ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ : ଜଙ୍ଗଲୀ ଜନ୍ତୁ ଆକ୍ରରମଣରେ ୧୪ ଛେଳି ମୃତ

0

କଲମପୁର : କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୁଳ ରାମପୁର ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଭାଲୁଘାଟି ଅଞ୍ଚଳରେ ଏବେ ଅଜଣା ଜଙ୍ଗଲୀ ଜନ୍ତୁର ପ୍ରଭାବ ଦେଖା ଦେଇଛି। ଏହି ଅଜଣା ଜଙ୍ଗଲୀ ଜନ୍ତୁର ପ୍ରଭାବ କାରଣରୁ ଭାଲୁଘାଟି ଉପର ମୁଣ୍ଡରେ ଥିବା ପୋଇଗୁଡାର ବହୁ ଛେଳି ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ସମଗ୍ର ଥୁଆମୁଲ ରାମପୁର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନା ଅଆନୁସାରେ, ଗତ ମଙ୍ଗଳବାର ଦିନ ଅପରାହ୍ନରେ କିଛି ଶିଶୁ ନିଜ ନିଜ ଛେଳିକୁ ଜଙ୍ଗଲପଟକୁ ନେଇ ଚରାଉଥିବା ବେଳେ ଗୋଟିଏ ଛେଳି ଅଜଣା ଜଙ୍ଗଲୀ ଜନ୍ତୁର ଶିକାର ପାଲଟିଥିବା ଦେଖିଥିଲେ। ଶିଶୁ ମାନେ ଭୟରେ ସେହି ସ୍ଥାନ ଛାଡି ଜନବସତିକୁ ଆସି ନିଜ ନିଜ ଘରେ ଜଙ୍ଗଲର ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ। ଗାଁ ଲୋକ ନିଜ ନିଜ ଛେଳି ଖୋଜିବା ପାଇଁ ଗଲା ବେଳକୁ ରାତି ହେଇଯିବାରୁ ଫେରି ଆସିଥିଲେ। ବୁଧବାର ସକାଳେ ପୁନଃ ଖୋଜିବାକୁ ଗଲା ବେଳେ ଜଙ୍ଗଲ ଭିତରେ ଏଣେ ତେଣେ ମରି ପଡିଥିବା ୧୪ ଗୋଟି ଛେଳିକୁ ଉଦ୍ଧାର କରିଥିଲେ। ଏହି ସମସ୍ତ ମୃତ ଛେଳିର ବେକ ପାଖରେ କଣା ହୋଇଥିବା ଦେଖା ଯାଇଥିଲା। ଆହୁରି ଅନେକ ଛେଳି ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି।
ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ପୋଇଗୁଡା ଗ୍ରାମର ଡୁମେନ ମାଝୀଙ୍କ ୩ ଗୋଟି, ଗୁରୁ ମାଝୀଙ୍କ ୭ ଗୋଟି, ଗୁରୁବାରୁ ଜାନୀଙ୍କ ୪ ଗୋଟି ରୁପାଧର ମାଝୀଙ୍କ ୫ ଗୋଟି, ଜାଇତି ମାଝୀଙ୍କ ୨ ଗୋଟି ଛେଳି। ନିଖୋଜ ହୋଇଥିବା ବହୁ ଛେଳି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଗୋଟି ମୃତ ଛେଳିର ଶବ ଉଦ୍ଧାର କରାଯାଇଛି। ଆହୁରି ଅନେକ ଛେଳି ଏବେ ମଧ୍ୟ ନିଖୋଜ ରହିଥିବାରୁ ଲୋକଙ୍କ ମଧ୍ୟରେ ଏବେ ଆଶଙ୍କା ଦେଖା ଦେଇଛି। ଏହି ଅଜଣା ଜଙ୍ଗଲି ଜନ୍ତୁର ପ୍ରଭାବରେ ଜନ ଜୀବନ ନଷ୍ଟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଅନ୍ୟପଟେ ଏନେଇ ବନ ବିଭାଗ ପାଖରେ ସୂଚନା ଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସାଧାରଣରେ ବନ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କ ସହିତ ଯୋଗାଯୋଗ କରାଯିବା ପରେ ଘଟଣାସ୍ଥଳକୁ କିଛି ବନ କର୍ମଚାରୀ ଯାଇ ଲୋକଙ୍କୁ ମୃତ ଛେଳି ଗୁଡିକର ବ୍ୟବଚ୍ଛେଦ ପାଇଁ ଗୁରୁବାର ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥିବା ସୂଚନା ଦେଇଥିଲେ। ଜିଲା ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି. ଅଶୋକ କୁମାରଙ୍କ ସହ ଯୋଗାଯୋଗ କରାଯିବା ପରେ ବନ ବିଭାଗ ମାଧ୍ୟମରେ ଘଟଣାର ତଦନ୍ତ କରାଯାଇ କ୍ଷତିଗ୍ରସ୍ଥ ଲୋକଙ୍କ ଉଚିତ ସହାୟତା ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ସୁଚନା ଦେଇଥିଲେ।
ତୁରନ୍ତ ଏହି ବନ୍ୟ ଜନ୍ତୁର ପ୍ରଭାବରେ ଶିକାର ପାଲଟିଥିବା ଛେଳି ମାଲିକଙ୍କୁ ଉଚିତ କ୍ଷତିପୁରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply