କାଞ୍ଜିଆଗୁଡାବାସୀଙ୍କ ଶୋଷ ମେଣ୍ଟାଉଛି ବାଲିଚୁଆର ଦୁଷିତ ପାଣି

କଲମପୁର: ଏବେ ଗ୍ରୀଷ୍ମ ଶେଷ ହେବା ପରେ ଆରମ୍ଭ ହୋଇଛି ବର୍ଷା। ଚାରି ଦିଗରେ କେବଳ ପାଣି ଓ କାଦୁଅ। ଜଳ ହିଁ ଜୀବନ କୁହାଯାଉଥିଲେ ମଧ୍ୟ କାଞ୍ଜିଆଗୁଡାବାସୀଙ୍କ ପାଇଁ ଜଳ ଏବେ ଜହର ପାଲଟିଛି। ଚାରି ଦିଗରେ ଘେରି ରହିଥିବା ବିସ୍ତୀର୍ଣ୍ଣ ଜଙ୍ଗଲ ମଝିରେ ରହିଛି ଆଦିବାସୀ ଜନ ବସତି କାଞ୍ଜିଆଗୁଡା। ସେହି ଗାଁ ପାଇଁ ରାସ୍ତା ସୁବିଧା ନାହିଁ କି ପାନୀୟ ଜଳର ସୁବିଧା ନାହିଁ। ସମସ୍ତ ଅସୁବିଧା ସତ୍ୱେ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି କାଞ୍ଜିଆଗୁଡା ଅଧିବାସୀ।

୨୦୧୪ ନିର୍ବାଚନ ପରେ ତତ୍କାଳୀନ ସାଂସଦ ଅର୍କ କେଶରୀ ଦେଓ ଥୁଆମୁଳ ରାମପୁର ବ୍ଲକର ସିନ୍ଧିପଦର ପଂଚାୟକୁ ନିଜ ଆଦର୍ଶ ଗ୍ରାମ ପଂଚାୟତର ମାନ୍ୟତା ଦେଇଥିଲେ। ଆଦର୍ଶ ଗ୍ରାମ ପଂଚାୟତର ମାନ୍ୟତା ପାଇବା ପରେ ଖୁସି ହେଇଯାଇଥିଲେ ପଂଚାୟତବାସୀ। କିନ୍ତୁ ପାଣି ଟିକିକ ପାଇଁ ଡହଳ ବିକଳ ହେଉଛନ୍ତି କାଞ୍ଜିଆଗୁଡାର ଆଦିବାସୀ। ନଳକୁଅଟିଏ ଗ୍ରାମବାସୀଙ୍କ ପାଇଁ ସପନ ପାଲଟିଛି। ଯେଉଁଥିପାଇଁ ଜଙ୍ଗଲି ଜନ୍ତୁ ଓ ମଣିଷ କେବଳ ଏକ ଚହଲା ପାଣିକୁ ଭରସା କରି ଆସୁଛନ୍ତି। ଏହି ଚହଲା ପାଣିରେ ଲୋକେ ସ୍ନାନ ଶୌଚାଦୀ କରୁଥିବା ବେଳେ ଅନ୍ୟ ଏକ ବାଲିଚୁଆଁରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି।

ଏବେ ବର୍ଷା ହେଉଥିବାରୁ ଉଭୟ ବାଲି ଚୁଆଁ ଓ ଚହଲା ପାଣି ଗୋଳିଆ ହେଇ ରହୁଛି। ଯାହା ପିଇବା ଯୋଗ୍ୟ ନୁହେଁ। ବର୍ଷା ବୃଦ୍ଧି ପାଇବା ସହ ଏହି ଅଂଚଳରେ ଝାଡା ବାନ୍ତି ରୋଗର ପ୍ରଭାବ ମଧ୍ୟ ବଢି ଥାଏ। ଦୁଷିତ ପାଣି ବ୍ୟବହାର ଦ୍ୱାରା ଏହି ରୋଗ ଦିନକୁ ଦିନ ମହାମାରୀର ରୁପ ନେଇଥାଏ। ଏହି ସମୟରେ ନେତା ପ୍ରଶାସକ କୁଅ ଓ ରାସ୍ତା ନିର୍ମାଣ କରିବାକୁ ବିଭିନ୍ନ ପ୍ରତିଶୃତି ଦେଇଥାନ୍ତି। ରାସ୍ତା ନିର୍ମାଣ ହୋଇନଥିବାରୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ମଧ୍ୟ ସମ୍ଭବ ହେଉ ନାହିଁ। ପଂଚାୟତ ମୁଖ୍ୟ କାର୍ଯ୍ୟାଳୟ ଥିବା ସିନ୍ଧିପଦରଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବେଳେ ବ୍ଲକ ସଦର ମହାକୂମା ଠାରୁ ପ୍ରାୟ ୨୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ। ଏହି ଗାଁ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ କେବଳ କ୍ୱାକ ଉପରେ ଭରସା କରନ୍ତି। କିନ୍ତୁ ରାତିରେ କେହି କ୍ୱାକ ନିଜ ଜୀବନକୁ ବିପଦ ମୂହଁକୁ ଠେଲି ଦେଇ ଏହି ଗାଁକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହେଇନଥାଏ।

ସିନ୍ଧିପଦର ପର୍ଯ୍ୟନ୍ତ ରାସ୍ତାର ସୁବିଧା ରହିଥିଲେ ମଧ୍ୟ ସିନ୍ଧିପଦର ଠାରୁ ୫ କିଲୋମିଟର ଦୂରରେ ଥିବା କାଞ୍ଜିଆଗୁଡା ପାଇଁ ରାସ୍ତା ନାହିଁ। ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତା ହିଁ ସେମାନଙ୍କ ଜୀବନ ରେଖା। ରାସ୍ତା ନଥିବାରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନଳକୁଅ ଖନନ ସମ୍ଭବ ହେଉନଥିବା କୁହାଯାଉଛି। ତେଣୁ ତୁରନ୍ତ ଜିଲା ପ୍ରସାସନ ସ୍ୱତନ୍ତ୍ର ପଦକ୍ଷେପ ନେଲେ ଗ୍ରାମବାସୀଙ୍କ ଦୁଃଖ ଲାଘବ ହେଇ ପାରିବ ବୋଲି ମତ ପ୍ରକାଶ ପାଇଛି।

Comments are closed.