ଓଡିଶା- ଛତିଶଗଡ ସୀମାନ୍ତରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ଛତିଶଗଡ ପୁଲିସ : ୨ ଗିରଫ

କଳାହାଣ୍ଡି : ଗତ ଜାନୁଆରୀ ୧୦ ତାରିଖରେ କଳାହାଣ୍ଡି –ଛତିଶଗଡ଼ ସୀମାନ୍ତରେ ହୋଇଥିବା ହତ୍ୟା ଘଟଣାର ରବିବାର ପର୍ଦ୍ଦାଫାସ କରିଛି ଛତିଶଗଡ ପୁଲିସ। କେବେଳ ୫୦ ଡିସମିଲ ଜମି ପାଇଁ  ନିଜ ଭାଇ ଓ ପୁତୁରା ଏହି ହତ୍ୟାକାଣ୍ଡ ଘଟାଇଥିବା ଛତିଶଗଡ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନିଜ ଭାଇ ବଳଦେବ ସୁନାନି (୪୭) ଓ ପୁତୁରା ଭଗତ ସୁନାନି( ୨୮)।

ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୧୦ ତାରିଖ କଳାହାଣ୍ଡି ଜିଲା ଧର୍ମଗଡ ଥାନା ଅନ୍ତର୍ଗତ ଲଛିପୁର ଗ୍ରାମର ତର୍ପ ସୁନାନି(୫୫) ଙ୍କ ରକ୍ତାକ୍ତ ମୃତ ଦେହ ଛତିଶଗଡ ସୀମାନ୍ତ ଠିର୍ଲିଗୁଡା ଠାରେ ଠାବ ହୋଇଥିଲା। ଘଟଣା ସ୍ଥଳରେ ଛତିଶଗଡ ଦେଭୋଗ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିଥିଲା  ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା ଦେଭୋଗ ପୁଲିସ । ଘଟଣା ସମ୍ପର୍କରେ ଧର୍ମଗଡ ପୁଲିସ ସହ ଯୋଗାଯୋଗ ରଖାଯିବା ସହ ଗରିଆବନ୍ଦ ଡିଏସପି ଆଶିଷ କୁଞ୍ଜାମଙ୍କ ନେତୃତ୍ବରେ ଏକ ସ୍ପେଶାଲ ଟିମ ଗଠନ କରାଯାଇ ଥିଲା।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଡିଏସପି ଘଟଣା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିଜ ଭାଇ ବଳଦେବ ସୁନାନି (୪୭) ଓ ପୁତୁରା ଭଗତ ସୁନାନି( ୨୮) ହିଁ ହତ୍ୟାକାରିଥିବା ଜଣାପଡ଼ିଛି। କେବଳ ପଚାଶ ଡିସମିଲ ଜମି ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଘଟଣା ଦିନ ତର୍ପ ସୁନାନି କୌଣସି କାମ ପାଇଁ ଘରୁ ବାହାରି ଥିଲେ କିନ୍ତୁ ଗାଁ ଅଳ୍ପ ଦୁର ଏକ ନିଛାଟିଆ ଜାଗାରେ ବାପ ପୁଅ ତର୍ପକୁ ଦେଖି ତଣ୍ଟିଚିପି ଦେଇଥିଲେ। ଫଳରେ ବେହୋସ ହୋଇ ପଡିଥିଲେ, ପରେ ଏକ ମୋଟର ସାଇକେଲରେ ବସାଇ ତାଙ୍କ ମୁହଁରେ ଗାମୁଛା ଗୁଡାଇ ଦେଇ ଠିକଣା ଲଗାଇବା ପାଇଁ ଏକ ନିଛାଟିଆ ରାସ୍ତା ଦେଇ ଛତିଶଗଡ ସୀମାନ୍ତକୁ ନେଇଥିଲେ ଓ ସେଠାରେ ଏକ ପଥର ସାହାଯ୍ୟରେ ମୁଣ୍ଡ ଓ ମୁହଁରେ ବାରମ୍ବାର ଆଘାତ କରିଥିଲେ ଫଳରେ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ତର୍ପ ସୁନାନିଙ୍କ ମୃତ୍ୟୁ ହୋଇଥିଲା। ତଦନ୍ତ ସମୟରେ ବାପ ପୁଅଙ୍କ ବୟାନ ତାଳମେଳ ନ ଥିବାରୁ ପୋଲିସର ସନ୍ଦେହ ଉଭୟଙ୍କ ଉପରେ ରହିଥିଲା।  ହତ୍ୟାକାରି ମାନଙ୍କୁ ଧରିବା ପାଇଁ ଡିଏସପିଙ୍କ ନେତୃତ୍ଵରେ ଥାନା ଅଧିକାରୀ ସତ୍ୟନ୍ଦ୍ର ସିଂ ଶ୍ୟାମ , ପୁରୁଷୋତ୍ତମ ଯାଦବ, ଚୂଡାମଣି ଦେବତା, ସତିସ ଗିରି, ରାହୁଲ ସିଂ ଓ ଅନ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ସ୍ପେଶାଲ ଟିମ ଗଠନ କରାଯାଇ ଅତି ଚତୁରତାର ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି ଦେଭୋଗ ପୋଲିସ। କେଶ ନଂ ୦୩/୨୦ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 

 

 

Comments are closed.