ଓଢଣୀରେ ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

0

କଲମପୁର : ବେକରେ ନିଜ ଓଢଣୀରେ ଫାଶୀ ଦେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣା ପଡିଛି। ଏହାକୁ କେନ୍ଦ୍ର କରି ମହିଳାଙ୍କ ବାପ ଘର ଲୋକେ ଏହା ଏକ ଯୋଜନା ବଦ୍ଧ ହତ୍ୟା ଦର୍ଶାଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଖବରଅନୁସାରେ ଗତ ଗୁରୁବାର ଦିନ ଘରେ କେହି ନଥିବା ବେଳେ ଥୁଆମୁଳ ରାମପୁର ବ୍ଲକ ଓଡ୍ରି ପଞ୍ଚାୟତ ଅଧିନସ୍ତ ଟାଙ୍ଗରୀ ଗ୍ରାମର ନରହରି ଗୌଡଙ୍କ ସ୍ତ୍ରୀ ଲଛମୀ(୨୦) ଘର ଛାତରେ ଲାଗିଥିବା ଏକ କାଠ ପାଟିରେ ନିଜ ଓଢଣୀରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଦେଖି ତୁରନ୍ତ ଓଢଣୀକୁ କାଟି ତଳକୁ ଓହ୍ଲାଇଥିଲେ। କିନ୍ତୁ ସେତେବେଳକୁ ଲଛମୀର ମୃତ୍ୟୁ ଘଟି ସାରିଥିଲା। ଏନେଇ ଶଶୁର ଘର ପରିବାର ଲୋକ ଡୁମେରପଦର ଠାରେ ଥିବା ଲଛମୀର ବାପା ଘର ଲୋକଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ଲଛମୀର ବାପା ଅର୍ଜୁନ ଗୌଡ ଘଟଣାସ୍ଥଳରେ ପହଞ୍ଚି ନିଜ ଝିଅର ମୃତ ଦେହ ପଡିଥିବା ଦେଖିବା ପରେ ଏହା ଏକ ଯୋଜନା ବଦ୍ଧ ହତ୍ୟାକୁ ଆତ୍ମହତ୍ୟାର ରୁପ ଦିଆଯାଉଥିବା ଦର୍ଶାଇ ଥୁଆମୁଳ ରାମପୁର ଥାନାରେ ଏକ ଅଭିଯୋଗ କରିଥିଲେ। ନିଜ ଝିଅକୁ ଶଶୁର ଗୋପାଳ ଗୌଡ, ଶାଶୁ ଚନ୍ଦ୍ରିକା ଓ ଜ୍ୱାଇଁ ନରହରି ମିଳିତ ଭାବେ ହତ୍ୟା କରିଥିବା ସନ୍ଦେହ କରି ଗୁରୁବାର ସନ୍ଧ୍ୟାରେ ସେ ଅଭିଯୋଗ କରିଥିଲେ। ଥୁଆମୁଲ ରାମପୁର ଥାନା ପକ୍ଷରୁ କେସ୍ ନଂ ୧୧୧ରେ ହତ୍ୟା ମାମଲା ରୁଜୁ କରି ଶୁକ୍ରବାର ସକାଳେ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ବିନୟ କୁମାର ଭୋଇଙ୍କ ଉପସ୍ଥିତିରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ସହକାରୀ ଅଜୟ କୁମାର ନାୟକ ଶବ ଜବତ କରି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ସୂଚନାଯୋଗ୍ୟ ଯେ, ମହିଳା ଜଣକ ଗତ ୨ ବର୍ଷ ତଳେ ନରହରିକୁ ବିବାହ କରିଥିଲେ। ବିବାହ ପରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଯାହାକୁ କେନ୍ଦ୍ର କରି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ମହିଳାଙ୍କ ପରିବାର ଲୋକ ଯଉତୁକ ପାଇଁ ନିଜ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି । ଅନ୍ୟପଟେ ପୁଲିସ ତରଫରୁ ଏହାର ତଦନ୍ତ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ମିଳି ପାରିବ ବୋଲି ପୁଲିସ ସୂଚନା ଦେଇଛି।

Leave A Reply