ବିଦ୍ୟୁତ୍‍ ଫାସରେ ବାର୍‍ହା ; ଜଙ୍ଗଲ ବିଭାଗ ନିରବ

0

କଲମପୁର : କଲମପୁର ଅଞ୍ଚଳରେ ଜଙ୍ଗଲି ଜନ୍ତୁ ବାର୍‍ହାର ଜୀବନ ବିପଦରେ। ଜଙ୍ଗଲରୁ ଗଛ ନଷ୍ଟ ହେଉଥିବାରୁ ଅନେକ ସମୟରେ ଖାଦ୍ୟ ଅଭାବ ଦେଖା ଦେଉଛି। ଏପରିକି ପାରମ୍ପାରିକ ପାଣି ସ୍ରୋତ ପ୍ରଭାବିତ ହେଉଥିବାରୁ ଜଙ୍ଗଲି ଜନ୍ତୁ ଖାଦ୍ୟ ଓ ପାଣି ପାଇଁ ଜଙ୍ଗଲ ନିକଟସ୍ତ ଜନବସତିକୁ ଆସୁଥିବା ଦେଖିବାକୁ ମିଳୁଛି। ଜଙ୍ଗଲ ପାଦ ଦେଶରେ ଥିବା ବହୁ ଚାଷ ଜମିର ଧାନକୁ ବାର୍‍ହା ପଲ ନଷ୍ଟ କରୁଥିବାରୁ ଚାଷୀ ମଧ୍ୟ ଅସହାୟ ହେଉଛନ୍ତି। କଲମପୁର ବ୍ଲକ ଅଧିନସ୍ତ ମାଟିଆ ଡଙ୍ଗର ପାଦ ଦେଶରେ ଥିବା ଦୁଲକିବନ୍ଧ, ମାଟିଆପଡା, ଦଣ୍ଡେଇଖୋଲ ଅଞ୍ଚଳର ଚାଷ ଜମିର ଫସଲ ଏବେ ପାକଳ ଅବସ୍ଥାରେ ରହିଛି। ଏହାକୁ ଖାଇବା ପାଇଁ ବାର୍‍ହା ପଲ ଆସୁଥିବାରୁ ଶିକାରୀ ଏହାର ସୁଯୋଗ ନେଇ ଶିକାର କରୁଛନ୍ତି। ବାର୍‍ହା ଶିକାର ପାଇଁ ଶିକାରୀ ମାନେ ଏହି ଜଙ୍ଗଲ ଦେଇ ଚାରବାହାଲ ଠାରୁ ବଡକୁଟୃ ବିଦ୍ୟୁତ୍‍ଷ୍ଟ୍ରକଚକୁ ସଂଯୋଗ ହେଇଥିବା ବିପଦ ପୂର୍ଣ୍ଣ ୧୧ କେ.ଭି ବିଦ୍ୟୁତ୍‍ ତାରର ସଂଯୋଗ କରୁଛନ୍ତି। ଏହି ଅଧିକ କ୍ଷମତା ବିଶିଷ୍ଟ ବିଦ୍ୟୁତ୍‍ ତାରକୁ ଏକ ସରୁ ତାର ମାଧ୍ୟମରେ ଏକ ଜାଲ ତିଆରି କରି ବାର୍‍ହା ଚଳାଚଳ କରୁଥିବା ପଥରେ ଅଳ୍ପ ଉଚ୍ଚତାରେ ସଂଯୋଗ କରି ଦେଉଛନ୍ତି। ଯେତେବେଳେ ବାର୍‍ହା ଏହି ରାସ୍ତାରେ ଖାଦ୍ୟ ଅନ୍ୱେଷଣରେ ଯାଉଛି ସେତେବେଳେ ବିଦ୍ୟୁତ୍‍ ଜାଲରେ ପଡି ପ୍ରାଣ ହରାଉଛି। ଗୋଟିଏ କି ଦୁଇଟି ନୁହେଁ ବହୁ ବାର୍‍ହା ଏମିତି ଶିକାରୀ କବଳରେ ପଡୁଛନ୍ତି। କେବଳ ବାର୍‍ହା ନୁହେଁ ଅନ୍ୟ ଜଙ୍ଗଲି ଜନ୍ତୁ ମଧ୍ୟ ଶିକାରୀର ବିଦ୍ୟୁତ୍‍ ଜାଲରେ ପଡି ଶିକାର ହେଉଛନ୍ତି। ଏପରିକି ଅଜଣା ମଣିଷ ମଧ୍ୟ ଶିକାରୀର ବିଦ୍ୟୁତ୍‍ ଜାଲରେ ଫସି ପ୍ରାଣ ହରାଉଛନ୍ତି। ଏନେଇ ଉଭୟ ବିଦ୍ୟୁତ ବିଭାଗ ଓ ଜଙ୍ଗଲ ବିଭାଗ ଜାଣିଥିଲେ ମଧ୍ୟ କୌଣସି ସଠିକ ପଦକ୍ଷେପ ନେଉନଥିବାରୁ ଶିକାରୀର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି ଓ ଜଙ୍ଗଲି ଜନ୍ତୁଙ୍କ ଜୀବନ ବିପନ୍ନ ରହିଛି। ଜଙ୍ଗଲ ବିଭାଗ ଏହା ଶିକାର ରୋକିବା ଦିଗରେ କୌଣସି ଠୋସ୍‍ ପଦକ୍ଷେପ ନନେଲେ ଆଗାମୀ ଦିନରେ ବାର୍‍ହା ଏଅଂଚଳରୁ ସମ୍ପୁର୍ଣ୍ଣ ଭାବେ ଲୋପ ପାଇଯିବାର ଆଶଂକା କରାଯାଉଛି। ବିଦ୍ୟୁତ୍‍ ସଂଯୋଗ କରି ବାର୍‍ହା ଶିକାର କରିବା ସହଜ ଉପାୟ ହେଇଥିବା ବେଳେ ବିପଦ ପୂର୍ଣ୍ଣ ୧୧ କେ.ଭି ବିଦ୍ୟୁତ୍‍ ତାର ସଂଯୋଗ ଦ୍ୱାରା ମାନବ ଜୀବନ ପ୍ରତି ବିପଦ ରହୁଛି। ଏହାସହ ବିଦ୍ୟୁତର ଏଭଳି ଦୂରୁପଯୋଗ ଦ୍ୱାରା ରାତିରେ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ ହେବା ଦ୍ୱାରା ବିଦ୍ୟୁତ୍‍ ଗ୍ରାହକ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବିଭିନ୍ନ ଚାଉଳ କଳ ସବୁ ରାତି ତମାମ ଅଚଲ ହେଇ ରହୁଛି। ତେଣୁ ତୁରନ୍ତ ଉଭୟ ଜଙ୍ଗଲ ଓ ବିଦ୍ୟୁତ୍‍ ବିଭାଗ ଏହାର ଏକ ନିରପେକ୍ଷ ତଦନ୍ତ କରି ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Leave A Reply