ବିଶ୍ୱ କବି ମହାକୁମ୍ଭରେ ଯୋଗଦେଇ ଫେରିଲେ ଯୁବ ଲେଖକ ସୁଧୀର ଧଙ୍ଗଡ଼ାମାଝୀ

ନର୍ଲା : କଳାହାଣ୍ଡି ମାଟିର ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ୩୯ତମ ବିଶ୍ୱ କବି ମହାକୁମ୍ଭ (ୱାର୍ଲ୍ଡ କଂଗ୍ରେସ୍ ଅଫ୍ ପୋଏଟ୍ସ)ରେ ନିମନ୍ତ୍ରିତ କବି ଭାବେ ଯୋଗଦେଇ ଶୁକ୍ରବାର ଫେରିଛନ୍ତି । ବିଶ୍ୱ କଳା ଓ ସଂସ୍କୃତି ଏକାଡେମୀ (ୱାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟ୍ସ ଏଣ୍ଡ୍ କଲଚର୍) ତଥା କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ବିଶାଳ ସମ୍ମିଳନୀରେ ୮୨ଟି ଦେଶର ପ୍ରାୟ ୧୩୦୦ ଜଣ ଲବ୍ଧ ପ୍ରତିଷ୍ଠିତ କବି, ଲେଖକ ଓ ନୋବେଲ୍ ବିଜେତାଙ୍କ ସମେତ ୭୦୦ରୁ ଉର୍ଦ୍ଧ୍ବ ଯୁବକବି ଅଂଶଗ୍ରହଣ କରିଥିଲେ । ଏହା ଓଡ଼ିଶାରେ ପ୍ରଥମଥର ପାଇଁ ଓ ଭାରତରେ ତୃତୀୟଥର ପାଇଁ ଆୟୋଜିତ ହୋଇଥିଲା ।

ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରର ଯଦୁମଣି ଧଙ୍ଗଡ଼ାମାଝୀ ଓ ପ୍ରତିମା ଧଙ୍ଗଡ଼ାମାଝୀଙ୍କ ପୁତ୍ର ସୁଧୀର କୁମାର ଧଙ୍ଗଡ଼ାମାଝୀ ଓଡ଼ିଆ ସାହିତ୍ୟରେ ଏକ ପ୍ରଖର ସ୍ୱର । ତାଙ୍କ କବିତାରେ ଥାଏ ଚଳନ୍ତି ସମୟର କଥା। କବିତା ବ୍ୟତୀତ ଗଳ୍ପ, ଲଳିତ ନିବନ୍ଧ, ପ୍ରବନ୍ଧ, ଫିଚର୍, ସମ୍ପାଦନା, ବେତାର ଉପସ୍ଥାପନା ଆଦିରେ ସେ ବେଶ୍ ଲୋକପ୍ରିୟତା ପାଇସାରିଛନ୍ତି । ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଖଂଗାର୍’ ସାଉଁଟି ସାରିଛି ଅଜସ୍ର ପାଠକୀୟ ସ୍ୱୀକୃତି । ସାହିତ୍ୟ ସାଧନାର ସ୍ୱୀକୃତି ସ୍ୱରୂପ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ‘ମୁଲାକାତ୍’ କାର୍ୟ୍ୟକ୍ରମକୁ ଆମନ୍ତ୍ରିତ ହେବାସହ ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ‘ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ-୨୦୧୮’ ପାଇସାରିଛନ୍ତି ।

୫ଦିନ ଧରି ଆୟୋଜିତ ବିଶ୍ୱ କବି ମହାକୁମ୍ଭକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଶ୍ୱ କବି ମହାକୁମ୍ଭର ବିଭିନ୍ନ ସମାନ୍ତରାଳ ଅଧିବେଶନରେ ଇଂଲିଶ୍, ଚାଇନିଜ୍, ସ୍ପେନିଶ୍, ଓଡ଼ିଆ ଓ ହିନ୍ଦୀ କବିମାନେ କବିତା ପାଠ କରିଥିବାବେଳେ ସେଥିରେ ସୁଧୀର ଅଂଶଗ୍ରହଣ କରି କବିତା ପାଠ କରିଥିଲେ ।

ତାଙ୍କର ଏହି ସଫଳତାରେ କଳାହାଣ୍ଡି ଯୁବ ଲେଖକ ସମାବେଶ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଥିଏଟର୍ ସମେତ ଜିଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.