ସାସୁରନୀରେ ପୁଣି ମାଓ ପୋଷ୍ଟର, ସରକାର କମ୍ପାନୀ ପାଇଁ କରୁଥିବା ବିସ୍ଥାପନ ନିତୀକୁ ବିରୋଧ

0

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଅଞ୍ଚଳରେ ପୁଣି ମାଓବାଦୀଙ୍କ ଦ୍ୱାରା ପୋଷ୍ଟର ମରାଯିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସରକାର ବହୁରାଷ୍ଟ୍ରିୟ କମ୍ପାନି ପ୍ରତି ଅନୁକମ୍ପା ଦେଖାଇ ଗରୀବ ଆଦିବାସୀ, ନିରୀହ ବନବାସୀଙ୍କୁ ବିସ୍ଥାପନ କରୁଥିବା ନିତୀକୁ ତିବ୍ର ବିରୋଧ କରାଯାଇଛି। ଯାହାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଥିବା ବେଳେ ନିରୀହ ଲୋକ ମାଓବାଦୀଙ୍କ ଉପସ୍ଥିତି ଜାଣିବା ପରେ ଆତଙ୍କିତ ହୋଇ ପଡୁଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ଗତ ରବିବାର ବିଳମ୍ବିତ ରାତିରେ କେହି ଅଜଣା ବ୍ୟକ୍ତି କଳାହାଣ୍ଡି ଜିଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ସାଇସୁରନୀ ଠାରେ ଥିବା ଏକ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାନ୍ଥରେ ଏକ ପୋଷ୍ଟର ମାରିଥିଲା। ଯେଉଁଠି ଓଡିଶା ରାଜ୍ୟ କମିଟି ଭାକପା (ମାଓବାଦୀ) ଉଲ୍ଲେଖ ଥିବା ବେଳେ ମାଓବାଦୀ ନାଗାବଲୀ ଡିଭିଜନ କାଶିପୁର ସମ୍ପାଦକ ଜାରି କରିଥିବା ପୋଷ୍ଟରରରେ ଲେଖା ଯାଇଛି। ଏହି ପୋଷ୍ଟର ମୁତାବକ ସରକାର କମ୍ପାନି ପ୍ରତି ଅନୁକମ୍ପା ଦେଖାଇ ମୁଳନିବାସୀ ଆଦିବାସୀ ନିଜ ଦାଦି ଅଜା ଦିନ ଠାରୁ ଦଖଲରେ ଥିବା ଜଙ୍ଗଲ ଜମିକୁ ବେନିୟମ ଭାବେ କବ୍‍ଜା କରିବା ପାଇଁ ପ୍ରୟାସ କରୁଛନ୍ତି। ଏଥିରେ ନାକରୁଣ୍ଡି, ଗୁଣପୁର ରାଜସ୍ୱ ନିରୀକ୍ଷକଙ୍କ ସମେତ ରାଜସ୍ୱ ବିଭାଗର ଅନ୍ୟ ଅଧିକାରୀ ମାନେ କମ୍ପାନିକୁ ସହାଯ୍ୟ କରୁଥିବା ଦର୍ଶାଇଛନ୍ତି। କିନ୍ତୁ ଏହି ଅଧିକାରୀ ମାନେ ଗରୀବ ଆଦିବାସୀଙ୍କ ଜମି ୨୦୧୬ରୁ ୨୦୧୮ ମଧ୍ୟରେ ବନ୍ୟା ବାତ୍ୟା ଦ୍ୱାରା କ୍ଷତି ହେଇଥିଲେ ମଧ୍ୟ ତାର କ୍ଷତି ପୁରଣ ଯୋଗାଇବାରେ କାର୍ଯ୍ୟ କରିନଥିବାରୁ ଗରୀବ ଆଦିବାସୀ ଏବେ ଅସମୟରେ ଗତି କରୁଛନ୍ତି। ତେଣୁ ତୁରନ୍ତ ୨୦ ଡିସେମ୍ବର ମଧ୍ୟରେ କ୍ଷତିଗ୍ରସ୍ଥ ଆଦିବାସୀଙ୍କୁ କ୍ଷତିପୁରଣ ଯୋଗାଇ ଦିଆନଗଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି।
ଏଭଳି ପୋଷ୍ଟର ଦେଖିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସଂଚାର ହେଇଥିବା ବେଳେ ଏନେଇ ଥୁଆମୁଳ ରାମପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲା ଏନେଇ ସେ ସୁଚନା ପାଇଥିବା ଜାଣି ଥିଲେ ମଧ୍ୟ ନିଜ କର୍ମଚାରୀ ଯିବା ବେଳକୁ ସେଠାରେ ପୋଷ୍ଟର ନଥିବା ସୂଚନା ଦେଇଥିଲେ। ଏହା କୌଣସି ମାଓ ପୋଷ୍ଟର ହୋଇନଥିବା ଅନ୍ୟ କେହି ବଦମାସୀ କରିଥିବେ ବୋଲି ମତବ୍ୟକ୍ତ କରିଛନ୍ତି।

Leave A Reply