ଧାନ ବୋଝେଇ ଟ୍ରକ ଧକ୍କାରେ ପୋଡିଲା ଟ୍ରାନ୍ସଫର୍ମର

କଲମପୁର : ଇଛାପୁର ଧାନ ମଣ୍ଡିରେ ଏକ ଅଘଟଣ ଘଟିଥିବା ଜଣାପଡିଛି। ଏକ ଆସନ୍ନ ବିପଦରୁ ବଞ୍ଚିଲା ଧାନ ବୋଝେଇ ଟ୍ରକ। ଏହାସହ ଜନ ବସତି ମଧ୍ୟ ଅଳ୍ପକେ ବିରାଟ ଅଗ୍ନୀକାଣ୍ଡରୁ ବଞ୍ଚିଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ଅପରାହ୍ନ ପ୍ରାୟ ୫ଟା ବେଳେ ଇଛାପୁର ଧାନ ମଣ୍ଡିରୁ ଏକ ଟ୍ରକରେ ଧାନ ବୋଝେଇ  କରାଯାଇଥିଲା। ଆଉ କିଛି ଧାନ ବୋଝେଇ କରିବା ପାଇଁ ଟ୍ରକକୁ ସାଇଡ କରି ଧାନ ବସ୍ତା ପାଖକୁ ନେଉଥିବା ବେଳେ ଇଛାପୁର ଧାନ ମଣ୍ଡି ନିକଟରେ ଥିବା ୬୫ କେଭି ବିଦ୍ୟୁତ୍‍ ଟ୍ରାନ୍ସଫର୍ମରରୁ ଜନୈକ ଉପଭୋକ୍ତା ବିଦ୍ୟୁତ ସଂଯୋଗ ନେଇଥିବା ବିଦ୍ୟୁତ୍‍ ତାରରେ ଡ୍ରାଇଭରର ଅସାବଧନତା ହେତୁ ତାରରେ ଟ୍ରକଟି ଲାଗିଯାଇଥିଲା। ଯାହା ଫଳରେ ତାର ଟାଣି ହୋଇ ସଟସର୍କିଟ ହେଇଯାଇଥିଲା। ଏହି ସଟସର୍କିଟ କାରଣରୁ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ହୁତୁ ହୁତୁ ହୋଇ ଜଳି ଯାଇଥିଲା। ମଣ୍ଡିରେ ଥିବା ସମସ୍ତ ଚାଷୀ ଭୟଭିତ ହୋଇ ପଡିଥିଲେ। ଏନେଇ ତୁରନ୍ତ ବିଦ୍ୟୁତ୍‍ ବିଭାଗକୁ ସୂଚନା ଦେବା ପରେ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରାଯିବା ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ଅନ୍ୟପଟେ ଏହି ଟ୍ରାନ୍ସଫର୍ମରରୁ ଶତାଧିକ ଉପଭୋକ୍ତା ଓ ଧାନ ମଣ୍ଡି ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଆଦିକୁ ବିଦ୍ୟୁତ୍‍ ସଂଯୋଗ କରାଯାଇଥିଲା। ବର୍ତ୍ତମାନ ଗ୍ରୀଷ୍ମ ତାପ ୪୦ ଡିଗ୍ରୀକୁ ଟପି ସାରିଥିବା ବେଳେ ଲୋକେ ଶିତଳତା ପାଇଁ କିଏ ପଙ୍ଖା, କୁଲର ବ୍ୟବହାର କରୁଥିବା ବେଳେ ଏବେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯିବା କାରଣରୁ ଲୋକେ ପ୍ରଭାବିତ ହେବେ। ଏହାସହ ଏ ଅଞ୍ଚଳରେ ଗ୍ରୀଷ୍ମ ତାପର ପ୍ରଭାବ ହେତୁ ଅଂଶୁଘାତ ରୋଗୀ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ପ୍ରାଥମିକ ଚିକିତ୍ସା ଯୋଗାଉଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ବିଦ୍ୟୁତ୍‍ ସଂଯୋଗ ନଥିବାରୁ ରୋଗୀମାନେ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

Comments are closed.