ଆଦିବାସୀ ଇଲାକାରେ ଗଡିଲା ସରକାରୀ ବସ୍

0

କଲମପୁର : ବହୁ ଦିନର ପ୍ରତୀକ୍ଷା ପରେ ଜିଲା ସଦର ମହାକୂମା ଭବାନିପାଟଣା ଠାରୁ ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପିନାଥପୁରକୁ ମିଳିଲା ସରକାରୀ ବସ ଚଳାଚଳର ସୁବିଧା। ଏହି ରାସ୍ତାରେ ବସ ଚଳାଚଳ ପାଇଁ ଲୋକେ ବହୁ ଦିନରୁ ଦାବି କରି ଆସୁଥିଲେ। ଭବାନିପାଟଣା ଠାରୁ ସକାଳ ପ୍ରହହରେ ଏକମାତ୍ର ବେସରକାରୀ ବସ ଚଳାଚଳ କରୁଥିଲା, ଯାହା ଅନେକ ସମୟରେ ଯାନ୍ତ୍ରୀକ ତୃଟି କାରଣରୁ ରାସ୍ତାରେ ଅଟକି ରହୁଥିବା ବେଳେ କିଛି ଦିନ ବନ୍ଦ ରହୁଥିଲା। ଯାହା ଫଳରେ ଭବାନିପାଟଣାରୁ ଥୁଆମୁଳ ରାମପୁରକୁ ଯାତାୟତ କରିବାରେ ଯାତ୍ରୀଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଥିଲା। ଏହାସହ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଥୁଆମୁଳ ରାମପୁରକୁ ଆସିବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଥୁଆମୁଳ ରାମପୁର ବ୍ଲକ ଅଧିନରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଦପ୍ତରରେ ଚାକିରୀ କରୁଥିବା କର୍ମଚାରୀମାନେ ସଠିକ ସମୟରେ କାର୍ଯ୍ୟାଳୟ ପହଞ୍ଚିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ବର୍ତ୍ତମାନ ଏହି ବସ ଚଳାଚଳ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ସମେତ କର୍ମଚାରୀ ମାନେ ବିଶେଷ ଭାବେ ଉପକୃତ ହେବେ। ଭବାନିପାଟଣା ଠାରୁ ଥୁଆମୁଳ ରାମପୁର ମଧ୍ୟଦେଇ ଗୋପିନାଥପୁରର ଦୂରତ୍ୱ ପ୍ରାୟ ୧୧୦ କି.ମି ହେବ। ଏହି ବସ ଚଳାଚଳ ଦ୍ୱାରା ଥୁଆମୁଳ ରାମପୁର ବ୍ଲକର ୧୦ ଗୋଟି ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକ ଉପକୃତ ହୋଇ ପାରିବେ। ଭବାନିପାଟଣାରୁ ସକାଳ ୭.୩୦ରେ ଛାଡି ଥୁଆମୁଳ ରାମପୁର ଠାରେ ପ୍ରାୟ ୧୦ଟା ଓ ଗୋପିନାଥପୁର ଠାରେ ପ୍ରାୟ୧୧.୩୦ରେ ପହଞ୍ଚି ପୁଣି ସେହି ରାସ୍ତା ଦେଇ ଭବାନିପାଟଣା ଫେରିବ।

Leave A Reply