‘ସମାଜ’ର ପ୍ରଭାବ ବାୟୋର କମ୍ପାନୀର ହାଇବ୍ରିଡ ଧାନ କରି କ୍ଷତିଗ୍ରସ୍ଥ ଚାଷୀଙ୍କ କୃଷିକ୍ଷେତ୍ର ପରିଦର୍ଶନ କଲା କୃଷି ବିଭାଗ

କଲମପୁର :ହାଇବ୍ରିଡ ଧାନ ବିହନରେ ରୋଗ ଓ ମାଟିଆଗୁଣ୍ଡି ପୋକ ପ୍ରତିରୋଧକ ଶକ୍ତି ସହ ସ୍ୱଚ୍ଛ ଓ ନିର୍ମଳ ଯୋଗାଣ ନାଁ ରେ ବାୟୋର ନାମକ ଏକ କମ୍ପାନୀ ନିମ୍ନମାନର ବିହନ ଯୋଗାଇ ଥିଲା। ଚାଷୀ କମ୍ପାନୀର କଥାରେ ଲକ୍ଷ ଲକ୍ଷ ଟଙ୍କା ଦେଇ ଧାନ ବିହନ ଖରିଦ କରିଥିଲେ। କମ୍ପାନୀ ତରଫରୁ ଏରାଇଜ ୮୪୩୩ ନାମକ ଧାନ ବିହନ ଯାହା ରୋଗ ପୋକ ସହଣ ଶକ୍ତି ସହିତ ସ୍ୱଚ୍ଛ ଓ ନିର୍ମଳ ଧାନ ଯାହା ଅଧିକ ଅମଳକ୍ଷମ ବୋଲି ଚାଷୀଙ୍କୁ କୁହାଯାଇଥିଲା। ଚାଷୀ ଏକର ପ୍ରତି ୬ କେଜି ବିହନକୁ ପ୍ରାୟ ୨୨ଶହରୁ ୨୪ଶହ ଟଙ୍କା ଦେଇ ଖରିଦ କରିବା ସହ ତଳି ପକାଇଥିଲେ। ଏହାସହ ଏହି କମ୍ପାନୀ କ୍ଷେତ୍ର କର୍ମୀଙ୍କ ପରାମର୍ଶ କ୍ରମେ ଧାନର ବିଭିନ୍ନ ଅବସ୍ଥାରେ ଅଧିକ ମୂଲ୍ୟ ଦେଇ ସମ୍ପୃକ୍ତ କମ୍ପାନୀର ବିଭିନ୍ନ କୀଟନାଶକ, ଘାସ ନାଶକ ଓ ଫିମ୍ପି ନାଶକ ବ୍ୟବହାର କରିଥିଲେ। କିନ୍ତୁ ଧାନ କେଣ୍ଡା ବାହାରିବା ବେଳକୁ ଧାନରେ ୧୦ ପ୍ରତିଶତ ଧାନ ମିଶ୍ରଣ ଥିବା ସହ ଯେଉଁ ରୋଗ ଓ ପୋକ ପ୍ରତିରୋଧକ ଥିବା କମ୍ପାନୀ ତରଫରୁ କୁହାଯାଉଥିଲା ସେହି ରୋଗ ଏବଂ ପୋକ ଦ୍ୱାରା ଧାନ ଗଛ ନଷ୍ଟ ହେଉଥିବା ଦେଖା ଯାଇଥିଲା। ଚାଷୀ କମ୍ପାନୀ ଦ୍ୱାରା ଠକାମୀର ଶିକାର ହେଇଥିବା ଜାଣି ଜିଲ୍ଲାପାଳ ଗାଭିଲ ପରାଗ ହର୍ସଦ୍ଦଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଥିଲେ। ଏନେଇ ଜିଲ୍ଲାପାଳ ଶ୍ରୀ ହର୍ସଦ୍ଦ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରି କୃଷି କ୍ଷେତ୍ର ପରିଦର୍ଶନ କରିବା ସହ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜିଲା ପ୍ରଶାସନର ଏହି ନିର୍ଦ୍ଦେଶ କ୍ରମେ ଜୁନାଗଡ କୃଷି ଜିଲା ଅଧିକାରୀ ରାମ କୃଷ୍ଣ ନାଏକଙ୍କ ନେତୃତ୍ୱରେ ବରିଷ୍ଠ କୃଷି ବିଜ୍ଞାନୀ ଜାନକୀ ବଲ୍ଲଭ ମହାନ୍ତି, ବିହନ ଉତ୍ପାଦନ ବିଭାଗ ଅଧିକାରୀ ଶୁବାସ ଚନ୍ଦ୍ର ବେହେରା, ସହକାରୀ ବିହନ ପ୍ରମାଣିକ ଅଧିକାରୀ ଅଜୟ କୁମାର ଚାନ୍ଦ, କଲମପୁର ବ୍ଲକ ସହକାରୀ କୃଷି ଅଧିକାରୀ ସୁଶ୍ରୀ ସୁଜାତା ଛତ୍ରିଆ, ବଡକୁଟୃ କୃଷି ଅଧିକାରୀ ଗଜାନନ ସାହୁ, ଜୁନାଗଡ ବ୍ଲକ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗ, ଗ୍ରାମ୍ୟ କୃଷିକର୍ମୀ ଧର୍ମାନନ୍ଦ ମାଝୀ, ବିମ୍ବାଧର ପୁଝାରୀ ପ୍ରମୁଖ ବଡକୁଟୃ ଓ ବିଜମରା ଅଂଚଳର ପ୍ରଭାବିତ କୃଷି କ୍ଷେତ୍ର ପରିଦର୍ଶନ କରିବା ସହ କ୍ଷେତ୍ର ସବୁର ନମୂନା ସଂଗ୍ରହ କରିଥିଲେ। ଚାଷୀ ଓ ସମ୍ପୃକ୍ତ ବାୟୋର କମ୍ପାନୀର କ୍ଷେତ୍ର ଅଧିକାରୀ ସଞ୍ଜୟ ସିଂଙ୍କ ଉପସ୍ଥିତିରେ ମିଶ୍ରଣ ଧାନର ଆକଳନ କରାଯାଇଥିଲା। ଯେଉଁଥିରେ ୮ ପ୍ରତିଶତ ଧାନ ମିଶ୍ରଣ ଥିବା ଜଣା ପଡିଥିଲା। ଏହି ଆକଳନ ମୁତାବକ ଜିଲା କୃଷି ଉପନର୍ଦ୍ଦେଶକଙ୍କ ମାଧ୍ୟମରେ ଜିଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜୁନାଗଡ କୃଷି ଜିଲା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଅନ୍ୟପଟେ ଧାନ ବିହନ ନିମ୍ନମାନର ଥିବା ତଦନ୍ତ କମିଟି ସ୍ୱୀକାର କରିଥିଲେ।

ସୂଚନାଯୋଗ୍ୟଯେ, କୃଷି ବିଭାଗ ଅଧିକାରୀ ମାନେ ଚାଷୀଙ୍କ ଆବଶ୍ୟକ ସମୟରେ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପରାମର୍ଶ ଦେଉନଥିବାରୁ ଚାଷୀ ବାଧ୍ୟ ହେଇ କୀଟନାଶକ ଦୋକାନୀ, ଆନ୍ଧ୍ର ପ୍ରଦେଶୀ ଚାଷୀ ଓ ଏଭଳି ଅନେକ ନାମୀ ଦାମୀ ଓ ବେନାମୀ କମ୍ପାନୀ ଦ୍ୱାରା ନିୟୋଜିତ ଲୋକଙ୍କ ପରାମର୍ସ ନେଇ କ୍ଷତିଗ୍ରସ୍ଥ ହେଉଛନ୍ତି। ଏପରିକି କୃଷି ବିଭାଗ ଅଧିକାରୀ ତାଙ୍କ ଅଧିନରେ ଥିବା ବିଭିନ୍ନ ସାର ଓ କୀଟନାଶକ ଦୋକାନ ଗୁଡିକ ପ୍ରତି ଆଖି ବୁଜି ଦେଇଥିବାରୁ କଲମପୁର ଅଞ୍ଚଳରେ ଅନେକ ସମୟରେ ଭେଜାଲ କୀଟନାଶକ ବିକ୍ରୟ ହେଉଥିବା ଚାଷୀ ସଙ୍ଗଠନ ସବୁ ଅଭିଯୋଗ କରୁଛନ୍ତି। ଯାହା ଦ୍ୱାରା ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ସହ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପଟେ ବାୟୋର କମ୍ପାନୀର ଏରାଇଜ ୮୪୩୩ ଧାନ କରି କ୍ଷତିଗ୍ରସ୍ଥ ହେଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ଯୋଗାଇ ଦେବା ସହ ଏହି କମ୍ପାନୀର ବିହନ ବିକ୍ରୟ ଉପରେ ନିଷେଧାଦେଶ ଜାରି କିରବା ପାଇଁ କ୍ଷତିଗ୍ରସ୍ଥ ଚାଷୀ ଦାବି କରିଛନ୍ତି।

Comments are closed.