‘ସମାଜ’ର ପ୍ରଭାବ ଅନ୍ଧ ଦମ୍ପତିଙ୍କୁ ମିଳିଲା ବିଜୁ ପକ୍କା ଘର

କଲମପୁର :ଭଙ୍ଗା ଘରେ ଅସହାୟ ଭାବେ ଜୀବନ ଅତିବାହିତ କରୁଥିଲେ ଅନ୍ଧ ଦମ୍ପତି। ଘର ଖଣ୍ଡକ ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ଜିଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଧାଇଁ ଧାଇଁ ନିରାଶ ହେଉଥିଲେ। ଆମେ ଅନ୍ଧ ଆମେ ଦୁନିଆକୁ ଦେଖି ପାରୁ ନାହୁଁ କିନ୍ତୁ ଆମ ପାଇଁ ଏହି ସଭ୍ୟ ସମାଜ ମଧ୍ୟ ଅନ୍ଧ ସାଜିଛି। ଯେଉଁଥିପାଇଁ ତଥାକଥିତ ସଭ୍ୟ ସମାଜର ନଜରରେ ଆମେ ଆସି ପାରୁ ନାହୁଁ କି ଆମ ଦୁଃଖ କଷ୍ଟ କେହି ଦେଖି ପାରୁନାହାଁନ୍ତି ବୋଲି ‘ସମାଜ’ ପ୍ରତିନିଧିଙ୍କ ଆଗରେ ନିଜ ଦୁଃଖ ବଖାଣି ଥିଲେ କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଅଧିନସ୍ଥ ଭାଟିଗାଁର ଅନ୍ଧ ଦମ୍ପତି ଚୈତନ୍ୟ ଭୋଇ ଓ ତାର ସ୍ତ୍ରୀ ଅଞ୍ଜନା। ଅନ୍ଧ ଦମ୍ପତିଙ୍କ ଦୟନୀୟ ଜୀବନ ଯାପନ ସମ୍ବନ୍ଧରେ ‘ସମାଜ’ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବୋଦ୍ଧ ଜିଲା ହରଭଙ୍ଗାର ମାନବାଧିକାର କର୍ମୀ ସଚ୍ଚୀନ୍ଦ୍ର କୁମାର ସାହୁ ମାନ୍ୟବର ଜାତୀୟ କମିଶନଙ୍କ ନିକଟରେ ଅନ୍ଧ ଦମ୍ପତିଙ୍କ ସହାୟତା ପାଇଁ ପ୍ରାର୍ଥନା କରିଥିଲେ। ଏହସହ ଏହି ସମସ୍ୟର ସମାଧାନ କରିବା ପାଇଁ ସୋନପୁର ମାନବାଧିକାର କର୍ମୀ ଶ୍ରୀମନ୍ତ କୁମାର ମହନ୍ତ ମଧ୍ୟ ମୁଖମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚୈତନ୍ୟର ସମସ୍ୟା ର ସମାଧାନ ପାଇଁ ଅଭିଯୋଗ କରିଥିଲେ। ଏ ସମସ୍ତ ଅଭିଯୋଗ ପରେ ଜିଲା ପ୍ରଶାସନ ଚୈତନ୍ୟକୁ ଏକ ଆବାସ ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଜାତୀୟ ଆର୍ଥିକ ସମାଜିକ ଜନଗଣନାକାରୀ ମାନଙ୍କ ଭୁଲ କାରଣରୁ ଚୈତନ୍ୟର ନାମ ଏସ.ଇ.ସି.ସି ତାଲିକା ଭୁକ୍ତ ହେଇନଥିବାରୁ ସରକାରୀ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହେଇଥିଲା ଚୈତନ୍ୟ। କିନ୍ତୁ ଅସହାୟ ଅନ୍ଧ ଦମ୍ପତିଙ୍କ ଜୀବନ ଶୈଳି ଉପରେ ଖବର ପ୍ରକାଶନ ପରେ ବିଜୁ ପକ୍କା ଘର ଯୋଜନାରେ ଏକ ଘର ତିଆରି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ଦିନ ଗ୍ରାମୀଣ ଆବାସ ଯୋଜନାର ପ୍ରକଳ୍ପ ସଂଯୋଜକ ଭୋଳାନାଥ ଦାଶ, ମଣ୍ଡଳ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଧନଞ୍ଜୟ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ବି.ଡି.ଓ ହେମସାଗର ଭୋଇ ଅନ୍ଧ ଦମ୍ପତିଙ୍କୁ ବିଜୁ ପକ୍କା ଘର ନିର୍ମାଣର କାର୍ୟ୍ୟାଦେଶ ପତ୍ର ପ୍ରଦାନ କରିଥିଲେ। ତୁରନ୍ତ ଘର ନିର୍ମାଣର ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ସ୍ତାନୀୟ ଜନୈକ ଯୁବକଙ୍କୁ ମଧ୍ୟ ଘର ନିର୍ମାଣରେ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ।

Comments are closed.