ଅଜଣା ରୋଗରେ ୪ ଜଣଙ୍କ ମୃତ୍ୟୁ, ୭ ଗୁରୁତର

ଲାଞ୍ଜିଗଡ଼ : ସଚେତନତା ଅଭାବରୁ ତଥା ସ୍ୱାସ୍ଥ୍ୟବିଭାଗର ଚରମ ଅବହେଳା ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ଏପରିକି ଅଜଣା ରୋଗରେ ବହୁ ଲୋକେ ଆକ୍ରାନ୍ତ ହେଉଥିବାବେଳେ ୪ଜଣ ରୋଗୀଙ୍କ ମୃତ୍ୟୁବରଣ କରିଥିବା ଭଳି ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଖବର ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକର ଲାଞ୍ଜି ପଞ୍ଚାୟତ ଖକ୍‌ସି ଗାଁରେ କୌଣସି ଏକ ଅଜଣା ରୋଗରେ ୧୧ ଜଣ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏବେ ବି ୭ ଲୋକେ ଗୁରୁତର ଅବସ୍ଥାରେ ଥିବାବେଳେ ବହୁ ବିଳମ୍ବରେ ସେମାନଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଏହି ରୋଗରେ ଆକ୍ରାନ୍ତ ଲୋକମାନଙ୍କ ପେଟ ଫୁଲିଯିବା ସହ ହାତଗୋଡ଼ ଫୁଲିଯାଉଛି । ଏହିପରି ଭାବେ ଗତ ପନ୍ଦର ଦିନ ମଧ୍ୟରେ ଗାଁର ଶୁକ୍ରୁ ମାଝୀ(୩୮), ବୁତେ ମାଝୀ(୬୦), ଭୁର୍ସି ମାଝୀ,(୬୫) ସାରା ମାଝୀ(୬୦)ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏବେ ବି ଗାଁରେ ଅନେକ ଆକ୍ରାନ୍ତ ଥିବାବେଳେ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ଦାବି କରିଥିବା ବେଳେ ୪ଜଣଙ୍କ ମୃତ୍ୟୁ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଧେଶରେ ଲାଞ୍ଜିଗଡ ଏମଏଚୟୁ ଟିମ୍ ଡ.ନରେନ୍ଦ୍ର ଦାସଙ୍କ ନେତୃତ୍ୱରେ ସେହି ଗାଁକୁ ପହଞ୍ଚି ଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିବା ବେଳେ କିଛି ରୋଗୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବୁଧବାର ମଧ୍ୟ ଲାଞ୍ଜିଗଡ ଡାକ୍ତରି ଟିମ୍ ସେ ଗାଁକୁ ଯାଇ ବିଭିନ୍ନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନକୈାଣସି ଭୟର ଆଶଙ୍କା ନାହିଁ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ସିଡିଏମଓ ଜଗୁଲାଲ ଅଗ୍ରାୱାଲ ପ୍ରକାଶ କରିଛନ୍ତି।

Comments are closed.