କାଳ ବୈଶାଖି ପ୍ରଭାବ : ଖଳା ଓ ମଣ୍ଡିରେ ଭିଜୁଛି ଧାନ

କଲମପୁର : ଜିଲା ପ୍ରଶାସନ ବିଳମ୍ବରେ ଧାନ ମଣ୍ଡି ଖୋଲିବା ଚାଷୀଙ୍କ ପାଇଁ କାଳ ହେଇଛି। ୫୦ ପ୍ରତିଶତରୁ ଅଧିକ ଚାଷୀ ସେମାନଙ୍କ ଧାନ ଅମଳ କରି ସାରିଥିଲେ ମଧ୍ୟ ବିଳମ୍ବରେ ମଣ୍ଡି ଖୋଲିବା କାରଣରୁ ବହୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରୟ କରି ପାରି ନାହାଁନ୍ତି। କିଏ ଖଳାରେ ତ କିଏ ରାସ୍ତା କଡରେ ପୁଣି କିଏ ମଣ୍ଡିରେ ଧାନ ନେଇ ରଖିଛନ୍ତି। ଏଭଳି ସ୍ଥିତିରେ ରିତିମତ କାଳ ବୈଶାଖିର ପ୍ରଭାବ କାରଣରୁ ପବନ ଓ ବର୍ଷା ହେଉଥିବାରୁ ଧାନ ଭିଜୁଥିବାର ଦେଖାଦେଇଛି। ଯାହାଫଳରେ ଧାନ ସବୁ ନଷ୍ଟ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।
ଗତ ବୁଧବାରଠାରୁ ଦିନ ତମାମ ୪୫ ଡିଗ୍ରୀ ଗ୍ରୀଷ୍ମ ତାପର ରହୁଥିବା ବେଳେ ଅପରାହ୍ନରେ କାଳ ବୈଶାଖିର ପ୍ରଭାବ କାରଣରୁ ପବନ ସହିତ ବର୍ଷା ହେଉଛି। ଚାଷୀ ଦିନ ତମାମ ଧାନ ଶୁଖାଇ ରଖୁଥିବା ବେଳେ ସଂଧ୍ୟା ସମୟରେ ପୁଣି ବର୍ଷା ହୋଇ ଧାନ ଭିଜୁ ଥିବାର ଦେଖାଯାଉଛି। ଶୁକ୍ରବାର ବର୍ଷାର ପରିମାଣ ବୃଦ୍ଧି ପାଇଥିଲା। ଏପରିକି ଦୀର୍ଘ ଏକ ଘଣ୍ଟା ଧରି ବର୍ଷା ହେବା କାରଣରୁ ବହୁ ଚାଷୀଙ୍କ ଧାନ ଭିଜି ଯାଇଛି। ଏପରିକି ବହୁ ଚାଷୀଙ୍କ ଧାନ ଅମଳ ନହେଇ ଜମିରେ ପଡି ରହିଥିବାରୁ ପବନ ପ୍ରଭାବରେ ଧାନ ତଳେ ପଡିଯାଇଛି। ପଡି ରହିଥିବା ଧାନ ଉପରେ ବର୍ଷାର ମାଡ କାରଣରୁ ଏହି ଧାନ ମଧ୍ୟ ଜମିରେ ରହି ଗଜା ହୋଇ ନଷ୍ଟ ହେବାର ଆଶଙ୍କା କରାଯାଉଛି।
କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ସହିତ ଗ୍ରୀଷ୍ମ ତାପର ପ୍ରଭାବ କାରଣରୁ ଶ୍ରମିକ ଧାନ ଅମଳରେ ନିୟୋଜିତ କରିବା ବିପଦପୂର୍ଣ୍ଣ ହେଇପଡିଛି। ଯାହା ଫଳେରେ ଚାଷୀ ଧାନ ଅମଳ ଯନ୍ତ୍ର ବ୍ୟବହାର କରିବା ପାଇଁ ଉଚିତ ମଣୁଛନ୍ତି। କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କାରଣରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆନ୍ଧ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଆଦି ରାଜ୍ୟ ବାହାର ଅଞ୍ଚଳରୁ ଆସୁଥିବା ଧାନ ଅମଳ ଯନ୍ତ୍ର କମ୍‍ ସଂଖ୍ୟାରେ ଆସିଥିବାରୁ ଚାଷୀଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ। ଏହାଦ୍ୱାରା ଚାଷୀ ବିଗତ ବର୍ଷମାନଙ୍କ ଠାରୁ ଚଳିତ ବର୍ଷ ଅଧିକ ମୂଲ୍ୟ ଦେଇ ଧାନ ଅମଳ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ କାଳ ବୈଶାଖିର ପ୍ରଭାବ କାରଣରୁ ବର୍ଷା ହେବା ଦ୍ୱାରା ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି।
ଧାନ ବିକ୍ରୟ ପାଇଁ ଚାଷୀ ପ୍ୟାକ୍ସ ଅଥବା ମହିଳା ଗୋଷ୍ଠୀଙ୍କ ଠାରୁ ଟୋକନ ପାଇବା ପରେ ମଣ୍ଡିକୁ ନିଜ ଧାନକୁ ନେଉଥିଲେ ମଧ୍ୟ କଲମପୁର ବ୍ଲକର ଇଛାପୁର, ଦେପୁର, ବରଗାଁ, ପଣ୍ଡିଗାଁ, ହାରାମାଲ, ବଡକୁଟୃ, ଡଙ୍ଗରୀପଡା, ବିଜମରା, ଦୁଲକିବନ୍ଧ, ମିଗୁର, ଭଇଁରୀ ଆଦି ମଣ୍ଡିରେ ଛାଉଣୀ ବ୍ୟବସ୍ଥା ନଥିବାରୁ ଚାଷୀ ନିଜ ଧାନକୁ ନେଇ ଖୋଲା ଆକାଶ ତଳେ ରଖୁଛନ୍ତି,ଯାହା ଫଳରେ ଦିନର ଗ୍ରୀଷ୍ମତାପ ଓ ସଂଧ୍ୟାର ବର୍ଷା ମାଡରେ ଧାନ ନଷ୍ଟ ହେଉଛି।
ସୁଚନା ଯୋଗ୍ୟ ଯେ, ମଣ୍ଡିରେ ଧାନର ସୁରକ୍ଷା ଓ ଆବଶ୍ୟକ ଭିତିଭୁମି ଯୋଗାଇ ଦେବା ପାଇଁ ନିୟନ୍ତ୍ରୀତ ବଜାର କମିଟି ଚାଷୀଙ୍କ ଧାନରୁ କମିଶନୀ ପାଉଛନ୍ତି। କିନ୍ତୁ ପରିତାପର ବିଷୟ ପ୍ରତି ବର୍ଷ କୋଟି କୋଟି ଟଙ୍କା କମିଶନୀ ଆକାରରେ ପାଉଥିଲେ ମଧ୍ୟ ନିୟନ୍ତ୍ରୀତ ବଜାର କମିଟି ଏହି ସବୁ ମଣ୍ଡିର ଭିତିଭୁମି ପ୍ରସ୍ତୁତି ଦିଗରେ ନିରବ ଦର୍ଶକ ସାଜିଛନ୍ତି। ଯେଉଁଥିପାଇଁ ଚାଷୀ କ୍ଷତିଗ୍ରସ୍ଥ ହେଉଛନ୍ତି। ତେଣୁ ତୁରନ୍ତ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.