେ। କୌଣସି ବ୍ୟକ୍ତିର ଯଦି ଯକ୍ଷ୍ମା ରୋଗର ସାମାନ୍ୟତମ ଲକ୍ଷଣ ଥିବାର ଜଣାପଡେ ତେବେ ସେମାନଙ୍କ କଫ ନମୂନା ସହିତ ଅନ୍ୟ ସମସ୍ତ ପରୀକ୍ଷା କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯିବ।

କଲମପୁର ବ୍ଲକ ଯଦିଓ ଯକ୍ଷ୍ମାମୁକ୍ତ ବ୍ଲକ ଭାବେ ଘୋଷିତ ହେଇଥିଲେ ମଧ୍ୟ ଏହି ବ୍ଲକର ବ୍ରାହ୍ମଣ କେନ୍ଦୁଗୁଡା, ଦେପୁର, ଇଛାପୁର, ବିଜମରା, ଖଙ୍ଗାରଗୁଡା ଓ ଖଣ୍ଡିଡଙ୍ଗରୀଗୁଡା ପ୍ରମୁଖ ୬ ଖଣ୍ଡ ଗାଁରେ କିଛି ଯକ୍ଷ୍ମା ସଂକ୍ରମିତ ରୋଗୀ ଥିବାରୁ ଏହି ଗାଁ ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ଡାକ୍ତର ଶିବାଶିଷ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି। ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ରରେ ଏହି ଯକ୍ଷ୍ମା ରୋଗର ମାଗଣା ରେ ପରୀକ୍ଷା, ଚିକିତ୍ସା ସହ ପୁଷ୍ଟିକର ଖାଦ୍ୟ ପାଇଁ ମାସିକ ୫ଶହ ଟଙ୍କାର ଆର୍ଥିକ ସହାୟତା ରହିଛି। କାରଣ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଶାରିରୀକ ଦୁର୍ବଳତା କାରଣରୁ କାର୍ଯ୍ୟକ୍ଷମ ହେବା ସମ୍ଭବ ହେଇନଥାଏ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିର ଔଷଧ ସମେତ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତା ଥାଏ। ତେଣୁ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ଏହି ଆର୍ôଥକ ସହାୟତା କରାଯାଉଛି। ଏଭଳି କିଛି ବାର୍ତା ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶନିବାର କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଯକ୍ଷ୍ମା ରୋଗର କାରଣ ନିରାକରଣ ଓ ନିୟନ୍ତ୍ରଣ ନେଇ ଏକ ସଚେତନ ରଥ ଗଡିଛି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଏହି ସଚେତନ ରଥର ଶୁଭାରମ୍ଭ କରିଛନ୍ତି। ଏଥିରେ ଡାକ୍ତର ସମ୍ବିତ ମହାନ୍ତି, ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଅମିୟ କୁମାର ଜଗଦଲା, ଡାକ୍ତର ଜ୍ୟୋତି କ୍ରିଷ୍ଣା ମାଝୀ ପ୍ରମୁଖଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ ପରିଚାଳନା କରିଥିଲେ।

Comments are closed.