ମହୀଶୂର ଯିବ ନର୍ଲା ଶିବ ମନ୍ଦିର ଶିଳାଲେଖ

ରୁପ୍ରାରୋଡ଼: କଳାହାଣ୍ଡି ଜିଲାର ସର୍ବପ୍ରାଚୀନ ନର୍ଲା ଶିବ ମନ୍ଦିରର ଶିଳାଲେଖ ଓ ଭୀମକେଲା ଗ୍ରାମରୁ ମିଳିଥିବା ପ୍ରାଚୀନ ବିଷ୍ଣୁ ପ୍ରତିମାର ଫଟୋ, ଲିପି ଉଦ୍ଧାର ପାଇଁ ମହୀଶୂର ପଠାଯିବ। ଏହି ସୂଚନା ଦେଇଛନ୍ତି ବିଶିଷ୍ଟ ଇତିହାସ ଗବେଷକ ଶଶାଙ୍କ ଶେଖର ପଣ୍ଡା। ସେ ଏହି ​ ଐତିହାସିକ କ୍ଷେତ୍ର ପରିଦର୍ଶନ କରି ସୂଚନା ଦେଇଛନ୍ତି ଯେ ନର୍ଲା ଶିବ ମନ୍ଦିର ପ୍ରଚୀରରେ ଥିବା ଶିଳାଲେଖ ପାଠୋଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗ ଅଧୀନରେ ମହୀଶୂରରେ ଥିବା ଶିଳାଲେଖ ପାଠୋଦ୍ଧାର ଶାଖାକୁ ପଠାଯିବ।

ଏହା ଦ୍ବାରା କଳାହାଣ୍ଡି ଜିଲାର ପ୍ରାଚୀନ ଇତିହାସର ନୂତନ ଦିଗ ଉ​‌େ​‌ନ୍ମାଚିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ୧୯୪୬ ମସିହାରେ ରାଜାରାଜୁଡ଼ା ଅମଳରେ ନର୍ଲା ଶିବ ମନ୍ଦିର ଶିଳାଲେଖର ପଠନ କାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ଅସଂପୂର୍ଣ୍ଣ ଥିଲା। ଏହି ଅଞ୍ଚଳ କମଳମଣ୍ଡଳ ଓ ରାଜା ମଦନ ମହାଦେବଙ୍କ ରାଜୁତି ସମୟର ବୋଲି ବିଶ୍ବାସ କରାଯାଉଛି। ରାମବଣି ସମ୍ବତ୍ସର ଦ୍ବାଦଶ ‌ଶତାବ୍ଦୀର ଏହି ଶିଳାଲେଖ ସାତଧାଡ଼ିରେ ଲିଖିତ ହୋଇଛି। ଶିଳାଲେଖର ସପ୍ତମ ଧାଡ଼ି ଅସ୍ପଷ୍ଟ ଦିଶୁଛି। ରକ୍ଷଣାବେକ୍ଷଣ ଅଭାବ ଓ କାନ୍ଥରେ ଚୂନ ମରାଯିବା ଯୋଗୁ ଏହା କ୍ଷତିଗ୍ରସ୍ତ ହୋଇଥିବା ଗବେଷକ ଅନୁମାନ କରୁଛନ୍ତି।

ସେହିପରି ଭୀମକେଲା ଗ୍ରାମର ସାନ୍ଦୁଲ ନଦୀ କୂଳରୁ ଜଣେ ବ୍ୟକ୍ତି ପାଇଥିବା ଅତି ପୁରାତନ ପଥର ଖୋଦିତ ବିଷ୍ଣୁଙ୍କ ପ୍ରତିମାକୁ ନିରୀକ୍ଷଣ କରି ଗବେଷକ ଶ୍ରୀ ପଣ୍ଡା କହିଛନ୍ତି ଯେ ଏହା ଭାରତ ବର୍ଷରେ ପ୍ରଥମ ଥର ପାଇଁ ଦେଖା ଯାଇଥିବା ପ୍ରାଚୀନତମ ବିଷ୍ଣୁ ପ୍ରତିମା। ଏହା ମୂର୍ତ୍ତି ତତ୍ବ ଉପରେ ଅଧିକ ଗବେଷଣା ପାଇଁ ଗବେଷକମାନଙ୍କୁ ଅନୁପ୍ରେରିତ କରିଛି। ହୁଏତ ଗୃହ ଦେବତା ରୂପେ ପୂଜା ପାଇ ଆସିଥିବା ୪ ଇଞ୍ଚ ଉଚ୍ଚ ଓ ୩ ଇଞ୍ଚ ଓସାର ବିଶିଷ୍ଟ ପଥର ଖୋଦେଇ ବିରଳ ବିଷ୍ଣୁ ପ୍ରତିମା ଦୁଇ ହାତରେ ଶ୍ରୀ ଫଳ ଧରିବା ଗୁପ୍ତ ବଂଶ ପରବର୍ତ୍ତୀ ସମୟର ବୋଲି ସେ ଅନୁମାନ କରିଛନ୍ତି। ଏହି ଗ୍ରାମର ଦକ୍ଷିଣ ପାର୍ଶ୍ବରେ ସାଢେ଼ ୪ ଫୁଟ ଉଚ୍ଚ କଳା ମୁଗୁନି ପଥର ତିଆରି ଚତୁର୍ଦ୍ଧା ମୂର୍ତ୍ତିକୁ ଗୁପ୍ତ ବଂଶ ଶାସନ ପରବର୍ତ୍ତୀ ଷଷ୍ଠ ଓ ସପ୍ତମ ଶତାବ୍ଦୀର ବୋଲି ସେ ଦର୍ଶାଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ତାଙ୍କ ସହିତ ଅନ୍ୟତମ ଇତିହାସ ଗବେଷକ ତଥା ଲେଖକ କୁମାର ମିହିରେନ୍ଦ୍ର ପ୍ରତାପ ସିଂଦେଓ ଉପସ୍ଥିତ ରହି କଳାହାଣ୍ଡିର ପ୍ରାଚୀନ ଇତିହାସରେ ନର୍ଲା, ଅସୁରଗଡ଼, ମଦନପୁର ରାମପୁର, ମୋହନ ଗିରି, ବେଲଖଣ୍ଡି, ଭୀମକେଲା, ବୁଢ଼ୀପଦରର ପୁରାତନ ଇତିହାସ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଅସୁରଗଡ଼ ଦୁର୍ଗ ଖନନ ପରେ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷାରୁ ଲପଲବ୍ଧ ତଥ୍ୟରୁ ଅସୁରଗଡ଼ ଦୁର୍ଗରୁ ନବମ ଶତାବ୍ଦୀର ଏକ ସହରୀ ସଭ୍ୟତାର ବିକାଶର ସୂଚନା ମିଳୁଥିବା ଶ୍ରୀ ପଣ୍ଡା କହିଛନ୍ତି।

Comments are closed.