ଆଦିବାସୀ ପରମ୍ପରାର ପର୍ବ ‘ଟୋକିମରା’ ଉଦ୍‍ଯାପିତ

କଲମପୁର : ଆଦିବାସୀ ମହାନ ପରମ୍ପରାର ପର୍ବ ‘ଟୋକିମରା’ ମହା ସମାରୋହରେ ଉଦ୍‍ଯାପିତ ହେଇଯାଇଛି। ହଜାର ହଜାର ଲୋକଙ୍କ ସମାଗମରେ କଲମପୁର ବ୍ଲକର କଦଳିଚୁଆଁ, ଚୁରାଗାଁ ଓ ଖଣ୍ଡି ଡଙ୍ଗରୀଗୁଡା ସମେତ ଥୁଆମୁଳ ରାମପୁର ବ୍ଲକର କୁମାରକାନୀ, ଟିକ୍ରାଗୁଡା, ବାଗଡିଆଣି, ଜବାଙ୍ଗ ଓ କାଲସପୁର ଆଦି ଆଦିବାସୀ ଗାଁରେ ‘ଟୋକିମରା’ ପର୍ବ ପାଳନ ହେଇଯାଇଛି।
ଏହି ପର୍ବ ପାଳନ ଅବସରରେ ପେଟ ପାଇଁ ଅନ୍ୟତ୍ର ଯାଇଥିବା ଆଦିବାସୀ ଏବେ ଗାଁ ମୁହାଁ ହୋଇଛନ୍ତି। ପ୍ରତ୍ୟେକ ଆଦିବାସୀ ଗାଁ ଏହି ପର୍ବ ପାଳନ ପାଇଁ ଏବେ ଉତ୍ସବ ମୁଖର। ପ୍ରତ୍ୟେକ ପରିବାରରେ ନିଜ ନିଜ ଘର ଲିପା ପୋଛା ସହ ସାଜସଜ୍ଜା କରାଯାଇଥିଲା। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ନୁଆଁ ଲୁଗା ସହ ଗତ ତିନିଦିନ ଧରି ଭୋଜି ଭାତର ଆସର ଲାଗି ରହିଛି। ମଦ, ମାଂସ ସହ ଆଦିବାସୀ ପାରମ୍ପରିକ ବାଜାର ତାଳେ ତାଳେ ଝୁମୁଛନ୍ତି ଆଦିବାସୀ-ଆଦିବାସୀ ମଧ୍ୟରେ ପୂଜ୍ୟ ପୁଜା ପରମ୍ପରା ଅନୁସାରେ ଗୁରୁବାର ଦିନ ଗୁରୁ ଓ ପୂର୍ବ ପୁରୁଷଙ୍କ ଆବାହନ କରାଯାଇଥିଲା ଓ ସୂର୍ଯ୍ୟ ପୂଜା କରାଯାଇଥିଲା। ପରବର୍ତ୍ତି ଶୁକ୍ରବାର ଦିନ ଗାଁ ଧରଣୀ ଦେବୀଙ୍କ ପୀଠକୁ ଯାଇ ପୂର୍ବ ବର୍ଷ ପୋତା ଯାଇଥିବା ଦେବୀଙ୍କ ଅସ୍ତ୍ରକୁ ମାଟି ତଳୁ ବାହାର କରାଯାଇ ଜାନୀଙ୍କ ଦ୍ୱାରା ମାଜଣା କରାଯିବା ପରେ ଦେବୀଙ୍କ ଅସ୍ତ୍ର ଗ୍ରାମର ଆଚାଣ୍ଡାଳ ବ୍ରାହ୍ମଣଙ୍କ ଘରକୁ ପାରମ୍ପରିକ ବାଜା ସହ ଏକ ଶୋଭାଯାତ୍ରାରେ ନିଆଯାଇ ପୂଜା କରାଯାଇଥିଲା। ଶନିବାର ଶନିଦେବଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା।
ଏହି ପର୍ବ ପାଳନ ପାଇଁ ରହିଛି ଏକ ଲୋକ ଶୃତି। ଏହି ଲୋକଶୃତି ଅନୁସାରେ, ଆଦିବାସୀ ସଂସ୍କୃତି ଏକ ଆଦି ସଂସ୍କୃତି। ଏହି ଆଦି ସଂସ୍କୃତିର ଏକ ଅନନ୍ୟ ପରମ୍ପରାର ପର୍ବ ହେଉଛି ‘ଟୋକିମରା’। ‘ଟୋକିମରା’ ଏକ କୃଷି ଭିତ୍ତିକ ପର୍ବ। ଏହି ପର୍ବ ପାଳନ ଦ୍ୱାରା ଧରଣୀ ଦେବୀ ଶାନ୍ତି ହେବା ସହ ଉତ୍ତମ ଫଳ ପ୍ରଦାନ କରୁଥିବା ଲୋକ ବିଶ୍ୱାସ ରହିଛି। ତେଣୁ ଉତ୍ତମ ଫଳ ଆଶାରେ କେଉଁ ଆଦିମ କାଳରୁ ଏହି ପର୍ବ ପାଳନ ହେଇ ଆସୁଛି। ପୂର୍ବ କାଳରେ ଦୈବୀ ଶକ୍ତିର ଆରାଧନା କରାଯାଉଥିଲା। ଦେବୀ ଅଶାନ୍ତି ହେବା କାରଣରୁ ଏକଦା ଧୋଇ ମରୁଡିର ପ୍ରଭାବ ସହ ଲୋକେ ଖାଦ୍ୟ ଅଭାବରୁ ପୋକ ମାଛି ଭଳି ମୃତ୍ୟୁ ବରଣ କରୁଥିଲେ। ଏହାକୁ ନେଇ ଗାଁ ମୁଖିଆଙ୍କ ମଧ୍ୟରେ ଆଲୋଚନା ହେବା ସହ ଗାଁ ଜାନୀ ପୁଜାରୀ ଦେବୀଙ୍କ ଶରଣାପନ୍ନ ହେଇ ମୁକ୍ତିର ମାର୍ଗ କାମନା କରିଥିଲେ। ଏହାପରେ ଆରମ୍ଭ ହେଇଥିଲା ‘ଟୋକିମରା’ ପର୍ବ।

ଲୋକ ବିଶ୍ୱାସ ଅନୁସାରେ ପୂର୍ବରୁ ଏକ ଟୋକି(ଅପ୍ରାପ୍ତ ବୟସ୍କା ଝିଅ)କୁ ଧରଣୀ ଦେବୀଙ୍କ ନିକଟରେ ବଳି ଦିଆଯାଉଥିଲା କିନ୍ତୁ କାଳକ୍ରମେ ଏଥିରେ ବିଭିନ୍ନ ପ୍ରତିବନ୍ଧକ କାରଣରୁ ଏବେ ଗଡ୍‍ରା(ମେଣ୍ଢା)କୁ ବଳି ଦିଆଯାଉଛି।
କଦଳିଚୁଆଁ ଠାରେ ଆୟୋଜିତ ‘ଟୋକିମରା’ ପର୍ବରେ ସର୍ବାଧିକ ୩୬ ଖଣ୍ଡ ଗ୍ରାମର ଜାନୀ ନିଜ ଫୋଦ ସହିତ ଆସିଥିବା ନେଇ ପର୍ବ ପାଳନ କମିଟିର ସଭାପତି ସିତୁ ବେହେରା ଓ ଜାନୀ ଅକୃର ମାଝୀ ସୁଚନା ଦେଇଛନ୍ତି। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେଇଥିଲା। ସେହିଭଳି ଖଣ୍ଡିଡଙ୍ଗରୀଗୁଡା ଠାରେ ମଧ୍ୟ ୧୬ ଖଣ୍ଡ ଗାଁର ଜାନୀ ଆସି ବଳି, ମାଂସ ନେଇଥିବା ପର୍ବ ପାଳନ କମିଟିର ସଭାପତି ଗୌତମ ବିହାରୀ, ସମ୍ପାଦକ ଅପସିଂ ମାଝୀ ଓ ଗୌନ୍ତିଆ ସୁଦର୍ଶନ ମାଝୀ ସୂଚନା ଦେଇଥିଲେ। ଚୁରାଗାଁ ଠାରେ ମାତ୍ର ୫ ଖଣ୍ଡ ଗାଁର ଜାନୀମାନେ ସମବେତ ହେଇ ବଳି ମାଂସ ନେଇଥିଲେ। ସମସ୍ତ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହେଇଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ଜୟପାଟଣା ଥାନା ଅଧିକାରୀ ବଡକୁଟୃ ଫାଣ୍ଡି ଓ କଲମପୁର ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ବାହିନୀ ନିୟୋଜିତ ହୋଇଥିଲେ।

Comments are closed.