ମାଓ ପୋଷ୍ଟରରେ ଧର୍ମ ନିରପେକ୍ଷ ଗଣତାନ୍ତ୍ରୀକ ସମାଜ ଗଠନ ପାଇଁ ଆହ୍ୱାନ

0

କଲମପୁର : ଗତ ଶନିବାର ରାତିରେ ନିୟମଗିରୀ ଅଞ୍ଚଳରେ ମାଓବିରୋଧି ପୋଷ୍ଟର ବିଭିନ୍ନ ବସ ଓ ଛକରେ ମାରିଥିବା ଯେତିକି ଚର୍ଚ୍ଚା ଥିଲା ତାର ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଖଣ୍ଡୁଆଲ ମାଲି, କୁଟୃମାଲି ଓ ସିଜୁ ମାଲି ପାଦଦେଶରେ ପୁଣି ମାଓବାଦୀଙ୍କ ଦ୍ୱାରା ପୋଷ୍ଟର ମାରିବା ଘଟଣା କଳାହାଣ୍ଡିରେ ଆଲୋଚନାର ବିଷୟ ପାଲଟିଛି। ଏହି ପୋଷ୍ଟରରେ ସାଧାରଣ ଲୋକଙ୍କୁ ଧର୍ମ ନିରପେକ୍ଷ ଗଣତାନ୍ତ୍ରୀକ ସମାଜ ଗଠନ ପାଇଁ ଆହ୍ୱାନ ଦେବା ସାଧାରଣରେ ଚର୍ଚିତ ହେଉଛି।
ପ୍ରାପ୍ତ ସୂଚନା ଅନୁସାରେ କର୍ଲାପାଟ ଅଭୟାରଣ୍ୟକୁ ଲାଗି ରହିଥିବା ସାଇସୁରନୀ ଛକ ନିକଟରେ ଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଲାଗିଥିବା ସୂଚନା ଫଳକରେ ସିପିଆଇ (ମାଓବାଦୀ) ଓଡିଶା ରାଜ୍ୟ ତରଫରୁ ୩ ଗୋଟି ପୋଷ୍ଟର ମରାଯାଇ ବ୍ରାହ୍ମଣୀ ହିନ୍ଦୁବାଦୀ ଫାଶିବାଦୀ ବିରୁଦ୍ଧରେ ଏକଜୁଟ ହୋଇ ସଂଗ୍ରାମ କରିବା ସହ ଗେରୁଆ ଧାର୍ମିକ ଆତଙ୍କବାଦୀ ସଂଘ ପରିବାରର ତାଣ୍ଡବଲୀଳା ବିରୁଦ୍ଧରେ ପ୍ରତିରୋଧ ସପ୍ତାହ ଡିସେମ୍ବର ୬ରୁ ୧୨ ମଧ୍ୟରେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ଶହୀଦଙ୍କ ସ୍ବପ୍ନକୁ ପୁରଣ କରିବା ସହ ବିସ୍ଥାପନକୁ ବିରୋଧ କରିବା ପାଇଁ ପିିଏଲଜିଏରେ ଯୋଗ ଦେବାପାଇଁ ଅନୁରୋଧ କରାଯାଇଛି। ଏହାସହ ମୋଦି ଓ ନବୀନ ସରକାରଙ୍କ ଫାଶିବାଦୀ ଦମନ ‘ଅପରେସନ ଗ୍ରୀନ ହଣ୍ଟ’କୁ ପରାସ୍ତ କରିବା ପାଇଁ ଆହ୍ୱାନ ଦିଆଯାଇଛି।
ସୂଚନାଯୋଗ୍ୟଯେ କିଛି ଦିନର ନିରବତା ପରେ ମାଓବାଦୀ ପୁଣି ଏହି ଅଞ୍ଚଳରେ ସକ୍ରିୟତା ହେଉଥିବା ବେଳେ ପୁଲିସ ତରଫରୁ ନିୟମିତ ଦମନ ଲୀଳା ଚାଲିଥିବାରୁ ସାଧାରଣ ଲୋକ ଭୟଭିତ ହେବାରେ ଲାଗିଛନ୍ତି। ପୁଲିସ ଓ ମାଓବାଦୀଙ୍କ ମଝିରେ ତ୍ରିଶଙ୍କୁ ଅବସ୍ଥାରେ ରହୁଛନ୍ତି ସରଳ ନିରୀହ ଲୋକ। ସେମାନଙ୍କ ପାଇଁ କୌଣସି ସୁରକ୍ଷାର ବ୍ୟବସ୍ଥା ନଥିବାରୁ କିଛି ଖବରୀଙ୍କ ପ୍ରଭାବ କାରଣରୁ ଜଳ, ଜଙ୍ଗଲ, ଜମି ଓ ଇଜ୍ଜତ ପାଇଁ ଲଢେଇ କରୁଥିବା ସାମାଜିକ କର୍ମୀ ଅପଦସ୍ତ ହେଉଛନ୍ତି। ତେଣୁ ଆଗାମୀ ଦିନରେ ଏହାର ଜବାବ ଦିଆଯିବା ନେଇ ବାରମ୍ବାର ମାଓବାଦୀଙ୍କ ତରଫରୁ ଚେତାବନି ଦିଆଯାଉଛି। ଦଲାଲ ଶ୍ରେଣୀୟ ନେତାଙ୍କ ଠାରୁ ଅଞ୍ଚଳକୁ ମୁକ୍ତ କରିବା ପାଇଁ ପୋଷ୍ଟର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ଏହି ପୋଷ୍ଟର ମାରିବା ପରେ ଏହି ଅଞ୍ଚଳରେ କିଛି ଅଘଟଣ ଘଟିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Leave A Reply