ଝାଡା ବାନ୍ତି ନେଲା ମାଁ ଓ ଝିଅଙ୍କ ଜୀବନ

0

କଲମପୁର : ଥୁଆମୁଳ ରାମପୁର ଅଞ୍ଚଳରେ ଝାଡା ବାନ୍ତି ରୋଗ କମିବାର ନାଁ ନେଉ ନାହିଁ। ଚଳିତ ବର୍ଷ ଗତ ଦୁଇ ମାସ ମଧ୍ୟରେ ଝାଡା ବାନ୍ତିରେ ପ୍ରାୟ ୭ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୨ ଓ ୨୪ ତାରିଖ ଦିନ ପୁଣି ଏହି ରୋଗରେ ଆକ୍ରାନ୍ତ ହୋଇ ଉଭୟ ମାଁ ଓ ଝିଅ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ଥୁଆମୁଳ ରାପମରୁ ବ୍ଲକ ଅଧିନସ୍ଥ ସିଲେଟ ପଞ୍ଚାୟତ ଅନ୍ତର୍ଗତ ରୁପେନ ଗାଁର ୧୭ ବର୍ଷିୟ ସିତମେ ଦେଈ ମାଝୀ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଗତ ୨୨ ତାରିଖ ଦିନ ମୃତ୍ୟୁ ବରଣ କରିଥିଲା। ଏହାର ଦୁଇ ଦିନ ପରେ ୨୪. ତାରିଖ ଦିନ ସିତମେର ମାଁ ୬୩ ବର୍ଷିୟ ଭୁସକି ମାଝୀର ମୃତ୍ୟୁ ଘଟିଥିଲା। ଉଭୟ ମାଁ ଓ ଝିଅଙ୍କ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେବା ପରେ ମୃତ୍ୟୁଘଟିଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ଘଟଣା ସମ୍ବନ୍ଧରେ ଜାଣିନପାରିବା ଅତ୍ୟନ୍ତ ପରିତାପର ବିଷୟ। ଗତ ୨୯.୧୦ ଦିନ ଥୁଆମୁଳ ରାମପୁର ବ୍ଲକ ପରିସରରେ ଆୟୋଜିତ ଜିଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଏ ନେଇ କିଛି ଲୋକ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ତିଆଡିଙ୍କୁ ସୂଚନା ଦେବା ପରେ ମଙ୍ଗଳବାର ଥୁଆମୁଳ ରାମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଚିକିତ୍ସକ ଦଳ ରୁପେନ ଗାଁ ଠାରେ ପହଞ୍ଚିଲା ବେଳକୁ ସେଠାରେ ସୁନା ଦେଈ ମାଝୀ ୨୩, ତେଲାଡି ଦେଈ ମାଝୀ ୬୫, ରାତାନ ଦେଈ ମାଝୀ ୨୫, ଲକ୍ଷ୍ମୀ ଦେଈ ମାଝୀ ୩୫ ଓ ସୁନାମତୀ ମାଝ ୪୦ ପ୍ରମୁଖ ୫ ଜଣ ରୋଗୀ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବତ୍ସାରେ ପଡିଥିବାରୁ ଚିକିତ୍ସାକାରୀ ଦଳ ତୁରନ୍ତ ସେମାନଙ୍କ ଚିକିତ୍ସା ଆରମ୍ଭ କରି ଦେଇଛନ୍ତି।
ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଦୀର୍ଘ ୬୫ କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳ ଏକ ଅଗମ୍ୟ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳ ପାଇଁ ଯାତାୟତର କୌଣସି ସୁବିଧା ନଥିବାରୁ ଲୋକେ ଘଟଣା ସମ୍ବନ୍ଧରେ ପ୍ରଶାସନକୁ ଜଣାଇବା ସମ୍ଭବ ହୋଇ ପାରୁନଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣା ସମ୍ବନ୍ଧରେ ସୋମବାର ଜାଣିବା ପରେ ତୁରନ୍ତ ଏକ ଚିକିତ୍ସକ ଦଳକୁ ପଠାଇ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସହ ଆବସ୍ୟକୀୟ ପଦକ୍ଷେପ ନିଆଯାଇ ଚିକିତ୍ସା କରାଯାଉଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତିଆଡି ସୂଚନା ଦେଇଛନ୍ତି।

Leave A Reply