ବିଶୋଧନ ଅପେକ୍ଷାରେ ଏକମାତ୍ର ନଳକୂପ ; ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

କଲମପୁର : କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହେଇଥିବା ନଳକୂପ ବିଶୋଧନ ହେଇ ପାରି ନାହିଁ। ଯେଉଁଥିପାଇଁ ନଳକୂପରୁ ପାଣି ସଂଗ୍ରହ କରିବା ପାଇଁ ଆତଙ୍କିତ ହେଉଛନ୍ତି ଗ୍ରାମବାସୀ। ପାଣି ଟିକକ ପାଇଁ ଡହଳ ବିକଳ ହେବା ସହ ତୁରନ୍ତ ପାଣି ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ନିକଟରେ ଦାବି କରି ରାସ୍ତା ଉପରେ ପାଣି ଗରା ମାଠିଆ ରଖି ବସି ରହିଛନ୍ତି କଲମପୁର ବ୍ଲକ ଅଧିନସ୍ତ ଗଞ୍ଜେଇଗୁଡା ଗ୍ରାମର ମହିଳା।

ସୂଚନା ଅନୁଯାୟୀ, ଜୁନାଗଡ ଥାନା ଅଧିନସ୍ଥ ଜନୈକ ଚେନାଇ ଫେରନ୍ତା ଯୁବକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରରୁ ଫେରାର ମାରି ନିଜ ଘର ଓ ପରବର୍ତି ସମୟରେ ଗଞ୍ଜେଇଗୁଡା ଠାରେ ଥିବା ନିଜ ପିଉସା ଘରକୁ ଆସି ରହିଥିଲା। ପରେ ତାର ସ୍ୱାବ ପରୀକ୍ଷାରେ କରୋନା ଭୂତାଣୁ ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଯାହାରି ଫଳେରେ ଏବେ ଗ୍ରାମର ସମସ୍ତ ସାଧାରଣ ଜନତା ଆତଙ୍କିତ। ଉକ୍ତ ସଂକ୍ରମିତ ଯୁବକ ଗଞ୍ଜେଇଗୁଡା ଠାରେ ଥିବା ଏକମାତ୍ର ନଳକୂଅକୁ ପରୋକ୍ଷ ଅଥବା ପ୍ରତ୍ୟକ୍ଷ ଭାବେ ବ୍ୟବହାର କରିଛନ୍ତି। ଫଳରେ ଏହି ନଳକୂପ ସଂକ୍ରମିତ ଥିବା ଆଶଙ୍କା କରାଯାଉଥିବା ବେଳେ ପୂର୍ବରୁ ଏହି ନଳକୂଅ ବ୍ୟବହାର କରିଥିବା ଲୋକ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ରବିବାର ସକାଳୁ ଉକ୍ତ ନଳକୂଅ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି। ଏହା ବିଶୋଧିତ (ସାନିଟାଇଜର) କରା ନଯିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗିବ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି। ଲୋକେ ପାଣି ନ ପାଇବାରୁ ଅସହାୟ ହେଇ ପଡୁଛନ୍ତି। ଅନ୍ୟପଟେ ପ୍ରାୟ ୪ଶହ ସଂଖ୍ୟା ବିଶିଷ୍ଟ ଏହି ଗାଁ ହେଇଥିଲେ ମଧ୍ୟ ଗୋଟିଏ ମାତ୍ର ନଳକୂଅ ଥିବାରୁ ଗ୍ରାମବାସୀ ବିଭିନ୍ନ ସମୟରେ ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ବି.ଡି.ଓ ହେମସାଗର ଭୋଇ ଓ ତହସିଲଦାର କରିସ୍ମା ବେଶ୍ରା ଜାଣିବା ପରେ ତୁରନ୍ତ ମହିଳା ମାନଙ୍କ ନିକଟରେ ପହଞ୍ଚି ପାଣି ଯୋଗାଇବାର ବ୍ୟବସ୍ଥା କରାଯିବା ନେଇ ପ୍ରତିଶୃତି ଦେଇଥିଲେ।

Comments are closed.